ବାରଙ୍ଗ/ ତ୍ରିଶୁଳିଆ: ପାଖେଇ ଆସିଲାଣି ଅବିଭକ୍ତ ବାରଙ୍ଗ ଅଞ୍ଚଳର ପ୍ରସିଦ୍ଧ କାର୍ତ୍ତିକେଶ୍ବର ମହୋତ୍ସବ। ମହୋତ୍ସବକୁ ସରସ ସୁନ୍ଦର ଓ ଆକର୍ଷଣୀୟ କରି ଶାନ୍ତି ଓ ଶୃଙ୍ଖଳାର ସହିତ ପାଳନ କରିବାଲାଗି ସବୁ ପୂଜା ମଣ୍ଡପର ମୁରବି ଓ କର୍ମକର୍ତ୍ତାମାନେ ଘନ ଘନ ବୈଠକ ଚଳାଇଛନ୍ତି। କଟକ ଡିସିପିଙ୍କ କାର୍ଯ୍ୟାଳୟରେ ପୁଲିସ ପ୍ରଶାସନ ଓ ବାରଙ୍ଗ ଆଞ୍ଚଳିକ ଶାନ୍ତି କମିଟିର ମିଳିତ ବୈଠକ ହୋଇ ଆସନ୍ତା ୨୫ ତାରିଖରେ ବାରଙ୍ଗ ଭସାଣି ଯାତ୍ରା କରିବାକୁ ଧାର୍ଯ୍ୟ କରାଯାଇଛି। ଚଳିତ ବର୍ଷ ବାଲିଯାତ୍ରା ଭିତରେ ପୂଜା ହେବାକୁ ଥିବାରୁ କାର୍ତ୍ତିକେଶ୍ବର ଭସାଣି ଯାତ୍ରା ପୂଜାର ୧୦ ଦିନରେ କରାଯିବ। ଆଜି କଟକ ଡିସିପି ଜଗମୋହନ ମୀନାଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଏଡିସିପି ଦେବଦତ୍ତ କର, ଏସିପି ଉମାକାନ୍ତ ପ୍ରଧାନ, ବାରଙ୍ଗ ଥାନା ଅଧିକାରୀ ବିଶ୍ବ ରଞ୍ଜନ ନାୟକଙ୍କ ସହିତ କଟକ ମହାନଗର ପୂଜା କମିଟିର ସାଧାରଣ ସମ୍ପାଦକ ପ୍ରଭାତ କୁମାର ତ୍ରିପାଠୀ, ବାରଙ୍ଗ ଆଞ୍ଚଳିକ ଶାନ୍ତି କମିଟିର କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ରାଉତ, ସମ୍ପାଦକ ସୁରେଶ କୁମାର ମହାନ୍ତି, ଉପସଭାପତି ବିଜୟ କୁମାର ପଣ୍ଡା, ପବିତ୍ର ମୋହନ ପ୍ରଧାନ, ସଂଗ୍ରାମ କେଶରୀ ମହାପାତ୍ର, ସୁରେନ୍ଦ୍ର ମିଶ୍ର, ରଣଜିତ କୁମାର ବିଶୋଇଙ୍କ ସମେତ ଆଞ୍ଚଳିକ କର୍ମକର୍ତ୍ତାମାନେ ବୈଠକ କରି ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ସମୂହ ଭସାଣି ଯାତ୍ରାରେ ବାରଙ୍ଗ ମୁଖ୍ୟରାସ୍ତାରେ ଶୋଭାଯାତ୍ରା କରାଯିବ। ସେଥିରେ ୨୫ଟି ମେଢ଼ ସାମିଲ ହେବେ। ଦାଢାପାଟଣା ଓ ଫୁଲପୋଖରି ଗ୍ରାମର ଗୋଟିଏ ଲେଖାଏଁ ମୁଖ୍ୟ ମେଢ଼ ଭସାଣୀରେ ଆସିବେ ବୋଲି ବାରଙ୍ଗ ଆଞ୍ଚଳିକ ଶାନ୍ତି କମିଟି ତରଫରୁ ସୂଚନା ଦିଆଯାଇଛି।
