ଖଣ୍ଡଗିରି: ବରମୁଣ୍ଡା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉଦ୍ଘାଟନ ହେବା ପରଠାରୁ ତାଲା ପଡ଼ି ରହିଛି। ନୂତନ କୋଠାଟା ସେମିତି ମୁକୁଳା ଠିଆ ହୋଇଛି। ନା କୌଣସି ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ପାଇଛନ୍ତି, ନା ଡାକ୍ତର। ଫଳରେ ହସ୍ପିଟାଲରେ ରୋଗୀସେବା ଆରମ୍ଭ ହୋଇପାରିନି। ତେଣୁ ନିକଟରେ ସ୍ୱାସ୍ଥ୍ୟସେବା ପାଇବା ପାଇଁ ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ଆଶା ଏବେ ନିରାଶାରେ ପରିଣତ ହୋଇଥିବା କୁହାଯାଉଛି। ଏ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାନୁସାରେ ଗତ ୩ ତାରିଖ ଦିନ ଖୋଦ୍ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ହାତରେ ବରମୁଣ୍ଡା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନ ଉତ୍ସବରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଆଶୋକ ପଣ୍ଡା, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ଓ ସ୍ଥାନୀୟ କର୍ପୋରେଟର ସୁଜିତ୍ କୁମାର ସ୍ୱାଇଁ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ଲୋକଙ୍କ ନିକଟକୁ ସ୍ୱାସ୍ଥ୍ୟସେବା ପହଞ୍ଚାଇବାକୁ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି ବୋଲି ନେତାମାନେ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥିଲେ। ତେଣୁ ଉଦ୍ଘାଟନ ହେବା ପରେ ସ୍ଥାନୀୟ ଲୋକଙ୍କ ଭିତରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା। ବରମୁଣ୍ଡା, ସୌଭାଗ୍ୟନଗର, ମଲ୍ଲିକ କମ୍ପ୍ଲେକ୍ସ, ଧର୍ମବିହାର, ସିଦ୍ଧିବିହାର ଓ ବହୁ ସ୍ଥାନୀୟ ଅଞ୍ଚଳର ହଜାର ହଜାର ବସ୍ତିବାସିନ୍ଦା ଏହି ସ୍ୱାସ୍ଥ୍ୟକେନ୍ଦ୍ରରୁ ରୋଗୀ ସେବା ପାଇବା ପାଇଁ ଆଶା ବାନ୍ଧିଥିଲେ। କିନ୍ତୁ ପରିତାପର କଥା ସେହିଦିନଠାରୁ ନୂତନ କୋଠାଟି ତାଲା ପଡ଼ି ବନ୍ଦ ରହିଛି। ଫଳରେ ହାତ ପାହାନ୍ତାରେ ସ୍ୱାସ୍ଥ୍ୟସେବା ପାଇବା ପାଇଁ ସ୍ଥାନୀୟ ଲୋକେ କରିଥିବା ଆଶା ପୂରଣ ହୋଇପାରିନି। ଡାକ୍ତରଖାନା ଚାଲୁ ହେବା ବିଳମ୍ବ ହେଉଥିବାରୁ ଲୋକେ ନାନା ଆଶଙ୍କା ପ୍ରକାଶ କରିଛନ୍ତି। ନୂଆ କୋଠା ଦେଖାଇ ଲୋକଙ୍କୁ ଭୂଅାଁ ବୁଲାଇବାକୁ ଅପଚେଷ୍ଟା କରାଯାଇଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଆଗାମୀ ମ୍ୟୁନିସିପାଲିଟି ନିର୍ବାଚନକୁ ଆଖିରେ ରଖି ରାଜ୍ୟ ସରକାର ଏଭଳି ଏକ ମିଛ ନାଟକ କରିଛନ୍ତି ବୋଲି କୁହାଯାଉଛି। ଏ ନେଇ ଭୁବନେଶ୍ୱର ମ୍ୟୁନିସିପାଲିଟି ଅଞ୍ଚଳର ଏଡିଏମ୍ଓ ଏସ୍ ପତିଙ୍କ କହିବା କଥା ଯେ ଖୁବ୍ ଶୀଘ୍ର ଏଠାରେ ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦେଇ ହସ୍ପିଟାଲ ଚାଲୁ କରାଯିବ। ହସ୍ପିଟାଲର ନୂତନ କୋଠାରେ କିଛି ଛୋଟମୋଟ ନିର୍ମାଣ କାମ ବାକି ଥିବାରୁ କୋଠାଟିକୁ ସ୍ୱାସ୍ଥ୍ୟବିଭାଗକୁ ହସ୍ତାନ୍ତର ହୋଇପାରିନାହିଁ। ତେବେ ବାକିଥିବା ନିର୍ମାଣ କାମ ସରିବା ମାତ୍ରେ ହସ୍ପିଟାଲ ଚାଲୁ କରାଯିବ ବୋଲି ସେ କହିଛନ୍ତି।