‘ବାରଙ୍ଗ କିଙ୍ଗ୍‌’ ବିବନ ଗିରଫ, ୨୨ ବର୍ଷ ହେଲା ଜେଲରେ ଅଛି ଅଭିଯୁକ୍ତ ଟୁନିଆ ମହାନ୍ତି

ଚିରଂଜୀବୀ କର

କଟକ : ସେ ଥିଲା ଆତ୍ମଘୋଷିତ ବିକେ.. ବାରଙ୍ଗ କିଙ୍ଗ୍। ତେବେ ୧୯୯୯, ଜାନୁଆରି ୯ ତାରିଖ ରାତିରେ ‌ଏହି ବିକେ ଓରଫ ବାରଙ୍ଗ କିଙ୍ଗ୍‌ ଓରଫ ବିବନ ଓରଫ ବିବେକାନନ୍ଦ ବିଶ୍ବାଳ ତା’ର ଦୁଇ ସହଯୋଗୀ ପଦିଆ ଓ ଟୁନିଆ ସହ ଜଘନ୍ୟ କାଣ୍ଡ ଘଟାଇବା ପରେ ସମଗ୍ର ରାଜ୍ୟରେ ଏକ ଚର୍ଚ୍ଚିତ ଚେହେରା ପାଳଟି ଯାଇଥିଲା। ଅଞ୍ଜନା ମିଶ୍ରଙ୍କୁ ବାରଙ୍ଗ-କଟକ ରାସ୍ତାରେ ଅପହରଣ କରି ସେମାନେ ଦୁଷ୍କର୍ମ କରିଥିଲେ। ଦୁଇ ସହଯୋଗୀ ପଦିଆ ଓ ଟୁନିଆ ଧରା ପଡ଼ି ଯାଇଥିଲେ ବି ବିବନ ପୁଲିସ୍‌ ଓ ସିବିଆଇ ଆଖିରେ ଧୂଳି ଦେଇ ୨୨ ବର୍ଷ ହେଲା ଆତ୍ମଗୋପନ କରିଥିଲା। ନିଜ ନାଁ ବଦଳାଇ ଜଳନ୍ଧର ସ୍ବାଇଁ ନାମରେ ମହାରାଷ୍ଟ୍ର ପୁନେରେ ରହିଥିଲା। ସେଠାରେ ପାଣି ପାଇପ୍‌ ମିସ୍ତ୍ରି କାମ କରୁଥିଲା। ୨୨ବର୍ଷ ପରେ ସେ ଆଉ ଧରାପଡ଼ିବ ବୋଲି ଭାବିନଥିଲା। ଲୋ‌କେ ବି ଭୁଲି ଯାଇଥିଲେ। କିନ୍ତୁ ଏବେ ବିବନ ଧରାପଡ଼ିବା ପରେ ଏକପ୍ରକାର ଇତିହାସ ହୋଇଯାଇଥିବା ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣା ପୁଣି ତାଜା ହୋଇ ଉଠିଛି।

୨୨ ବର୍ଷ ହେଲା ଜେଲରେ ଅଛି ଅଭିଯୁକ୍ତ ଟୁନିଆ ମହାନ୍ତି
୨୨ ବର୍ଷ ହେଲା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ ବାହାରେ ବୁଲୁଥିବା ବେଳେ ଅନ୍ୟତମ ଅଭିଯୁକ୍ତ କଟକ ସଦର ଥାନା ଶ୍ୟାମସୁନ୍ଦରପୁର ଅଞ୍ଚଳର ଟୁନିଆ ଓରଫ ଧୀରେନ୍ଦ୍ର ମହାନ୍ତି ୨୨ ବର୍ଷ ହେଲା ଜେଲରେ ଅଛି। ୨୦୧୬ରେ ତା’ର ଖଲାସ୍‌ ହେବାର ସମ୍ଭାବନା ଥିଲା। ଜେଲରୁ ମୁକୁଳିବା ପାଇଁ ମୋଟ ୨୪ ଜଣଙ୍କ ନାଁ ଦଣ୍ତ ସମୀକ୍ଷା ବୋର୍ଡକୁ ସୁପାରିଶ କରାଯାଇଥିଲା। ୧୯୯୯ ମସିହାରେ ଗିରଫ ହୋଇଥିବା ଧୀରେନ୍ଦ୍ର ୧୪ ବର୍ଷରୁ ଅଧିକ ସମୟ ଜେଲ୍‌ ଦଣ୍ତ ଭୋଗିଥିବାରୁ ତା’ ନାଁ ରାଜ୍ୟ ଦଣ୍ତ ସମୀକ୍ଷା ବୋର୍ଡକୁ ଚୌଦ୍ବାର ଜେଲ୍‌ର ତତ୍‌କାଳୀନ ଅଧୀକ୍ଷକଙ୍କ ପକ୍ଷରୁ ସୁପାରିଶ କରାଯାଇଥିଲା। କିନ୍ତୁ ୨୦୧୬ ନଭେମ୍ବର ୧୦ ତାରିଖରେ ବୋର୍ଡ ବୈଠକ ପରେ ତତ୍କାଳୀନ ଆଇନ ବିଭାଗ ସଚିବଙ୍କ ଆବାହକତ୍ବରେ ଗଠିତ ୬ ଜଣିଆ କମିଟି ଟୁନିଆକୁ ଜେଲ୍‌ରୁ ଖଲାସ କରିବାରେ ସମ୍ମତି ପ୍ରକାଶ କରି ନଥିଲେ। ସେବେଠାରୁ ଟୁନିଆ ଚୌଦ୍ବାର ଜେଲ୍‌ରେ ରହି ଆସିଛି।

ମୃତ୍ୟୁ ସାର୍ଟିଫିକେଟ୍‌ ପାଇଁ କସରତ
ବିବନ ପୁଣେରେ ଲୁଚି ରହିଥିବା ବେଳେ ଏପଟେ ତାକୁ ମୃତ ବୋଲି ଘୋଷଣା କରିବାକୁ ପରିବାର ଲୋକେ ଜୋର୍‌ଦାର୍‌ ଉଦ୍ୟମ ଜାରି ରଖିଥିଲେ। ଦୁଇ ପୁଅ ମୃତ୍ୟୁ ସାର୍ଟିଫିକେଟ୍‌ ପାଇଁ ଅନେକ ଉଦ୍ୟମ କରିଥିଲେ। ପୁଲିସ ସହିତ ଏଥିପାଇଁ ଯୋଗାଯୋଗ ବି କରିଥିଲେ। ଦୁଇ ପୁଅଙ୍କ ଏଭଳି ଉଦ୍ୟମ, ଘର ପଛ ପଟେ ସମାଧି ନିର୍ମାଣରୁ ଅନେକ ଲୋକ ବିବନର ମୃତ୍ୟୁ ହୋଇଯାଇଥିବା ବିଶ୍ବାସ କରିନେଇଥିଲେ।

ଡେବିଟ୍‌ କାର୍ଡ ରଖିଥିଲେ ଦୁଇ ପୁଅ
ବିବନ ଗଣଦୁଷ୍କର୍ମ ଘଟାଇବା ପରେ କଟକ ଆଖପାଖରେ ପ୍ରାୟ ୧୫ ଦିନ ରହିଥିଲା। ସେଠୁ ସେ ପୁଣେ ଚାଲିଯାଇଥିଲା। ସେଠାରେ ନିଜର ଜଣେ ସମ୍ପର୍କୀୟଙ୍କ ନିକଟରେ ଆଶ୍ରୟ ନେଇଥିଲା। ୨୦୦୭ରେ ମୁମ୍ବାଇ-ପୁଣେ ରାସ୍ତାରେ ଲୋନାଵାଲାରେ ଥିବା ଆମ୍ବି ଭ୍ୟାଲି ଚାଲିଯାଇଥିଲା। ସେଠାରେ ସେ ୨୦୧୧ରୁ ପାଣି ପାଇପ୍‌ ମିସ୍ତ୍ରି ଭାବେ କାମ କରୁଥିଲା। ପୁଣେରେ ଥିବା ବିବନର ସମ୍ପର୍କୀୟ ହିଁ ତାକୁ ଘର ଲୋକଙ୍କ ସହିତ ଯୋଗାଯୋଗ କରିବାରେ ସହଯୋଗ କରୁଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କ ମୋବାଇଲ୍‌ରୁ ବିବନ ଘର ଲୋକଙ୍କ ସହିତ ଯୋଗାଯୋଗରେ ଥିଲା। ବିବନ ସେଠାରେ ମାସକୁ ପ୍ରାୟ ୫୦ ହଜାର ଟଙ୍କା ରୋଜଗାର କରୁଥିବା ବେଳେ ନିଜ ଡେବିଟ୍‌ କାର୍ଡ ନରଣପୁରରେ ଥିବା ଦୁଇ ପୁଅଙ୍କୁ ଦେଇ ଦେଇଥିଲା। ଏମାନେ ଏଠୁ ଟଙ୍କା ଉଠାଉଥିଲେ। ବିବନ କିନ୍ତୁ ବାଲେଶ୍ବରରେ ଟ୍ରକ ଡ୍ରାଇଭର ଭାବେ କାମ କରୁଥିବା ଖବର ପାଇ ପୁଲିସ କିଛି ଦିନ ସେହି ତଥ୍ୟ ପଛରେ ଧାଇଁ ଥିଲା। କିନ୍ତୁ ପରବର୍ତ୍ତି ସମୟରେ ତାହା ମିଛ ବୋଲି ଜଣା ପଡିଥିଲା।

ବର୍ଷକ ତଳେ ଚିକିିତ୍ସାଧୀନ ଅବସ୍ଥାରେ ମରିଥିଲା ପଦିଆ
ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଅନ୍ୟତମ ଅଭିଯୁକ୍ତ ଚାଉଳିଆଗଞ୍ଜ ଥାନା ନୂଆବଜାର ଅଞ୍ଚଳର ପଦିଆ ଓରଫ ପ୍ରଦୀପ କୁମାର ସାହୁର ୨୦୨୦ ଫେବ୍ରୁଆରି ୨୪ ତାରିଖରେ ମୃୃତ୍ୟୁ ଘଟିଥିଲା। ଭୁବନେଶ୍ବର ଝାରପଡ଼ା ଜେଲ୍‌ରେ ଆଜୀବନ ସଜା କାଟୁଥିବା ପଦିଆ ଗଲା ‘ଫନି’ ସମୟରେ ଜେଲ୍‌ ପରିସରରେ ଏକ ବିଦ୍ୟୁତ ଖୁଣ୍ଟିରେ ଚଢ଼ି ମରାମତି କରୁଥିଲା। କିନ୍ତୁ ଖୁଣ୍ଟିକୁ ହଠାତ୍‌ କରେଣ୍ଟ ଆସିଯିବାରୁ ପଦିଆ ତଳକୁ ଖସି ପଡ଼ିଥିଲା। ତା’ର ଅଣ୍ଟା ତଳୁ ସବୁ ଅଙ୍ଗ ଅଚଳ ହୋଇଯାଇଥିଲା। ଗୁରୁତର ଅସୁସ୍ଥ ଅବସ୍ଥାରେ ଝାରପଡ଼ା ଜେଲ୍‌ ଭିତରେ ଥିବା ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସୁସ୍ଥ ନହେବାରୁ ଭୁବନେଶ୍ବର ଏମ୍‌ସ୍‌ରେ ଚିକିତ୍ସା କରାଯାଉଥିଲା। ପୁଣି ତାକୁ ଝାରପଡ଼ା ଜେଲ୍‌କୁ ଫେରାଇ ଅଣାଯାଇଥିଲା। ଠିକ୍‌ରେ ଖାଇ ପାରୁ ନଥିବା ବେଳେ ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ି ଯିବାରୁ ଖାଦ୍ୟନଳୀ ସାହାଯ୍ୟରେ ତାକୁ ଖାଦ୍ୟ ଦିଆଯାଉଥିଲା। ତା’ ସ୍ତ୍ରୀ ବାସନ୍ତୀ ସାହୁ ୨୦୨୦ ଫେବ୍ରୁଆରି ୩ ତାରିଖରେ ପୁଲିସ ଡିିଜି ଅଭୟଙ୍କୁ ଭେଟି ପଦିଆକୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ଦାବି କରିଥିଲେ। କିନ୍ତୁ ସେ ଝାରପଡ଼ା ହସ୍‌ପିଟାଲ୍‌ରେ ରହି ଚିକିତ୍ସିତ ହେଉଥିଲା। ବିଛଣାରେ ପଡ଼ି ରହିବାରୁ ବେଡ୍‌ସୋର‌୍‌ ହେଇଯାଇଥିଲା। ୨୦୨୦ ଫେବ୍ରୁଆରି ୨୦ ତାରିଖରେ ତାକୁ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହସ୍‌ପିଟାଲ୍‌ର ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଥିଲା।
ବିବନକୁ ଧରିବା ପାଇଁ ସିବିଆଇ ଘୋଷଣା କରିଥିଲା ୫୦ ହଜାର ଟଙ୍କା ପୁରସ୍କାର
ଭୁବନେଶ୍ବର ନୟାପଲ୍ଲୀରେ ରହୁଥିବା ଆଇଏଫ୍‌ଏସ୍‌ ଅଫିସରଙ୍କ ପତ୍ନୀ ଅଞ୍ଜନା ମିଶ୍ର ୧୯୯୯, ଜାନୁଆରି ୯ ତାରିଖ ରାତିରେ ସାମ୍ବାଦିକ ସୂତନୁ ଗୁରୁଙ୍କ ସହିତ ବାରଙ୍ଗ ରାସ୍ତାରେ ଏକ ଆମ୍ବାସାଡର୍‌ ଗାଡ଼ିରେ କଟକରୁ ଫେରିବା ବେଳେ ଏଭଳି ଘଟଣାର ଶିକାର ହୋଇଥିଲେ। ଏକ ମାମଲା ସ˚କ୍ରାନ୍ତରେ କଟକରେ ଥିବା ତାଙ୍କ ଓକିଲଙ୍କ ସହିତ ଆଲୋଚନା କରିବା ପାଇଁ ସେ ଯାଇଥିଲେ। ବାରଙ୍ଗ ରାସ୍ତାରେ ଏକ ଢାବାରେ ଖାଇ ସେମାନେ ପୁଣି ବାହାରିଥିଲେ। ବାରଙ୍ଗର ନିଛାଟିଆ ରାସ୍ତାର ସୁଯୋଗ ନେଇ ବିବନ, ପଦିଆ ଓ ଟୁନିଆ ସେମାନଙ୍କ ଗାଡିକୁ ଅଟକାଇ ଅଞ୍ଜନାକୁ ଅପହରଣ କରି ନେବା ସହିତ ନିଛାଟିଆ ଜାଗାକୁ ନେଇ ତାଙ୍କ ସାମ୍ବାଦିକ ବନ୍ଧୁଙ୍କ ସାମ୍‌ନାରେ ବାରମ୍ବାର ଗଣଦୁଷ୍କର୍ମ କରିଥିଲେ। ସେ କଟକ ମହିଳା ଥାନାରେ ଦୁର୍ବୃତ୍ତଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏତଲା ଆଧାରରେ ଦୁଇ ଅଭିଯୁକ୍ତ ପଦିଆ ଓରଫ ପ୍ରଦୀପ କୁମାର ସାହୁ ଓ ଟୁନିଆ ଓରଫ ଧୀରେନ୍ଦ୍ର ମହାନ୍ତିକୁ ୧୯୯୯, ଜାନୁଆରି ୨୬ ତାରିଖରେ ଗିରଫ କରିଥିଲା। ମାତ୍ର ସେବେଠାରୁ ବିବନ ଓରଫ ବିବେକାନନ୍ଦ ବିଶ୍ବାଳ ଫେରାର ହୋଇଯାଇଥିଲା। ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ସିବିଆଇ ୧୯୯୯ ଫେବ୍ରୁଆରି ୨୬ ତାରିଖରେ ଘଟଣାର ତଦନ୍ତ ଭାର ଗ୍ରହଣ କରିଥିଲା। ଫେରାର ବିବନକୁ ଧରାଇ ଦେଲେ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ସିବିଆଇ ପକ୍ଷରୁ ଘୋଷଣା କରାଯାଇଥିଲା।
ପରିବାର ଲୋକ ବିବନର ସମାଧି ତିଆରି କରିଥିଲେ
ବିବନକୁ ମୃତ ଦର୍ଶାଇବା ପାଇଁ ଯେତେ ସମ୍ଭବ ପରିବାର ଲୋକେ ଉଦ୍ୟମ କରିଥିଲେ। ଏମିତିକି ବିବନର ଏକ ସମାଧି ନିଜ ବାଡ଼ିରେ ପରିବାର ଲୋକେ କରିଥିଲେ। ସମାଧି ନିକଟରେ ଦୈନିକ ଫୁଲ ଦେଇ ପୂଜା କରୁଥିଲେ ବିବନର ସ୍ତ୍ରୀ। ଯଦିଓ ପୁଲିସ ମଝିରେ ମଝିରେ ତା ଘରକୁ ଯାଏ, କିନ୍ତୁ ବିବନର ଖୋଜ ଖବର ପାଏ ନାହିଁ। କୁହାଯାଉଛି ଯେ ବିବନ ବେଳେବେଳେ ଘରକୁ ରାତିରେ ଆସେ। ଦୁଇ ବର୍ଷ ତଳେ ସେ ଘରକୁ ଆସିଥିବା କୁହାଯାଉଛି। ବାରଙ୍ଗରେ ପ୍ରତ୍ୟେକ ବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ଅନୁଷ୍ଠିତ ହେଉଥିବା କାର୍ତ୍ତିକେଶ୍ବର ପୂଜା ଏବଂ ଗାଁ ଡ୍ରାମାକୁ ବି ଆସୁଥିବା କୁହାଯାଏ। ତାକୁ ନରଣପୁରର ନିର୍ଦ୍ଦିଷ୍ଟ କିଛି ଲୋକ ସୁରକ୍ଷା ଯୋଗାଇ ଦିଅନ୍ତି। କିନ୍ତୁ ଏ ସଂପର୍କରେ କିଛି ନିର୍ଦ୍ଦିଷ୍ଟ ସୂଚନା ଏଯାଏ ନଥିବା ବେଳେ ପୁଲିସ ଏହାକୁ ନେଇ ଖୋଳତାଡ଼ ଆରମ୍ଭ କରିଛି।
୨୦୨୦, ନଭେମ୍ବର ୧୯ରେ ପୁଲିସ କମିସନର ଟୁନିଆକୁ ଭେଟିବା ପରେ ଖୋଲି ଥିଲା ଫାଇଲ୍
୨୦୨୦, ନଭେମ୍ବର ୧୯ରେ ନୟାସଡ଼କ ଆଇଆଇଏଫ୍‌ଏଲ୍‌ ଶାଖାରୁ ଡକାୟତ ଘଟଣା ଦିନ ପୁଲିସ କମିସନର ଡକ୍ଟର ସୁଧା˚ଶୁ ଷଡ଼ଙ୍ଗୀ ଚୌଦ୍ବାର ସର୍କଲ ଜେଲ୍‌କୁ ଯାଇଥିଲେ। ସେଦିନ ସନ୍ଧ୍ୟାରେ ସେ ଜେଲରେ ଆଜୀବନ ସଜା କାଟୁଥିବା ଟୁନିଆ ମହାନ୍ତିକୁ ଭେଟିଥିଲେ। କମିସନର ଫେରାର ବିବନ ସମ୍ପର୍କରେ ତାକୁ ପଚରାଉଚରା କରିଥିଲେ। ଏବେ ବି ବିବନ ବାହାରେ ଥିବା ସେ ସୂଚନା ଦେଇଥିଲା। ଟୁନିଆଠୁ ଖବର ମିଳିବା ପରେ ପୁଲିସ ବିବନକୁ ଧରିବା ପାଇଁ ୨୨ ବର୍ଷ ତଳର ଫାଇଲ୍‌ ଘାଣ୍ଟି ଥିଲା।

ସମ୍ବନ୍ଧିତ ଖବର