ସବୁ ଗ୍ରାମ କମିଟି ଟେଣ୍ଟ, ଗାଡି, ଲାଇଟ୍, ବାଦ୍ୟ, ମେଲୋଡି, ଭଜନ, ନୃତ୍ୟ ଓ ସଙ୍ଗୀତ ଦଳକୁ ବଇନା ଦେଇ ସାରିଲେଣି। କେତେକ ସ୍ଥାନରେ ଖଡ଼ମା ପୂଜା ସରିଥିବା ବେଳେ କେତେକ ସ୍ଥାନରେ ମୂର୍ତ୍ତି ନିର୍ମାଣ ପାଇଁ ନଡ଼ିବନ୍ଧା ଚାଲିଛି। କିଛି ସ୍ଥାନରେ ତ ନଡ଼ାବନ୍ଧା ପରେ ଏକମାଟି କାମ ଆରମ୍ଭ ହୋଇଗଲାଣି। ଚଳିତ ବର୍ଷ ବାରଙ୍ଗ ଅଞ୍ଚଳରେ ୧୨୧ ପୂଜା ମଣ୍ଡପରେ କାର୍ତ୍ତିକ, ନିଳେନ୍ଦ୍ରୀ, ଜଳନ୍ଧର, ହର ପାର୍ବତୀ, ଗଣେଶ, ଦୁର୍ଗା, ମହିଷାସୁର ଓ ସେମାନଙ୍କ ବାହନଙ୍କ ମୂର୍ତ୍ତି ଗଢ଼ା ହେଉଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆକର୍ଷଣର କେନ୍ଦ୍ରରେ ରହିବ ଦାଢ଼ାପାଟଣା ବଜାର ମଣ୍ଡପ। ସୀମିତ ଅଞ୍ଚଳ ମଧ୍ୟରେ କଲେଜଛକ ଠାରୁ ଆନନ୍ଦବଜାର ମଧ୍ୟରେ ୨୬ଟି ମଣ୍ଡପରେ ପୂଜା ସାଙ୍ଗକୁ ମୀନାବଜାର, ମନୋହରି, ଖେଳଣା ଦୋକାନ, ଚଟପଟା ଖାଦ୍ୟ ଦୋକାନ ହେବାକୁ ଥିବାରୁ ଦାଢ଼ାପାଟଣା ସମସ୍ତଙ୍କ ଆକର୍ଷଣ ସାଜିବ। ଦାଢ଼ାପାଟଣାର ବଣିଆସାହି, ବଣିକ ସଂଘର ଦୁର୍ଗାଙ୍କ ଚାନ୍ଦିବେଶ, ଉପର ତେଲିସାହିର ମହାଭାରତ ଉପରେ ଆଧାରିତ ମୂର୍ତ୍ତି ଓ ଦକ୍ଷିଣସାହିର ଆଧୁନିକ ବିଷୟବସ୍ତୁ ଉପରେ ଆଧାରିତ ମୂର୍ତ୍ତି କିଛି କମ୍ ଆକର୍ଷଣୀୟ ହେବନି। ଏଥିସହିତ ଦାଢ଼ାପାଟଣାର ଉପର ଶୁଣ୍ଢିସାହି, ଦରଜିସାହି, କୈବର୍ତ୍ତସାହି, ଭାଗବତଗାଦି, ବାଲ୍ୟସଂଘ, କମାରସାହି, ମହାବୀର, ବାସୁଦେବ, ମଙ୍ଗଳାଛକ, ସିନେମା ହଲ୍ ଛକ, ଭୋଇସାହି, ବାଙ୍କୀସାହି, ସାମଲସାହି, ଉପର ଷ୍ଟେସନ ବଜାର, ଗେଟ୍ ବଜାର, ବଙ୍ଗଳୀ ସାହି, ସୀତାରାମ ବଜାର, ଗୋଲେଇ ଛକ, ଆନନ୍ଦବଜାର, କନକଦୁର୍ଗା, ମଙ୍ଗଳାସାହି, ଗଦେଇକୁଦ ପର୍ଯ୍ୟନ୍ତ ଝଲସିବ।
