‘ଇଟିକିଲି ମିଟିକିଲି’ର ବର୍ଣ୍ଣାଳୀ : ନିଷ୍କପଟ ପିଲାଳିଆମି ହୃଦୟ ଜିଣେ

ଚନ୍ଦ୍ରଶେଖରପୁର : ଶିଶୁର ଅଳି ଅଝଟ, ପିଲାଳିଆମି ହେଉଛି ଈଶ୍ୱର ପ୍ରଦତ୍ତ ଏକ ଶ୍ରେଷ୍ଠ ଗୁଣ। କାରଣ ଏହା ହେଉଛି ସମ୍ପୂର୍ଣ୍ଣ ନିଷ୍କପଟ ଓ ନିର୍ଭେଜାଲ। ସଂସାରର ଅନ୍ୟମାନେ ମଧ୍ୟ ଏହି ପିଲାଳିଆମି ଗୁଣକୁ ଆପଣାଇବା ଆବଶ୍ୟକ। ଏକାମ୍ର ପୁସ୍ତକ ମହୋତ୍ସବର ନବମ ସନ୍ଧ୍ୟାରେ ଅନୁଷ୍ଠିତ ଇଟିକିଲି ମିଟିକିଲି ଆୟୋଜିତ ସଂଗୀତ, ନୃତ୍ୟ ଓ କବିତାର ବର୍ଣ୍ଣାଳୀ କାର୍ଯ୍ୟକ୍ରମରେ ଅତିଥିମାନେ ଏପରି ମତବ୍ୟକ୍ତ କରିଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠାନର ସଭାପତି ତଥା ବିଶିଷ୍ଟ ଶିଶୁ ସାହିତ୍ୟିକ ଦାଶ ବେନହୁରଙ୍କ ସଭାପତିତ୍ୱରେ ବ୍ୟଙ୍ଗ କବି ଜ୍ଞାନ ହୋତା, ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ସଂଘମିତ୍ରା ମିଶ୍ର, ବିଶିଷ୍ଟ ଗାଳ୍ପିକ ତଥା ପ୍ରଶାସକ ବିଜୟ ନାୟକ, ବିଜେପି ନେତା ଦିଲୀପ ମହାନ୍ତି ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଉପସ୍ଥିତ ଶିଶୁ ଓ ଅଭିଭାବକ ମାନଙ୍କୁ ଉତ୍ସାହଭରା ବକ୍ତବ୍ୟ ପ୍ରଦାନ କରିଥିଲେ। ଅନୁଷ୍ଠାନର ସମ୍ପାଦକ ଶରତ କୁମାର ନାୟକ ଗତ ତେଇଶ ବର୍ଷ ଧରି ଛୋଟ ଛୋଟ ପିଲାମାନଙ୍କୁ ସେମାନଙ୍କର ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ ନିମନ୍ତେ ଯୋଗାଇଦେଉଥିବା ମଞ୍ଚ ସମ୍ପର୍କରେ କହିିଥିଲେ। ଅର୍ଣ୍ଣବ, ଚିନ୍ମୟ, ପୁଣ୍ୟତା, ଶାଶ୍ୱତୀ, ତନୁଶ୍ରୀ, ଦିବ୍ୟାଶା, ସନ୍ତୋଷ ଓ ସିଦ୍ଧାନ୍ତ ପ୍ରମୁଖ କଣ୍ଠଶିଳ୍ପୀ ସଂଗୀତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶୁଭସ୍ମିତା ଦାସ ଉପସ୍ଥାପନା କରିଥିଲେ। ଚିତ୍ତ ମହାପାତ୍ର, ଅନୀତା ରଥ, ଜୟପ୍ରକାଶ ମିଶ୍ର, ପ୍ରବୀଣା ପରିଡ଼ା, ପ୍ରତିମା ମିଶ୍ର ଓ ପ୍ରିୟଦର୍ଶୀ ଶୁଭକାନ୍ତ ପ୍ରମୁଖ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର