ଖଣ୍ଡଗିରି: ବିଶ୍ବକପ ହକିରେ ମିଲେଟ୍ ଲଡ଼ୁ, ମଣ୍ଡା, କାକରା, ଆଳୁଚପ୍, ପକୁଡ଼ି ସହ ଭଳିକିଭଳି ସ୍ବାଦିଷ୍ଟ ଖାଦ୍ୟର ମଜା ଚଖାଉଛନ୍ତି ବରମୁଣ୍ଡାର ଗୃହିଣୀମାନେ। ୫୦ ହଜାର ଟଙ୍କା ନିବେଶ କରି ୫୦ ଜଣ ମହିଳା ମିଳିତ ଭାବେ ନିଜେ ଖାଦ୍ୟ ତିଆରିଠାରୁ ଆରମ୍ଭ କରି ପରିବହନ ଏବଂ ବିକ୍ରି କରୁଛନ୍ତି। ତ୍ରିଶକ୍ତି ମହିଳା ପରିଷଦ ବ୍ୟାନର୍ରେ ମିଲେଟ୍ ମିସନ ସହାୟତାରେ କଳିଙ୍ଗ ଷ୍ଟାଡିୟମ ପଡ଼ିଆରେ ତାଙ୍କର ଷ୍ଟଲ ରହିଛି।
ବରମୁଣ୍ଡାର ସଂଯୁକ୍ତା ଭୂତିଆ କହନ୍ତି, ୨୦୦୬ ମସିହାରେ ଟିଭିରୁ ମିସନ୍ ଶକ୍ତି ସମ୍ପର୍କରେ ଜାଣିବା ପରେ ତାଙ୍କ ସାହିର ୨୦ଜଣ ମହିଳା ମିଶି ନିଜ ଭିତରେ ଟଙ୍କା ସଂଗ୍ରହ କରି ବ୍ୟାଙ୍କରେ ଜମା କରିବା ସହିତ ତ୍ରିଶକ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଗଠନ କରିଥିଲେ। ଠିକ୍ ସେହି ସମୟରେ ବରମୁଣ୍ଡା ସ୍କୁଲ ମଧ୍ୟାହ୍ନଭୋଜନ ପରିଚାଳନା ପାଇଁ ଏସ୍ଏଚ୍ଜି ଖୋଜୁଥିଲେ। ଗ୍ରୁପ୍ରେ ସର୍ବସମ୍ମତି ନିଷ୍ପତ୍ତିକ୍ରମେ ସେମାନେ ନିଜ ଭିତରେ ଟଙ୍କା ସଂଗ୍ରହ କରି ୫୦ହଜାର ଅଗ୍ରିମ ଜମା ଦେବା ପରେ ବରମୁଣ୍ଡାସ୍ଥିତ ସ୍କୁଲ ମଧ୍ୟାହ୍ନ ଭୋଜନ ପରିଚାଳନା ଦାୟିତ୍ବ ସେମାନଙ୍କୁ ମିଳିଲା।
ଏହାପରେ ସେମାନଙ୍କ କାର୍ଯ୍ୟ ପରିଧି ବଢ଼ି ଚାଲିଲା ଏବଂ ୭୦ଜଣ ମହିଳା ସେମାନଙ୍କ ସହ ଯୋଡ଼ି ହେଲେ। ଅନେକ ନେତାଙ୍କ ସହଯୋଗରେ ନିଜସ୍ବ କାର୍ଯ୍ୟାଳୟ ଖୋଲିଲା। ୨୦୧୮ ମସିହାରେ ମିଲେଟ୍ ମିସନରେ ଯୋଡ଼ି ହେବା ପାଇଁ ଏସଏଚ୍ଜିଙ୍କୁ ପ୍ରଶିକ୍ଷଣ ଦିଆଯାଉଥିଲା। ସାମାଜିକ ସଙ୍ଗଠନ ୱାସନ୍ ପକ୍ଷରୁ ସେମାନଙ୍କୁ ମିଲେଟ୍ର ବିଭିନ୍ନ ଖାଦ୍ୟ ପ୍ରସ୍ତୁତିର ପ୍ରଶିକ୍ଷଣ ମିଳିଲା। ବାସ୍ ତା’ ପରେ ସେମାନେ ନିଜେ ପୂର୍ବରୁ ଯେଉଁ ଖାଦ୍ୟ ମଇଦା, ସୁଜିରେ ତିଆରି କରୁଥିଲେ, ତାହା ମିଲେଟ୍ରେ ତିଆରି କଲେ। ବର୍ତ୍ତମାନ ରାଜ୍ୟର ମିଲେଟ୍ ମିସନ୍ ସହ ସେମାନେ ସମ୍ପୂର୍ଣ୍ଣ ଭାବେ ଯୋଡ଼ି ହୋଇ ଯାଇଛନ୍ତି।