ଏଥିସହିତ ପୁରୁଣା ବାରଙ୍ଗ, ବାରଙ୍ଗ, କଣ୍ଟାପାଟଣା, ଶ୍ରୀବନ୍ତପୁର, ପଞ୍ଚୁପାଳ, ଫୁଲପୋଖରୀ (ମହାଦେବ, ଖଣ୍ଡୁଆଳ, ଭାଗବତ, ଉପରକୁମ୍ଭାରସାହି, ତଳକୁମ୍ଭାରସାହି, ଗାନ୍ଧୀଛକ), ବଚ୍ଛିପୁର (ମଙ୍ଗଳା, ଗ୍ରାମମଣ୍ଡପ, ରାଧାଗୋବନ୍ଦ), ମଧୁବନ, ବଧୁପୁର, ତ୍ରିଶୁଳିଆ, କୁସିନ୍ଦା, କୃଷ୍ଣଚନ୍ଦ୍ରପୁର, ନରଣପୁର, ବେଲଗଛିଆ, ଜୟପୁର, କୁହ୍ନେଇପଡା, ମୁଣ୍ଡମୁହାଣ, ଫକୀରପଡା, ବାଲିଚନ୍ଦ୍ରପୁର, ଷଣ୍ଢପୁର, ଗୋଡିସାହି, ନରାଜ, ମାର୍ଥାପୁର, ମୁଣ୍ଡଳୀ, ରତାଗଡ଼, ଚଣ୍ଡୀପ୍ରସାଦ, ମରିଚିଆ, କେନ୍ଦୁପାଟଣା, ବାଲିପଡା, କଣ୍ଟୁଣିଆ, ଖୈରାପଡା, ଗଣ୍ଡରପୁର, କଲ୍ୟାଣପୁର, ବରିମୁଣ୍ଡ, ପଦାସାହି, ଇଂଜଣା, ଟାଙ୍ଗୀମନ୍ତ, ଓସ୍ତପଡା, କଳାଝରୀ, ରଘୁନାଥପୁର, ଦାରୁଠେଙ୍ଗ ଓ ଚନ୍ଦକା ସମେତ ବାରଙ୍ଗ ଅଞ୍ଚଳରେ ମୋଟ୍ ୧୨୧ଟି ମଣ୍ଡପରେ କାର୍ତ୍ତିକେଶ୍ବର ପୂଜା ଅନୁଷ୍ଠିତ ହେବ। ଫୁଲପୋଖରୀ, ବଛିପୁର ଓ କଣ୍ଟାପାଟଣାରେ ପହିଲି ପଞ୍ଚୁକରୁ ପୂଜା ହେବ। ଅନ୍ୟ ସମସ୍ତ ମଣ୍ଡପରେ କାର୍ତ୍ତିକ ପୂର୍ଣ୍ଣମୀ ଠାରୁ ପୂଜା ହେବ। ମହୋତ୍ସବକୁ ଆନନ୍ଦ ଓ ଶାନ୍ତିଶୃଙ୍ଖଳାର ସହିତ ପାଳନ କରିବାକୁ ଅଞ୍ଚଳବାସୀ ଅପେକ୍ଷା ରଖିଛନ୍ତି। ବାରଙ୍ଗ ଆଞ୍ଚଳିକ ଶାନ୍ତି କମିଟିର କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ରାଉତ ଓ ସମ୍ପାଦକ ସୁରେଶ କୁମାର ମହାନ୍ତିଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ପ୍ରଥମ ପ୍ରସ୍ତୁତି ବୈଠକ କରି ପୁଲିସ ପ୍ରଶାସନ ସହ ଆଲୋଚନା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/02/7UnhWF7AJcquC4LVTHRp.jpg)