ଭୁବନେଶ୍ବର: ବାହାରେ ତାଲା, ଭିତରେ ମେଲା। ଜମୁଛି ମଦ ଆସର ଡିଜେ ତାଳେ ତାଳେ ମତୁଆଲା ହେଉଛନ୍ତି ଯୁବକ ଓ ଯୁବତୀ। ରଙ୍ଗ ବେରଙ୍ଗ ଆଲୁଅର ଲୁଚକାଳି ଭିତରେ ବାର୍ଗାର୍ଲ ନାଚୁଛନ୍ତି। ଏସବୁ ଚାଲୁଛି ଅନେକ ରାତିଯାଏ। ଯଦିଓ ନିର୍ଦ୍ଧାରିତ ୧୨ଟା ପର୍ଯ୍ୟନ୍ତ ବାର୍ ଖୋଲିବାର ନିୟମ ରହିଛି। ଯେଉଁମାନେ ଚାହିବେ, ସେମାନେ ଅବକାରୀ ବିଭାଗ ଠାରୁ ସ୍ବତନ୍ତ୍ର ଅନୁମତି ନେଇ ଅତିବେଶୀରେ ରାତି ୧.୩୦ ପର୍ଯ୍ୟନ୍ତ ବାର୍ ଖୋଲିପାରିବେ। ହେଲେ ଶନି ଓ ରବିବାର ଭଳି ଛୁଟି ଦିନରେ ରଙ୍ଗିନ ଆସରର ଅବଧି ଆହୁରି ଲମ୍ବି ଯାଉଛି। ଅଧିକାଂଶ ବାର୍ରେ ଗ୍ରାହକଙ୍କ ଖୁସି ପାଇଁ ଭୋର୍ ପର୍ଯ୍ୟନ୍ତ ମଦ ପରଷା ଯାଉଛି। ବାର୍ ଗାର୍ଲମାନଙ୍କୁ ନୃତ୍ୟ ଜାରି ରଖିବାକୁ ବାଧ୍ୟ କରାଯାଉଛି। କେତେକ ବାର୍ ମାଲିକ ଅବକାରୀ ବିଭାଗ ଓ କମିସନରେଟ୍ ପୁଲିସର ନିୟମ ବା ମାର୍ଗଦର୍ଶିକାକୁ ଫୁ’ କରି ରାଜଧାନୀରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର୍ ଚାଳାଉଛନ୍ତି।
ସହରରେ ୭୬ଟି ବାର୍ ଆଣ୍ଡ ରେସ୍ତୋରାଁ ଥିବାବେଳେ ୨୨ଟି ହୋଟେଲରେ ମଧ୍ୟ ବାର୍ ରହିଛି। ବାର୍ ବନ୍ଦ ସମୟ, ବାର୍ ଗାର୍ଲ ନିଯୁକ୍ତି, ଗ୍ରାହକଙ୍କ ସୁରକ୍ଷା ନେଇ ଯାହା ସବୁ ନିୟମ ରହିଛି, ସେସବୁକୁ ସହରର କ୍ବଚିତ୍ ବାର୍ ପାଳନ କରୁଛନ୍ତି। ଅଧିକାଂଶ ଖୋଲାଖୋଲି ଭାବେ ନିୟମ ଉଲ୍ଲଂଘନ କରି ଚାଲିଛନ୍ତି। ତେଣୁ ଡ୍ୟାନ୍ସରଙ୍କୁ ନିର୍ଯାତନା, ଗଣ୍ଡଗୋଳ, ଦାଦାଗିରି ଓ ଗ୍ରାହକଙ୍କୁ ଆକ୍ରମଣ ଆଦି ଅଭିଯୋଗ ନିୟମିତ ଆସିବାରେ ଲାଗିଛି। ବାର୍ ଯୋଗୁ ବଢ଼ୁଥିବା ଅପରାଧରେ ରୋକ ଲଗାଇବା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଚ ସୃଷ୍ଟି କରିଛି। କିଛି ମାସ ତଳେ ଅଶୋକନଗର ଅଞ୍ଚଳରେ ଥିବା ଏକ ବାର୍ରେ ଦୁଇଜଣ ଡ୍ୟାନ୍ସରଙ୍କୁ ପାରିଶ୍ରମିକ ବଦଳରେ ଅକଥନୀୟ ନିର୍ଯାତନା ଦିଆଯାଇଥିଲା। ସେମାନଙ୍କୁ ଭୋର ପର୍ଯ୍ୟନ୍ତ ନୃତ୍ୟ ପରିବେଷଣ କରିବାକୁ ବାଧ୍ୟ କରାଯାଇଥିଲା। ସେମାନେ ମାଲିକଙ୍କ କଥାରେ ରାଜି ନହେବାରୁ ନିସ୍ତୁକ ମାଡ଼ ମରାଯାଇଥିଲା। ଖାଲି ଏତିକି ନୁହେଁ ଗ୍ରାହକଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ କୁହାଯାଇଥିଲା। କୌଶଳ କ୍ରମେ ଦୁଇ ବାର୍ଗାର୍ଲ ସେଠାରୁ ଖସିଆସି କ୍ୟାପିଟାଲ୍ ଥାନାରେ ଅଭିଯୋଗ ପରେ ଘଟଣା ପଦାକୁ ଆସିଥିଲା। ରିପୋର୍ଟ ହୋଇନଥିବା ଏଭଳି ଅନେକ ଘଟଣା ରହିଛି ବୋଲି ଅଭିଯୋଗ ହୁଏ।
