ବାରଙ୍ଗ ଟ୍ରକ୍‌ ମାଲିକ ସଂଘର ଚେତାବନୀ, କଟକ-ଭୁବନେଶ୍ବରକୁ ବାଲି ଯୋଗାଣ ବନ୍ଦ ହେବ

ବାରଙ୍ଗର/ତ୍ରଶୂଳିଆ: ତହସିଲ ପ୍ରଶାସନର ଜୁଲମ ପ୍ରତିବାଦରେ କଟକ ଓ ଭୁବନେଶ୍ବରକୁ ବାଲି ପରିବହନ ବନ୍ଦ କରିବାକୁ ବାରଙ୍ଗ ଟ୍ରକ୍ ମାଲିକ ସଂଘ ଚେତାବନୀ ଦେଇଛି। ଆନନ୍ଦ ବଜାର ସ୍ଥିତ ବାରଙ୍ଗ ଟ୍ରକ୍ ମାଲିକ ସଂଘ ଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ନିଷ୍ପତ୍ତି ନିଆଯାଇଛି। ବାଲି ପରିବହନ କରୁଥିବା ଟ୍ରକଗୁଡ଼ିକୁ ଅଯଥାରେ ବାଟରେ ଅଟକାଇ ତହସିଲ ପ୍ରଶାସନ ୱାଇ ଫର୍ମ ଯାଞ୍ଚ ଆଳରେ ଅଟକ ରଖିବା ସହ ଜରିମାନା ଆଦାୟ କରି ହଇରାଣ ହରକତ କରୁଛି। ବାରଙ୍ଗ, ବାଙ୍କୀ, ଭୁବନେଶ୍ବର, କଟକ ସିଡିଏ, ଖୋର୍ଦ୍ଧା, ପ୍ରତାପ ନଗରୀର ୬ଟି ଟ୍ରକ ସଂଘର ମାଲିକମାନେ ଏଭଳି ହଇରାଣର ସମ୍ମୁଖୀନ ହେଉଛନ୍ତି। ତହସିଲ ପ୍ରଶାସନର ଏଭଳି ଜୁଲମ ସମ୍ପର୍କରେ ଗତ ୬ମାସ ତଳେ ଟ୍ରକ ମାଲିକ ସଂଘ ଧର୍ମଘଟ କରି ସମସ୍ତ ଗାଡ଼ି ବନ୍ଦ କରିଥିଲେ। ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ନେତୃତ୍ବରେ କଟକ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏନେଇ ଅବଗତ କରାଇଥିଲେ। ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ବରେ ମଧ୍ୟ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅବଗତ କରିଥିଲେ। ଟ୍ରକ ମାଲିକମାନଙ୍କ ସହ ଆଲୋଚନା କରି ଜିଲ୍ଲାପାଳ ମାନେ କହିଥିଲେ ୱାଇ ଫର୍ମ ଥିଲେ ସେ ଚୋରା ବାଲି ନୁହେଁ। ଯଦି ଫର୍ମରେ ତାରିଖ ଓ ସମୟ ସୀମା ପଡ଼ିଥିବ ତେବେ ୨୪ ଘଣ୍ଟା ଭିତରେ ବିଳମ୍ବ ହୋଇଥିଲେ ଫର୍ମକୁ କ୍ୟାନସେଲ କରି ଛାଡ଼ି ଦିଆଯିବ। ଏଥିପାଇଁ ଜରିମାନା କରାଯିବ ନାହିଁ। ହେଲେ ଏବେ ତାହା ହେଉନାହିଁ। ଏବେ ଯେଉଁ ତହସିଲ ଅଧିକାରୀମାନେ ବାଟରେ ଟ୍ରକ ଅଟକାଉଛନ୍ତି ସେମାନେ କିଛି ଶୁଣୁ ନାହାନ୍ତି। ବିଳମ୍ବ କାହିଁକି ହୋଇଛି କହି ୱାଇ ଫର୍ମକୁ ନେଇ ଯାଉଛନ୍ତି, ଫେରାଉ ନାହାନ୍ତି। ପଚାଶ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଜରିମାନା ଆଦାୟ କରାଯାଉଛି।

ଗାଡ଼ିମାଲିକମାନେ କହିଛନ୍ତି ଯେ, କରୋନା ସମୟରେ ସେମାନେ ଦୁର୍ଦ୍ଦିନରେ ଅଛନ୍ତି। ଦିନଜାକରେ ଦୁଇ ତିନି ହଜାର ଟଙ୍କା ଲାଭା ମିଳୁଛି କି ନାହିଁ, ସେଥିରେ କିସ୍ତି ଦେବା ସହ ବଞ୍ଚିବା କଷ୍ଟକର ହେଉଥିବା ବେଳେ ଏ ଜୁଲମ କଷ୍ଟଦାୟକ। ଋଣ କରି ଗାଡ଼ି କରିଥିବା ବେକାର ଯୁବକ ମାନେ ଅତ୍ୟାଚାରର ସମ୍ମୁଖୀନ ହେଉଛନ୍ତି। ନିକଟରେ ନନ୍ଦନକାନନ ପାଖରେ ରହିଥିବା ଏକ ଗାଡ଼ିରୁ ଭୁବନେଶ୍ବର ତହସିଲ ପ୍ରଶାସନ ୫୦୫୦୦ ଟଙ୍କା ଜରିମାନା ଆଦାୟ କରିଛନ୍ତି। ଟ୍ରକ ମାଲି ସଂଘର କର୍ମକର୍ତ୍ତା ମାନେ ଗାଡ଼ି ଥୁଆଯାଇଥିବା ପ୍ରମାଣ ଦେଇ କହିବା ସତ୍ତ୍ବେ ଅଧିକାରୀ ଶୁଣିଲେ ନାହିଁ। ଟ୍ରକ ମାଲିକମାନେ କେସ୍‌ କଲେ ମାସ ମାସ ଧରି ଗାଡ଼ିକୁ ପକାଇ ରଖି କ୍ଷତି ସହିବାକୁ ପଡ଼ିବ। ପରିବାର ପ୍ରିତିପୋଷଣ ସାଙ୍ଗକୁ ଋଣ ପରିଶୋଧ କରିବା କଷ୍ଟକର ହୋଇପଡିବ। ସେଥିଲାଗି ବାଧ୍ୟ ହୋଇ ଟ୍ରକମାଲିକ ମାନେ ଜରିମାନା ଦେଉଛନ୍ତି। ପ୍ରଶାସନର ଏଭଳି ଜୁଲମ ଟ୍ରକମାଲିକ ମାନଙ୍କ ପାଇଁ କଷ୍ଟଦାୟକ ହୋଇଛି। ପ୍ରଶାସନ ଟ୍ରକମାଲିକ ମାନଙ୍କ ପାଇଁ ୱାଇ ଫର୍ମର ବୈଧତା ୨୪ ଘଣ୍ଟା ଭିତରେ ନ ରଖିଲେ ବାଧ୍ୟ ହୋଇ ୬ଟି ଟ୍ରକ ମାଲିକ ସଂଘ ଅଗାମୀ ରବିବାର ବାରଙ୍ଗ ଟ୍ରକ ମାଲିକ ସଂଘ ଗୃହରେ ମିଳିତ ବୈଠକ କରି ସମସ୍ତ ମାଲିକ ମାନଙ୍କର ନିଜସ୍ବ ଗାଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେବେ ବୋଲି ସଂଘ ଚେତାବନୀ ଦେଇଛି। ସଭାପତି ବିଜୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକାରୀ ସଭାପତି ନିରଞ୍ଜନ ସାହୁ, ମୁଖ୍ୟ ଉପଦେଷ୍ଟା ହୈମବତୀ ନନ୍ଦନ ଚକ୍ରବର୍ତ୍ତୀ, ସମ୍ପାଦକ ରମେଶ ପାତ୍ର ଓ ସୁବାସ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର