ଭୁବନେଶ୍ୱର: ମା’ ଦୁର୍ଗା ଓ ଗଜଲକ୍ଷ୍ମୀଙ୍କ ପରେ ଧରାବତରଣ କରିବେ ମହାକାଳୀ। ସେଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ରାଜଧାନୀ। ସହରର ବିଭିନ୍ନ କାଳୀ ମନ୍ଦିରରେ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ରାଜଧାନୀର ପୁରୁଣା କାଳୀପୂଜା ଉତ୍ସବ ମଧ୍ୟରୁ ସତ୍ୟନଗର ସତ୍ୟକାଳୀ ମନ୍ଦିରର ପୂଜା ବହୁ ପୁରୁଣା। ସେଠାରେ ଚଳିତ ବର୍ଷ ଦୁର୍ଲଭ ଦଶ ମହାବିଦ୍ୟା ବେଶରେ ଦର୍ଶନ ଦେବେ ମା’। ପରମ୍ପରା ଅନୁସାରେ ମା’ଙ୍କ ପୂଜା ୧୦ଦିନ ଧରି ଚାଲିବ। ଚଳିତ ବର୍ଷ ୪୪ ବର୍ଷରେ ପଦାର୍ପଣ କରୁଥିବା ଏହି ପୂଜା ଉତ୍ସବ ଏଥର ମହାସମାରୋହରେ ଆୟୋଜିତ ହେଉଛି। ଆସନ୍ତା୧୨ ତାରିଖରୁ ଆରମ୍ଭ ହେଉଥିବା ଏ ପୂଜା ୨୧ରେ ଶେଷହେବ। ଏଥର ଏକ ପ୍ରାସାଦର ତୋରଣ କରାଯାଉଛି। ପୂଜାବିଧି ଅନୁଯାୟୀ ପ୍ରଥମ ଦିନ ରାତିରେ କଳସ ଅଧିବାସ, ମା’ଙ୍କର ଉପଚାର ପୂଜା ଓ ଚଣ୍ଡୀପାଠ ହେବ। ସେଦିନ ମହାକାଳୀ ବେଶ ଅନୁଷ୍ଠିତ ହେବ।

Advertisment

ଦ୍ବିତୀୟ ଦିନ, ଅର୍ଥାତ୍‌ ୧୩ ତାରିଖରେ ଚଣ୍ଡି ହୋମ ଓ ତାରା ବେଶ, ୧୪ ତାରିଖରେ ଷୋଡ଼ଶୀ ବେଶ, ୧୫ ତାରିଖରେ ଭୁବନେଶ୍ୱରୀ ବେଶ, ୧୬ ତାରିଖରେ ଭୈରବୀ ବେଶ, ୧୭ ତାରିଖରେ ଚ୍ଛିନ୍ନମସ୍ତା ବେଶ, ୧୮ ତାରିଖରେ ଧୂମାବତୀ ବେଶ, ୧୯ ତାରିଖରେ ବଗଳା ବେଶ, ୨୦ ତାରିଖରେ ମାତଙ୍ଗୀ ବେଶ ଓ ଶେଷ ୨୧ ତାରିଖରେ ପୂର୍ଣ୍ଣାହୂତି ଓ କମଳା ବେଶ ଅନୁଷ୍ଠିତ ହେବ। ମା’ଙ୍କ ପ୍ରତି ବେଶରେ ବିଭିନ୍ନ ରାଶିମାନଙ୍କ ପାଇଁ ସ୍ବତନ୍ତ୍ର ଦୀପଦାନର ବ୍ୟବସ୍ଥା ରହିଛି। ସେହିପରି ଗାଡ଼ିପୂଜା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି। ପୂଜା ଅବସରରେ ସତ୍ୟକାଳୀ ମେଳା ଅନୁଷ୍ଠିତ ହେବ। ଦର୍ଶକଙ୍କ ମନୋରଞ୍ଜନ ପାଇଁ ମୀନାବଜାର ଓ ଦୋଳି ଆଦି ପଡ଼ିବ। ପୂଜାର ଶେଷ ୩ଦିନ ଭଜନ ସମାରୋହ ଅନୁଷ୍ଠିତ ହେବ। ସୁରକ୍ଷା ଓ ଟ୍ରାଫିକ୍‌ ବ୍ୟବସ୍ଥାକୁ ସୁନିୟମନ୍ତ୍ରଣ କରିବାଲାଗି ପୁଲିସକୁ ମନ୍ଦିରର ସ୍ୱେଚ୍ଛାସେବୀ ଓ କମିଟି ସଦସ୍ୟମାନେ ସହଯୋଗ କରିବେ ବୋଲି ପୂଜା କମିଟି କୋଷାଧ୍ୟକ୍ଷ ନିମାଇଁ ଚାଟାର୍ଜୀ କହିଛନ୍ତି।

ଚଳିତ ବର୍ଷ ୪୪ ବର୍ଷରେ ପଦାର୍ପଣ କରୁଥିବା‌ ବରମୁଣ୍ଡା ମହାକାଳୀ ପୂଜା ଏଥର ମହାସମାରୋହରେ ଆୟୋଜିତ ହେଉଛି। ବରମୁଣ୍ଡା ଦକ୍ଷିଣକାଳୀ ମନ୍ଦିରରେ ଅନୁଷ୍ଠିତ ହେଉଥିବା ଏହି ପୂଜା ଅବସରରେ ୫ଦିନ ବ୍ୟାପୀ ବିଶ୍ବଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ। ବରମୁଣ୍ଡା ଗ୍ରାମବାସୀ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆୟୋଜିତ ହେଉଥିବା ଏହି ପୂଜାରେ ପ୍ରତିବର୍ଷ ଭଳି ଏଥର ମଧ୍ୟ ଆଧ୍ୟାତ୍ମିକ ଭାବ ଓ ହରିନାମ ସଂକୀର୍ତ୍ତନରେ ମନ୍ଦିର ପରିସର ଉଛୁଳି ଉଠିବ। କମିଟି ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଉପରୋକ୍ତ ବିଶ୍ବଶାନ୍ତି ମହାଯଜ୍ଞ ୯ ତାରିଖରୁ ଆରମ୍ଭ ହେବ। ଏହି ଦିନ ଅଧିବାସ, ଅଙ୍କୁରରୋପଣ ଓ ଜଳଯାତ୍ରା ଅନୁଷ୍ଠିତ ହେବା ପରେ ୧୦୮ କଳସ ଓ ପାର୍ଶ୍ବ ଦେବଦେବୀଙ୍କ ଉପସ୍ଥିତିରେ ଯଜ୍ଞ ଆରମ୍ଭ ହେବ। ସେହିପରି ୧୦ ଓ ୧୧ ତାରିଖରେ ସୂର୍ଯ୍ୟପୂଜା, ଗୋ’ପୂଜା, ପାର୍ଶ୍ବ ଦେବଦେବୀ ପୂଜା, ଅଗ୍ନି ସ୍ଥାପନ ପରେ ଆହୁତି ଦିଆଯିବ। ୧୨ ତାରିଖରେ ଦୀପଦାନ ସହିତ ଅର୍ଦ୍ଧରାତ୍ରରେ ଶ୍ୟାମାକାଳୀ ପୂଜା ଅନୁଷ୍ଠିତ ହେବ। ପ୍ରତିଦିନ ୩,୦୦୦ରୁ ଅଧିକ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ହୋଇଛି। ଏଥିସହିତ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ବ୍ୟବସ୍ଥା କରାଯାଇଛି। ମନ୍ଦିର କମିଟିର ସଭାପତି ଭଜମନ ସାହୁଙ୍କ କହିବା ଅନୁଯାୟୀ, ପୂଜା ସମୟରେ ସୁରକ୍ଷା ଓ ଟ୍ରାଫିକ୍‌ ବ୍ୟବସ୍ଥାକୁ ପରିଚାଳନା କରିବାରେ ମନ୍ଦିର କମିଟିର ସଦସ୍ୟଙ୍କ ସମେତ ପୁଲିସ ଅଧିକାରୀଙ୍କ ସହଯୋଗ ରହିବ। ଭୋଗ ସାମଗ୍ରୀକୁ ପଲିଥିନ ବ୍ୟାଗ୍‌ ପରିବର୍ତ୍ତେ ପାତ୍ରରେ ଆଣିବାକୁ ଭକ୍ତମାନଙ୍କୁ ଶ୍ରୀ ସାହୁ ଅନୁରୋଧ କରିଛନ୍ତି।