ଧଉଳି: ଦିଲ୍ଲୀ, ପଞ୍ଜାବ ଓ ହରିଆଣାର ୬ ବାର୍ ଡ୍ୟାନ୍ସର୍ଙ୍କୁ ଗୃହବନ୍ଦୀ କରି ରଖିବା ମାମଲାରେ କମିସନରେଟ୍ ପୁଲିସ କଡ଼ା ପଦକ୍ଷେପ ଗ୍ରହଣ କରିଛି। ସୋମବାର ରାତିରେ କମିସନରେଟ୍ ପୁଲିସର ‘ହର୍’ ଟିମ୍ ସେମାନଙ୍କୁ ଉଦ୍ଧାର କରିଥିଲା। ଆଜି ଧଉଳି ଥାନା ପୁଲିସ କଟକରୋଡ୍ସ୍ଥିତ ‘ନଶା’ ବାର୍ ମାଲିକ ଶିବପ୍ରସାଦ ମହାନ୍ତି(୫୭) ଓ ବାର୍କୁ ଡ୍ୟାନ୍ସର୍ ଯୋଗାଉଥିବା ବ୍ରୋକର୍ ଜ୍ୟୋତିପ୍ରକାଶ ନାୟକ(୪୨)ଙ୍କୁ ଗିରଫ କରିଛି। ପ୍ରଲୋଭନ ଦେଖାଇ ଯୁବତୀମାନଙ୍କୁ ଶୋଷଣ କରୁଥିବା ଭଳି ସଂଗିନ୍ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ଖାରଜ ହେବାରୁ ଉଭୟଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। କମିସନରେଟ୍ ପୁଲିସର ଏଭଳି ପଦକ୍ଷେପ ଆଜି ରାଜଧାନୀର ଅନ୍ୟ ବାର୍ ମାଲିକଙ୍କ ସମେତ ଯୁବତୀ ଚାଲାଣରେ ନିଯୁକ୍ତ ବ୍ରୋକର୍ଙ୍କୁ ଛାନିଆ କରିଛି। ‘ହର୍’ ଟିମ୍ ପକ୍ଷରୁ ମିଳିଥିବା ସୂଚନାନୁସାରେ ସୋମବାର ରାତିରେ ଧଉଳି ଥାନା ମୃତ୍ୟୁଞ୍ଜୟବିହାର ଅଞ୍ଚଳର ଏକ ଫ୍ଲାଟ୍ରେ ୬ ଯୁବତୀଙ୍କୁ ବନ୍ଦୀ କରି ରଖାଯାଇଥିବା ଖବର ମିଳିଥିଲା। ବନ୍ଦୀ ଥିବା ଯୁବତୀମାନଙ୍କ ଭିତରୁ ଜଣେ କୌଶଳକ୍ରମେ ପୁଲିସ କଣ୍ଟ୍ରୋଲ୍ ରୁମ୍ ଜରିଆରେ ହର୍ ଟିମ୍କୁ ଯୋଗାଯୋଗ କରି ସେମାନଙ୍କୁ ଦିଆଯାଉଥିବା ନିର୍ଯାତନା ବାବଦରେ ଜଣାଇଥିଲେ।
ଏଥିସହିତ ସେମାନଙ୍କୁ ତୁରନ୍ତ ମୁକୁଳାଇବାକୁ ଅନୁରୋଧ କରିଥିଲେ। ତୁରନ୍ତ ହର୍ ଟିମ୍ ସେଠାରେ ପହଞ୍ଚି ୬ ଯୁବତୀଙ୍କୁ ଉଦ୍ଧାର କରି ଏକ ସେଲ୍ଟର୍ ହୋମ୍ରେ ରଖିଥିଲା। ପୁଲିସକୁ ସେମାନେ କହିଥିଲେ ଯେ ବ୍ରୋକର୍ ଜ୍ୟୋତିପ୍ରକାଶ ସେମାନଙ୍କୁ ଇଭେଣ୍ଟ ମ୍ୟାନେଜ୍ମେଣ୍ଟ ସଂସ୍ଥାରେ କାମ ଦେବ ବୋଲି ଚୁକ୍ତି କରି ଆଣିଥିଲା। ଏମିତିକି ସେମାନଙ୍କୁ ବିଭିନ୍ନ ନୃତ୍ୟ ପ୍ରଶିକ୍ଷଣ ଦେଇ ଇଭେଣ୍ଟ ମ୍ୟାନେଜ୍ମେଣ୍ଟରୁ ଭଲ ରୋଜଗାର କରାଇବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଭୁବନେଶ୍ବରରେ ପହଞ୍ଚିବା ପରେ ସେମାନଙ୍କୁ ଅନୈତିକ କାମରେ ନିୟୋଜିତ କରାଯାଇଥିଲା। ବ୍ରୋକର୍ ଜ୍ୟୋତି ସେମାନଙ୍କୁ ନେଇ ବାର୍ ମାଲିକ ଶିବଙ୍କ ସହ ସାକ୍ଷାତ କରାଇଥିଲେ। ପ୍ରଥମେ ସେମାନଙ୍କୁ ବାର୍ରେ କାମ କରିବାକୁ ପଡ଼ିବ ବୋଲି କୁହାଯାଇଥିଲା। କିନ୍ତୁ ଆସିବା ଦିନରୁ ସେମାନେ କେବଳ ବାର୍ରେ ହିଁ ଡ୍ୟାନ୍ସର ଭାବେ କାମ କରୁଥିଲେ। ଇଭେଣ୍ଟ ମ୍ୟାନେଜ୍ମେଣ୍ଟ କାମ ନ ପାଇ ସେମାନେ ଓଡ଼ିଶା ଛାଡ଼ି ଚାଲିଯିବେ ବୋଲି କହିଥିଲେ। ଏଥିସହିତ ଡ୍ୟାନ୍ସର୍ ଭାବେ ଯେତିକି ଦିନ କାମ କରିଛନ୍ତି, ତାହାର ପ୍ରାପ୍ୟ ମାଗିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଶିବ ଓ ଜ୍ୟୋତି ସେମାନଙ୍କୁ ନେଇ ଗୃହବନ୍ଦୀ କରି ରଖିଥିଲେ। ୩ ଦିନ ଗୃହବନ୍ଦୀ ହୋଇ ରହିବା ଭିତରେ ଶିବ ଓ ଜ୍ୟୋତି ସେମାନଙ୍କୁ ବିଭିନ୍ନ ଧମକ ଦେଇଆସୁଥିଲେ।