ନାଚୁଛନ୍ତି ୨୧ରୁ କମ୍ ବୟସର ଯୁବତୀ
ବାର୍ର ରଙ୍ଗିନ ଆଲୋକ ଓ ଉଚ୍ଚାଙ୍ଗ ସଙ୍ଗୀତର ତାଳେତାଳେ ବିଳମ୍ବିତ ରାତି ଯାଏଁ ଝୁମୁଛନ୍ତି ଗ୍ରାହକ।ଅଧିକାଂଶ ବାଣ୍ରେ ନାଚୁଥିବା ଯୁବତୀଙ୍କ ବୟସ ୨୧ ବର୍ଷରୁ କମ୍। ନିଶା ଚଢ଼ିବା ପରେ ନାଚୁଥିବା ବାର୍ ଗାର୍ଲଙ୍କ ଉପରେ ନକଲି ଟଙ୍କା ଉଡ଼ାଉଛନ୍ତି। କିଛିଦିନ ତଳେ ଅବକାରୀ ବିଭାଗ ପକ୍ଷରୁ ରାଜଧାନୀର ବାର୍ଗୁଡ଼ିକ ଉପରେ ଚଢ଼ଉ ବେଳେ ଏଭଳି ଘଟଣା ପଦାକୁ ଆସିଥିଲା। ବାର୍ରେ ନକଲି ଟଙ୍କା ଓ ୨୧ ବର୍ଷରୁ କମ୍ ଯୁବତୀ ନୃତ୍ୟ କରିପାରିବେ ନାହିଁ ବୋଲି ନିୟମ ରହିଥିଲେ ମଧ୍ୟ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ବିଳମ୍ବିତ ରାତି ଯାଏ ବେଆଇନ ଭାବେ ବାର୍ ଚଳାଇବା ପାଇଁ କେତେକ ବାର୍ମାଲିକ ବିଭିନ୍ନ ଗ୍ୟାଙ୍ଗ୍ର ସହାୟତା ନେଉଛନ୍ତି।
ରାତି ଅଧିଆ ଗୋଷ୍ଠୀ ସଂଘର୍ଷ
ରାତି ଅଧଯାଏ ବାର୍ ଭିତରେ ଯୁବକ ଯୁବତୀମାନେ ମତୁଆଲା ହୋଇ ବାର୍ରୁ ବାହାରି ବାହାରେ ଉତ୍ପାତ କରୁଛନ୍ତି, ବିଚ୍ ରାସ୍ତାରେ ଆତଙ୍କ ରଚୁଛନ୍ତି। ଗତମାସରେ କେଶୁରା ଅଞ୍ଚଳରେ ଥିବା ଏକ ବାର୍ରେ ପଶି କର୍ମଚାରୀଙ୍କୁ ହଣାକଟା ଘଟଣାରେ ବଡ଼ଗଡ଼ ଥାନା ପୁଲିସ ଜଣକୁ ଗିରଫ କରିଥିଲା। ପ୍ରତିଦିନ ଏଭଳି କିଛି ନା କିଛି ଘଟଣା ଘଟୁଛି। ଖାଲି ଏତିକି ନୁହେଁ; ବିଳମ୍ବିତ ରାତି ଯାଏ ବାର୍ ଖୋଲା ରହିବା ହିଁ ଅପରାଧୀମାନଙ୍କୁ ସୁହାଉଛି।
ନଜର ରଖିଛି ୩ ଟିମ୍, ଧରାପଡ଼ିଲେ ସମ୍ପୂର୍ଣ୍ଣ ବନ୍ଦ
ଅନ୍ୟପଟେ ଅବକାରୀ ଅଧିକାରୀ ଦେବାଶିଷ ପଟେଲ୍ କହିଛନ୍ତି ଯେ କେତେକ ବାର୍ ନିୟମ ଉଲ୍ଲଂଘନ କରିଥିଲେ। ସେଥିପାଇଁ ସେମାନଙ୍କୁ ନୋଟିସ୍ ମଧ୍ୟ କରାଯାଇଥିଲା। କିଛି ବାର୍କୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ଏହାଛଡ଼ା ୩ଟି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ସମସ୍ତ ବାର୍ ଉପରେ ନଜର ରଖାଯାଇଛି। ଟିମ୍ ରାତି ୩ଟା ପର୍ଯ୍ୟନ୍ତ କଡ଼ାକଡ଼ି ଯାଞ୍ଚ କରୁଛି। ଏମିତିକି ସନ୍ଦେହ ହେଲେ ବାର୍କୁ ଯାଇ ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରାଯାଉଛି। ଯଦି କୌଣସି ବାର୍ ନିୟମ ଉଲ୍ଲଂଘନ ନେଇ ନଜରକୁ ଆସେ ତେବେ ସମ୍ପୃକ୍ତ ବାର୍କୁ ପୂରା ବନ୍ଦ କରିଦିଆଯିବ ବୋଲି ସେ କହିଛନ୍ତି।