ଭୁବନେଶ୍ବର: କେନ୍ଦ୍ର ସରକାର ଭୁବନେଶ୍ବରକୁ ସ୍ମାର୍ଟସିଟି ଘୋଷଣା କରିଛନ୍ତି। ବିଭିନ୍ନ ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ରାଜଧାନୀର ପ୍ରମୁଖ ଛକ, ରାସ୍ତା ଓ ବଡ଼ବଡ଼ ବାବୁ ରହୁଥିବା ସରକାରୀ କ୍ବାର୍ଟର୍ସ କଲୋନିକୁ ଛାଡ଼ି ଦେଇ ଗଳିକନ୍ଦି ବୁଲି ଆସିଲେ, ଭୁବନେଶ୍ବର କେତେ ସ୍ମାର୍ଟ, ତାହା ସହଜରେ ଜଣେ ଅନୁମାନ କରିପାରିବ। ଏବେ ବି ଗଳିକନ୍ଦିରେ ଦିନ ଦିନ ଧରି ଅଳିଆ ଆବର୍ଜନା ପଡ଼ି ରହୁଛି। କେଉଁଠି ଷ୍ଟ୍ରିଟ୍ ଲାଇଟ୍ ଦିନେ ଜଳିଲେ, ୫ ଦିନ ଅନ୍ଧାର ରହୁଛି। ଏବେ ଏବେ ଗଢ଼ି ଉଠିଥିବା କଲୋନି, ନଗର କଥା ଛାଡ଼ନ୍ତୁ, ରାଜଧାନୀର ଛାତି ଉପରେ ଥିବା ସହରର ସର୍ବପୁରାତନ ଗାଁ ବରମୁଣ୍ଡାରେ ବି ଏମିତି ମାଳମାଳ ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ଏନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲେ ବି କେହି ଶୁଣୁ ନାହାନ୍ତି। ଗତ କିଛି ଦିନ ହେଲା, ଗାଁର ବାରିକ ଘର ଛକ ନିକଟରେ ଅଳିଆ ଗଦା ହୋଇରହିଛି।
ନିକଟ ଦେଇ ଯାଇଥିବା ଡ୍ରେନ୍ ଉପରୁ ସ୍ଲାବ୍ ଭାଙ୍ଗି ପଡ଼ିଛି। ଫଳରେ ଅଳିଆ ଆବର୍ଜନାରୁ ଖାଦ୍ୟ ସଂଗ୍ରହ କରିବାକୁ ଆସୁଥିବା ଗାଈଗୋରୁ ଓ କୁକୁର ଡ୍ରେନ୍ରେ ପଡ଼ି ଖଣ୍ଡିଆ ଖାବରା ହେଉଛନ୍ତି। ଅପରପକ୍ଷେ ସ୍ଲାବ୍ ଭାଙ୍ଗି ଯାଇଥିବାରୁ ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି। ଆଖପାଖରେ ଥିବା ଘରଲୋକଙ୍କ ପାଇଁ ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି। ଜଣେ ସ୍ଥାନୀୟ ବାସିନ୍ଦାଙ୍କ କହିବାନୁଯାୟୀ, ଅସରାଏ ବର୍ଷା ହେଲେ ଏହି ଡ୍ରେନ୍ର ମଇଳା ପାଣି ରାସ୍ତା ଉପରେ ଲହଡ଼ି ମାଡ଼ୁଛି। ଫଳରେ ଏହି ରାସ୍ତାରେ ଚାଲି ଚାଲି ଯିବା ବି କଷ୍ଟକର ହୋଇପଡ଼ୁଛି। ସେହିପରି ଦିନ ଦିନ ଧରି ଅଳିଆ ଆବର୍ଜନା ପଡ଼ି ରହୁଥିବାରୁ ସେଠାରେ ମଶା ବଂଶ ବିଶେଷକରି ଡେଙ୍ଗୁ ମଶା ବଂଶବିସ୍ତାର କରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/d4g5d64j564gdj654gd654gjd54gdj65gdjgjd.jpg)