ଭୁବନେଶ୍ୱର: ଓଡ଼ିଆ ଭାଷା ଓ ସାହିତ୍ୟ ଏବେ ସଙ୍କଟଜନକ ସମୟ ଦେଇ ଗତି କରୁଛି। ଏହି ସଙ୍କଟରୁ ସାହିତ୍ୟକୁ ମୁକ୍ତି ଦେବା ପାଇଁ ଅନେକ ତର୍ଜମା ଓ ଆଲୋଚନାର ଆବଶ୍ୟକତା ରହିଛି। ସାହିତ୍ୟକୁ ବଞ୍ଚାଇବା ପାଇଁ ହେଲେ ସାହିତ୍ୟ ଓ ସଙ୍ଗୀତର ବିବାହ ଦରକାର। ସେମାନଙ୍କ ବିବାହ ହେଲେ ସାହିତ୍ୟର ବଂଶବୃଦ୍ଧି ସମ୍ଭବ। କାରଣ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ସଙ୍ଗୀତ ଏକ ମାଧ୍ୟମ। ଏହା ସାହାଯ୍ୟରେ ଜଣେ ସାଧାରଣରୁ ଅତି ସାଧାରଣ ଲୋକ ନିକଟରେ ପହଞ୍ଚିବାରେ ସକ୍ଷମ ହେବ ବୋଲି କହିଛନ୍ତି ‘ସମ୍ବାଦ’ର ସଂପାଦକ ତଥା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ। ଆରଏନ୍ଡି ଫ୍ୟାମିଲି ବେନିଫିଟ ଟ୍ରଷ୍ଟ ଓ ଟ୍ୟୁନ୍ ଓଡ଼ିଶାର ମିଳିତ ସହଯୋଗରେ ଜଣାଶୁଣା କବୟିତ୍ରୀ ନିର୍ମଳା ଦେବୀଙ୍କ ଲୋକପ୍ରିୟ କବିତାକୁ ନେଇ ପ୍ରସ୍ତୁତ ଏକ ମ୍ୟୁଜିକ ଆଲବମ୍କୁ ଆଜି ଉନ୍ମୋଚନ କରି ଶ୍ରୀ ପଟ୍ଟନାୟକ କହିଲେ, ଓଡ଼ିଆ ଭାଷାର ସଙ୍କଟ ଦୂର ହେବାର ମୂଳ ମଞ୍ଜିକୁ ବୁଝିବାକୁ ପଡ଼ିବ। ଆମର ବର୍ତ୍ତମାନର ପିଢ଼ି ଏବେ ଆମ ନିକଟରୁ ବହୁତ ଦୂରକୁ ଗଲେଣି, ସେମାନେ ଏବେ ଇଂରାଜୀ ସ୍କୁଲରେ ପଢୁଛନ୍ତି ଓ ଇଂରାଜୀରେ କଥା କହୁଛନ୍ତି। ଯଦି ଏହି ବର୍ତ୍ତମାନର ପିଢ଼ି ଓଡ଼ିଆ କହିପାରିବେନି କି ବୁଝି ପାରିବେ ନାହିଁ, ତା’ହେଲେ ଆମେମାନେ ନିଜ ଭାଷା ପାଇଁ କରୁଥିବା ଆନ୍ଦୋଳନ ସବୁ ମୂଲ୍ୟହୀନ ହୋଇପଡ଼ିବ। ସେଥିପାଇଁ ସାହିତ୍ୟ ଓ ସଙ୍ଗୀତ ମଧ୍ୟରେ ନିବିଡ଼ ସଂପର୍କ ସ୍ଥାପନ କରି ଏହାକୁ ଗୋଟିଏ ସୂତାରେ ବାନ୍ଧିବା ନିମନ୍ତେ ଏମିତି କିଛି କବିତାର ଆବଶ୍ୟକତା ରହିଛି। ନିର୍ମଳା ଦେବୀଙ୍କ କବିତାକୁ ତାଙ୍କ ନାତୁଣୀ ପଞ୍ଚମୀ ମାନୁ ଉକିଲ୍ ସଙ୍ଗୀତରେ ରୂପାୟନ କରିଥିବା ବେଳେ ମ୍ୟୁଜିକ ଆଲବମ୍ ‘ବର୍ଣ୍ଣରାଗ’ ପ୍ରସ୍ତୁତ କରିଛନ୍ତି କଣ୍ଠଶିଳ୍ପୀ ରତିକାନ୍ତ ଶତପଥୀ। ହୋଟେଲ୍ ନିଉ ମାରିଅନ୍ରେ ଆୟୋଜିତ ଆଜିର ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଶାସକ ଜେ. ପି. ଦାସ, ଆର. ଏନ୍. ଦାସ, ପ୍ରଦୋଷ ପଟ୍ଟନାୟକ ଓ ସାଗରିକା ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ‘ତୁମେ ବର୍ଣ୍ଣ-ବିହୀନ ପରା’, ଏତେ ବର୍ଣ୍ଣ ଯେ କାହୁଁ ଧରା?’ ଗୀତ ଆଜି ୟୁଟ୍ୟୁବ୍ରେ ରିଲିଜ୍ କରାଯାଇଛି। ଏଥିରେ ନବାଗତା ଅଭିନେତ୍ରୀ ସୁଧାଶ୍ରୀ ଅଭିନୟ କରିଥିବା ବେଳେ ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି ଜ୍ୟୋତିଶଙ୍କର ସିଂହ।
‘ଭାଷାର ଉନ୍ନତି ପାଇଁ ସାହିତ୍ୟ ଓ ସଙ୍ଗୀତର ବିବାହ ଲୋଡ଼ା’
ବର୍ଣ୍ଣରାଗ ସିଡି ଉନ୍ମୋଚିତ
/sambad/media/post_attachments/wp-content/uploads/2018/08/m16-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)