ବରିମୁଣ୍ଡ, ଜରିପାଟଣା ସଟ୍‌ଡାଉନ୍

ନିଆଳିରେ କରୋନା, ନରିଶୋ ସିଲ୍‌

ବାରଙ୍ଗ : ଆଜି ଭୁବନେଶ୍ବର ବ୍ଲକ ଅଧୀନ ବରିମୁଣ୍ଡ ପଞ୍ଚାୟତରୁ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଉକ୍ତ ୨୭ ବର୍ଷର ଯୁବକ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍‌ର କର୍ମଚାରୀ। ସେ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଞ୍ଚାୟତ ସରପଞ୍ଚ ବୀରେନ୍ଦ୍ର ଜେନାଙ୍କ ସହ ଯୋଗାଯୋଗ କରାଯାଇଥିଲା। ବିଡିଓଙ୍କ ସହ ପରାମର୍ଶ କରିବା ପରେ ସରପଞ୍ଚ ଶ୍ରୀ ଜେନା ବରିମୁଣ୍ଡ ଓ ଜରିପାଟଣା ଗାଁକୁ ୪୮ ଘଣ୍ଟା ପାଇଁ ସଟ୍‌ଡାଉନ୍ କରିଛନ୍ତି।

ନିଆଳିରେ କରୋନା, ନରିଶୋ ସିଲ୍‌
ବାଲିପାଟଣା : କଟକ ଜିଲ୍ଲା ନିଆଳି ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ତେଣୁ ନିଆଳିକୁ ଲାଗି ରହିଥିବା ବାଲିପାଟଣା ବ୍ଲକର ନରିଶୋ ପଞ୍ଚାୟତକୁ କରୋନା ସଂକ୍ରମଣ ଭୟ ଅଧିକ ରହିଛି। ଏହାକୁ ଦୃଷ୍ଟିରେ ରଖି ନରିଶୋ ପଞ୍ଚାୟତକୁ ସଟ୍‌ଡାଉନ୍‌ କରାଯାଇଛି। ବୁଧବାର ଅପରାହ୍ନରୁ ଶନିବାର ସକାଳ ପର୍ଯ୍ୟନ୍ତ ଏହି ପଞ୍ଚାୟତକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ଭାବେ ଘୋଷଣା କରାଯାଇଛି। ଶନିବାର ଓ ରବିବାର ସରକାରୀ ସଟ୍‌ଡାଉନ୍‌ ଥିବାରୁ ନରିଶୋ ପଞ୍ଚାୟତ ବୁଧବାରଠାରୁ ସୋମବାର ସକାଳ ପର୍ଯ୍ୟନ୍ତ ସିଲ୍‌ ହୋଇଛି ବୋଲି ସ୍ପଷ୍ଟ ହୋଇଛି।

ସରପଞ୍ଚ ସୀତାଂଶୁ କୁମାର ରାଉତ ଏହି ପଦକ୍ଷପ ନେଇଥିବାବେଳେ ଉକ୍ତ ପଞ୍ଚାୟତର ସମିତି ସଭ୍ୟ ଏବଂ ପଞ୍ଚାୟତ ସମିତି ଉପାଧକ୍ଷ କୈଳାସ ଚନ୍ଦ୍ର ସ୍ୱାଇଁ ମଧ୍ୟ ଏହାକୁ ସମର୍ଥନ ଜଣାଇଛନ୍ତି। ସେମାନଙ୍କ ସୂଚନା ଅନୁସାରେ ନରିଶୋ ପଞ୍ଚାୟତ ନିଆଳିର ଅତି ନିକଟରେ ରହୁଛି। ସେଠିକାର ବ୍ୟବସାୟୀମାନେ ଏହି ପଞ୍ଚାୟତକୁ ଆସି ବ୍ୟବସାୟ କରିବା ନିତିଦିନିଆ ଘଟଣା। ଫଳରେ ଏହି ବେପାରୀମାନେ ଉଭୟ ବ୍ଲକର ଜନସାଧାରଣଙ୍କ ସଂସ୍ପର୍ଶରେ ସବୁବେଳେ ଆସୁଛନ୍ତି। ନିଆଳିରେ ଏବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଏହି ବେପାରୀମାନଙ୍କ ଜରିଆରେ ନରିଶୋ ପଞ୍ଚାୟତକୁ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି। ତେଣୁ ଅନ୍ତତଃ ଏହି ସଟ୍‌ଡାଉନ୍‌ କରୋନା ଭୂତାଣୁ ଶୃଙ୍ଖଳକୁ ଭାଙ୍ଗିପାରିବ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର