ପୁନରୁଦ୍ଧାର ହେବ ବରବାରି ପୋଖରୀ, ସୁଧୁରିବ ଜାଗମରା ମଶାଣି

ରାସ୍ତା ମରାମତି, ସ୍ବାସ୍ଥ୍ୟ କେନ୍ଦ୍ର ଲୋଡ଼ା

ଭୁବନେଶ୍ବର: ଖଣ୍ଡଗିରିସ୍ଥିତ ବରବାରି ପୋଖରୀର ପୁନରୁଦ୍ଧାର କରାଯିବ। ପୋଖରୀର ଚତୁଃପାର୍ଶ୍ବରେ ଟାଇଲ୍‌ ବିଛାଯିବ। ସ୍ଥାନେ ସ୍ଥାନେ ପଥର ଚେୟାର ନିର୍ମିତ ହେବ। ଫୁଲ ଗଛ ସହ ଘାସ ଗାଲିଚା ବ୍ୟବସ୍ଥା ରହିବ। ଦୀର୍ଘ ବର୍ଷ ହେଲା ଅବହେଳିତ ହୋଇ ପଡ଼ିଥିବା ପୋଖରୀର ପୁନରୁଦ୍ଧାର ପାଇଁ ବିଏମସି ଏଥର ପଦକ୍ଷେପ ନେଇଛି। ଏଥିପାଇଁ ୧କୋଟି ୪୬ ଲକ୍ଷ ଖର୍ଚ ହେବ ବୋଲି କହିଛନ୍ତି ୬୩ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ରଘୁନାଥ ମହାନ୍ତି। ଦୀର୍ଘ ବର୍ଷ ହେଲା ପୋଖରୀଟି ଅବହେଳିତ ହୋଇ ପଡ଼ି ରହିଛି। ଦଳ ସହ ପୋଖରୀ ମଧ୍ୟରେ ଗଛ ଉଠିଯାଇଛି। ଚାରି ପାଖ ଅଳିଆରେ ପୋତି ହୋଇପଡ଼ିଛି। ତେଣୁ ପ୍ରବଳ ଖରା ଅନୁଭବ ହେବା ପୂର୍ବରୁ ଆପାତତଃ ଏହାର ପୁନରୁଦ୍ଧାର କାମ ଶେଷ ହୋଇଯିବ ବୋଲି ସୂଚନା ମିଳିଛି। ତେବେ ବିଡ଼ମ୍ବନା ଯେ କିଛି ବର୍ଷ ପୂର୍ବେ ଜାଗମରାରେ ଝର ପୋଖରୀର ପୁନରୁଦ୍ଧାର କରାଯାଇ ଥିଲେ ହେଁ ରକ୍ଷଣାବେକ୍ଷଣ ଅଭାବରୁ ତାହା ପୁନର୍ବାର ବିଗିଡ଼ିବାରେ ଲାଗିଛି। ଏଥିସହ ଜାଗମରା ଗ୍ରାମ ମଶାଣିର ବି ବିକାଶ କରାଯିବ। ଜାଗମରା ଧର୍ମବିହାର ଜଗନ୍ନାଥ ମନ୍ଦିର ନିକଟସ୍ଥ ମଶାଣି ଗଛଲଟାରେ ପରିପୂର୍ଣ୍ଣ ହୋଇଥିବାରୁ ଏହାକୁ ସଫେଇ ସହ ମଶାଣି ମଧ୍ୟରେ ବିଶ୍ରାମ ଗୃହ ନିର୍ମାଣ କରାଯିବ। ବିଏମସି ପକ୍ଷରୁ ଚଳିତ ବର୍ଷ ଏଥିପାଇଁ ଅର୍ଥ ମଞ୍ଜୁର ହୋଇଥିବା ବେଳେ ଟେଣ୍ଡର ହୋଇସାରିଛି। ତେଣୁ ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ମାତ୍ର ପ୍ରଶାସନିକ ଅବହେଳା କାରଣରୁ ଏହି ଅଞ୍ଚଳରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିଲେ ମଧ୍ୟ କା‌ହାରି ଦୃଷ୍ଟି ପଡ଼ୁ ନାହିଁ। ଦୁଇ ମାସ ତଳେ ସମ୍ପୃକ୍ତ ଅଞ୍ଚଳରେ ସ୍ବେରେଜ ଲାଇନ ପାଇଁ ରାସ୍ତା ଖୋଳାଯାଇଥିଲା। ସ୍ବରେଜ୍‌ କାମ ସରିବା ପରେ ସ୍ବେରେଜ ବୋର୍ଡ ଏଠାରେ ଆଉ ରାସ୍ତା ମରାମତି କଲା ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି। କେବଳ ସେତିକି ନୁହେଁ ଖଣ୍ଡଗିରି ଛକ ନିକଟରେ ଫନି ବେଳେ ଏକ ବିଦ୍ୟୁତ ଖୁଣ୍ଟି ଗଳି ପଡ଼ିଥିଲେ ହେଁ ତାହା ବି ଆଜି ପର୍ଯ୍ୟନ୍ତ ଉଠାଯାଇ ନାହିଁ। କିଛି ସ୍ଥାନରେ ଷ୍ଟ୍ରିଟ୍‌ ଲାଇଟ ଅଚଳ ହୋଇଯାଇଛି। ସେହିଭଳି ଖଣ୍ଡଗିରି ଓ ଉଦୟଗିରି ଭଳି ଐତିହ୍ୟ ସମ୍ପନ୍ନ ଜାଗା ରହିଥିଲେ ହେଁ ଏଠାରେ ଏକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଟିଏ ନାହିଁ। କିଛି ବର୍ଷ ପୂର୍ବରୁ ‌ଜାଗମରାର ଏକ ଯୁବ ସଂଘ ପରିସରରେ ସ୍ବାସ୍ଥ୍ୟକେନ୍ଦ୍ର ଚାଲୁଥିଲା। ମାତ୍ର ପରେ ଏହାକୁ ଉଠାଇ ନିଆଗଲା। ଏନେଇ ବହୁତ ଥର ଦାବି ହୋଇଥିଲେ ବି କେହି କର୍ଣ୍ଣପାତ କରୁନାହାନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର