୯ ବର୍ଷ ତଳର ଯୋଜନା ରୂପ ପାଇବ, ଏମିତି ଦେଖାଯିବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌

ଏଆଇପିଏଲ୍‌ରୁ ବି ଆଣ୍ଡ୍‌ ଆର୍‌
ପୂର୍ବରୁ ଥରେ ଏମ୍‌ଓୟୁ ସ୍ବାକ୍ଷର ହୋଇ ବାତିଲ୍‌ ହୋଇଛି
ବଜେଟ୍‌ ଥିଲା ୩୦୦କୋଟି, ଏବେ ୧୬୦ କୋଟି
ଉଚ୍ଚତା ୨୮ମିଟରରୁ ୧୫ମିଟରକୁ କମିଛି

ଭୁବନେଶ୍ବର : ବରମୁଣ୍ଡା ବସ୍‌ଷ୍ଟାଣ୍ଡର ଉନ୍ନତୀକରଣ ପାଇଁ ୨୦୧୦ ମସିହାରୁ ଯୋଜନା ହେଲାଣି। ଏପରିକି ୨୦୧୧ ମସିହାରେ ଥରେ ଏମ୍‌ଓୟୁ ସ୍ବାକ୍ଷର ହୋଇଥିଲେ ବି ନିର୍ମାଣ କରିବାକୁ ଥିବା ସଂସ୍ଥା ଓହରିଯିବାରୁ ବରମୁଣ୍ଡା ବସଷ୍ଟାଣ୍ଡର ଉନ୍ନତୀକରଣ ହୋଇପାରିନଥିଲା। ଏବେ ୯ବର୍ଷ ପରେ ବସ୍‌ଷ୍ଟାଣ୍ଡର ଉନ୍ନତୀକରଣ ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ କରିଛି। ଡିଜାଇନ୍‌କୁ ବି ଅନୁମୋଦନ ମିଳିଛି। ତେଣୁ ୯ବର୍ଷ ତଳର ଯୋଜନା ନୂଆ ରୂପରେ ପୁଣି ଫେରିଛି। ଏହା କେବେ କାର୍ଯ୍ୟକ୍ଷମ ହେବ ତାହାକୁ ସମସ୍ତଙ୍କର ଅପେକ୍ଷା।

୨୦୧୦ରେ ଓଏସ୍‌ଆରଟିସି ବରମୁଣ୍ଡା ବସଷ୍ଟାଣ୍ଡର ଉନ୍ନତୀକରଣ ନକ୍ସା ପ୍ରସ୍ତୁତ କରିଥିଲା। ସବୁ ଯୋଜନା ମୁତାବକ ହୋଇଥିଲା। ଏଆରଏସ୍‌ଏସ୍‌ ଇନଫ୍ରାଷ୍ଟ୍ରକଚର୍‌ ପ୍ରୋଜେକ୍ଟସ ଲିମିଟେଡ (ଏଆଇପିଏଲ୍‌) ଟେଣ୍ଡର ପାଇଥିଲା। ସଂସ୍ଥା ସହ ରାଜ୍ୟ ସରକାର ମାର୍ଚ୍ଚ ୧୬, ୨୦୧୧ରେ ଏମ୍‌ଓୟୁ ସ୍ବାକ୍ଷର କରିଥିଲେ। ସେତେବେଳେ ୩୦୦କୋଟି ଟଙ୍କାରେ ଏଠାରେ ବସ୍‌ ଟର୍ମିନାଲ ଉନ୍ନତୀକରଣ ଯୋଜନା ହୋଇଥିଲା। ଏଥିରେ ଆବାସିକ ଗୃହରୁ ଆରମ୍ଭ କରି ସପିଂ ମଲ୍‌, ମଲ୍ଟିପ୍ଲେକ୍ସ ସହ ବହୁ ଅତ୍ୟାଧୁନିକ ସୁବିଧାସୁଯୋଗ ଦେବା ନିଷ୍ପତ୍ତି ହୋଇଥିଲା। କିନ୍ତୁ ହଠାତ୍ ଏହି ପ୍ରକଳ୍ପ ବନ୍ଦ ହୋଇଗଲା। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏଆଇପିଏଲ୍‌ ପ୍ରସ୍ତୁତ କରିଥିବା ଡିଜାଇନ୍‌ ବହୁ ଉଚ୍ଚର ହୋଇଥିବାରୁ ଏହାକୁ ବିମାନବନ୍ଦର କର୍ତ୍ତୃପକ୍ଷ ଏନ୍‌ଓସି ଦେଲେନି। ଫଳରେ ଏହି ପ୍ରକଳ୍ପ ହେବା ନହେବା ନେଇ ଅନିଶ୍ଚିତତା ଭିତରକୁ ଠେଲି ହୋଇଗଲା।

ଦୀର୍ଘ ୮ବର୍ଷ କାଳ ଅନିଶ୍ଚିତତା ଭିତରେ ରହିବା ପରେ ବିଡିଏ ବରମୁଣ୍ଡା ବସଷ୍ଟାଣ୍ଡର ଉନ୍ନତୀକରଣ କାର୍ଯ୍ୟ ହାତକୁ ନେଲା। ଜାନୁଆରି, ୨୦୧୮ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ‌େହଲା ଯେ, ବରମୁଣ୍ଡା ବସଷ୍ଟା‌ଣ୍ଡ ଉନ୍ନତୀକରଣ ପାଇଁ ଟେଣ୍ଡର ପ୍ରକ୍ରିୟା ଜୁନ୍, ୨୦୧୮ ‌ସୁଦ୍ଧା ଶେଷ ହେବ। ପ୍ରଥମ ପର୍ଯ୍ୟାୟ କାମ ଏପ୍ରିଲ, ୨୦୧୯ ସୁଦ୍ଧା ସରିବ। ୨ବର୍ଷ ଭିତରେ ବରମୁଣ୍ତା ବସଷ୍ଟାଣ୍ତ ରାଜ୍ୟର ପ୍ରଥମ ଅନ୍ତଃରାଜ୍ୟ ବସଷ୍ଟାଣ୍ତ୍‌ରେ ପରିଣତ ହେବ। ଏନେଇ ବିଡିଏ ପକ୍ଷରୁ ଦିଲ୍ଲୀର ଦିଲ୍ଲୀ ଇଣ୍ଟିଗ୍ରେଟେଡ୍‌ ମଲ୍ଟି ମୋଡାଲ ଟ୍ରାନଜିଟ୍‌ ସିଷ୍ଟମ ଲିମିଟେଡ୍‌ (ଡିଆଇଏମ୍‌ଟିଏସ୍‌) ସଂସ୍ଥାକୁ ଡିଜାଇନ୍ ପ୍ରସ୍ତୁତ କରିବାକୁ ନିୟୋଜିତ କରାଗଲା। ଡିଜାଇନ୍ ବି ପ୍ରସ୍ତୁତ ସରିଥିଲା। ପ୍ଲାନ୍ ଅନୁମୋଦନ ପାଇଁ ବିଡିଏ ବିଭିନ୍ନ ସଂସ୍ଥାରୁ ଏନ୍‌ଓସି ମାଗିଥିଲା। କିନ୍ତୁ ଏହି ଡିଜାଇନ୍‌ରେ ବସଷ୍ଟାଣ୍ଡରେ ନିର୍ମାଣ ହେବାକୁ ଥିବା ବିଲଡିଂର ଉଚ୍ଚତା ୨୮ମିଟର ଥିବାରୁ ଏହାକୁ ବିମାନବନ୍ଦର କର୍ତ୍ତୃପକ୍ଷ ଏନ୍‌ଓସି ଦେଇନଥିଲେ। ବିମାନବନ୍ଦର କର୍ତ୍ତୃପକ୍ଷ କହିଥିଲେ, ଏହି ବସ୍‌ ଟର୍ମିନାଲ ଉପର ଦେଇ ବିମାନଗୁଡ଼ିକ ରନେଵକୁ ଯାଉଥିବାରୁ ସୁୁଉଚ୍ଚ ବିଲଡି˚ ବିମାନ ଅବତରଣରେ ବାଧକ ସାଜିବାର ଆଶଙ୍କା ଅଛି। ତେଣୁ ଡିଜାଇନ୍ ବଦଳାଯାଉ। ଏହାପରେ ବିଡିଏ ପୁଣି ଡିଜାଇନ୍ ବଦଳାଇବାକୁ ଡିଆଇଏମ୍‌ଟିଏସ୍‌ କହିଥିଲା।

