ଆରମ୍ଭ ହେଲା ‘ବର୍ଣ୍ଣାଳୀ’

ଭୁବନେଶ୍ୱର: ରୁଦ୍ରାକ୍ଷ ଫାଉଣ୍ଡେସନ୍ ପକ୍ଷରୁ ନୃତ୍ୟ ଓ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ ବର୍ଣ୍ଣାଳୀର ତୃତୀୟ ସଂସ୍କରଣ ଆଜି ରବୀନ୍ଦ୍ର ମଣ୍ଡପଠାରେ ଉଦ୍‌ଘାଟିତ ହୋଇଯାଇଛି। ସନ୍ଧ୍ୟାରେ ଅତିଥି ଭାବେ ପ୍ରଫେସର ଗୁରୁ ରାମହରି ଦାସ, ଗୁରୁ ସ୍ନେହପ୍ରଭା ସାମନ୍ତରାୟ, ଗୁରୁ ଧନେଶ୍ୱର ସ୍ୱାଇଁ, ଫାଉଣ୍ଡେସନର ପ୍ରତିଷ୍ଠାତା ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁ, ଉତ୍ସବ ନିର୍ଦ୍ଦେଶକ ରୋହିତ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ସନ୍ଧ୍ୟାର ପ୍ରଥମ ଅଧିବେଶନରେ ଗୁରୁ ରଞ୍ଜନା ଗୌହରଙ୍କ ଦ୍ୱାରା ‘କୁରୁ ଯଦୁ ନନ୍ଦନ’ ପରିବେଷିତ ହୋଇଥିଲା। ଏହାପରେ ଲକ୍ଷ୍ମୀନାରାୟଣ ଜେନାଙ୍କ ଦ୍ୱାରା ଶିବ ସ୍ତୁତି, ରାଧା ଭବ ମାଧବ ଓ ତରାନା ପରିବେଷିତ ହୋଇଥିଲା। ପରେ ଶ୍ରୀପର୍ଣ୍ଣା ବୋଷ୍ ‘ବସନ୍ତ ପଲ୍ଲବୀ’ ଓ ‘ମୋ କ୍ରିଷ୍ଣାପୋରୀ’ ନୃତ୍ୟାଭିନୟ ପରିବେଷଣ କରିଥିଲେ। ଶେଷରେ ଫାଉଣ୍ଡେସନ୍ ପକ୍ଷରୁ ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁଙ୍କ ନୃତ୍ୟ ସଂଯୋଜନା, ଗୁରୁ ବିନୋଦ ବିହାରୀ ପଣ୍ଡାଙ୍କ ସଙ୍ଗୀତ ସଂଯୋଜନା ଓ ଗୁରୁ ବିଜୟ କୁମାର ବାରିକଙ୍କ ତାଳ ନିର୍ଦ୍ଦେଶନାରେ ‘ମହାକାଳୀ ସ୍ତୁତି’ ପରିବେଷିତ ହୋଇଥିଲା। ଏହି ଅବସରରେ ଗୁରୁ ମଇସୁର୍‌ ବି ନାଗରାଜଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଡ. ଶ୍ରୀନିବାସ ଘଟୁଆରୀ।

ସମ୍ବନ୍ଧିତ ଖବର