ପୁଣି ତିନି ମାସର କସରତ ପରେ ଡିଜାଇନ୍ ବି ବଦଳିଲା। ଏଥିରେ ଟର୍ମିନାଲ ବିଲଡିଂର ଉଚ୍ଚତା ୧୫ମିଟର ରଖାଗଲା। ଏହି ନୂଆ ଡିଜାଇନ୍‌କୁ ରାଜ୍ୟ ସରକାର ଅନୁମୋଦନ କରିବା ପରେ ବିଡିଏ ସମସ୍ତ ସଂସ୍ଥାରୁ ଏନ୍‌ଓସି ଆଣି ଏହାର ପ୍ଲାନ୍ ଅନୁମୋଦନ କଲା। ଏହାପରେ ଟେଣ୍ଡର ପ୍ରକ୍ରିୟା ଶେଷ କରି ବିଡିଏ କ୍ୟାବିନେଟ୍‌ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ଜୁନ୍‌ ମାସରେ ପଠାଇଲା। ଆଉ ଆଜି ଏହା ଉପରେ ଚୂଡ଼ାନ୍ତ ମୋହର ବାଜିଲା। ଏବେ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନି (ଇଣ୍ଡିଆ) ଲିମିଟେଡ ଏହାକୁ ନିର୍ମାଣ କରିବ।

ଏବେ ୧୧ ଏକର ଜମିରେ ହେବ, ଭବିଷ୍ୟତ ସମ୍ପ୍ରସାରଣ ପାଇଁ ୪.୫ ଏକର ରହିବ

ବସଷ୍ଟାଣ୍ତକୁ ଟର୍ମିନାଲ ଅଞ୍ଚଳ ଏବ˚ ବାଣିଜ୍ୟିକ ଅଞ୍ଚଳ ଦୁଇଟି ପୃଥକ ଭାବେ ବିକଶିତ କରାଯିବ। ପ୍ରାୟ ୧୫.୫ଏକର ଅଞ୍ଚଳରେ ଥିବା ବରମୁଣ୍ତା ବସଷ୍ଟାଣ୍ତର ୧୧ଏକର ଜାଗାରେ ବିକାଶ କରାଯିବ। ବାକି ୪.୫ଏକର ଜମି ଭବିଷ୍ୟତର ସମ୍ପ୍ରସାରଣ ପାଇଁ ସ˚ରକ୍ଷିତ ରହିବ। ବସ୍‌ ଟର୍ମିନାଲକୁ ଯାତ୍ରୀମାନେ ଯେପରି ସୁବିଧାରେ ଯାତାୟାତ କରିପାରିବେ ସେଥିପାଇଁ ଅଧିକ ସ˚ଖ୍ୟକ ସିଟି ବସ୍‌ ଚଳାଚଳ କରିବ। ପ୍ରସ୍ତାବିତ ନୂତନ ବସ୍‌ ଟର୍ମିନାଲରେ ଫୁଡ୍‌ କୋର୍ଟରୁ ଆରମ୍ଭ କରି ଆବଶ୍ୟକୀୟ ପାର୍କି˚, ଏଲିଭେଟର ଓ ଏସ୍‌କ୍ଲାଭେଟର‌୍‌ ରହିବ। ପାନୀୟ ଜଳ ଯୋଗାଣ, ବର୍ଜ୍ୟ ଜଳ ବିଶୋଧନ, ବସ୍‌ ଧୋଇବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା, ପୂରା ବସଷ୍ଟାଣ୍ତରେ ଵାଇଫାଇ ସେବା ଉପଲବ୍ଧ ହେବ। ସୌରଶକ୍ତି ବ୍ୟବସ୍ଥାରେ ବିଦ୍ୟୁତ ସ˚ଯୋଗ ହେବ। ଏହି ବସଷ୍ଟାଣ୍ତର ସ୍ବତନ୍ତ୍ରତା ହେବ ଏଠାରୁ ବିଶାଖପାଟଣା, ହାଇଦ୍ରାବାଦ, ରାୟପୁର, ରାଞ୍ଚି, କୋଲକାତା, ବେଙ୍ଗାଲୁରୁ ସମେତ ଦେଶର ବିଭିନ୍ନ ସ୍ଥାନକୁ ନିୟମିତ ବସ୍‌ ଚଳାଚଳ କରିବ। ଉଭୟ ଘରୋଇ ଓ ଓଏସ୍‌ଆରଟିସି ଏହି ବସ୍‌ ସେବା ଯୋଗାଇବେ ବୋଲି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର