ଭୁବନେଶ୍ବର ସାଂସ୍କୃତିକ ପରିଷଦ’ର ବର୍ଷା ଉତ୍ସବ-୨୦୨୩

ମେଘ ବରଷିଲା ଟୁପୁରୁ ଟୁପୁରୁ...

ଭୁବନେଶ୍ବର: ମେଘ ବରଷିଲା ଟୁପୁରୁ ଟୁପୁରୁ କେଶୁର ମାଇଲା ଗଜା…, ରିମ୍‌ଝିମ୍‌ ରିମ୍‌ଝିମ୍‌ ବର୍ଷା ପାଣି…। ମଞ୍ଚରୁ ଭାସିଆସୁଥିଲା ଏଭଳି କିଛି ବର୍ଷାଦିନିଆ ସ୍ମୃତି ମଧୁର ସଂଗୀତ। ବର୍ଷା ଋତୁରେ ଏଭଳି ସଂଗୀତ ଉପସ୍ଥିତ ଦର୍ଶକଙ୍କୁ ଆନମନା କରିବା ସହ ବର୍ଷା ଦିନିଆ ସ୍କୃତି ସବୁକୁ ତାଜା କରି‌ ଦେଉଥିଲା। ଅବସର ଥିଲା ‘ଭୁବନେଶ୍ବର ସାଂସ୍କୃତିକ ପରିଷଦ’ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ସଂଗୀତ ଓ ନୃତ୍ୟ ଭିତ୍ତିକ କାର୍ଯ୍ୟକ୍ରମ ‘ବର୍ଷା ଉତ୍ସବ-୨୦୨୩’। ବର୍ଷା ସହ ଓତଃପ୍ରୋତଃ ଭାବେ ଜଡ଼ିତ ଥିବା ଏଭଳି ମନଛୁଆଁ ସଂଗୀତ ଆଜି ତରୁଣଠୁ ପ୍ରବୀଣ ସମସ୍ତଙ୍କୁ ଆହ୍ଲାଦିତ କରିଥିଲା।

ସେହିଭଳି ବର୍ଷା ସଂଗୀତର ନାଚ ମଧ୍ୟ ବେଶ ମନମୁଗ୍ଧକର ଥିଲା। ନୃତ୍ୟଶିଳ୍ପୀଙ୍କ ତାଳେ ତାଳେ ଦର୍ଶକ ଗାଉଥିଲେ, ନାଚୁଥିଲେ, ଝୁମିଥିଲେ। କଣ୍ଠଶିଳ୍ପୀ ଇରା ମହାନ୍ତି, ଦୀପକ୍‌ କୁମାର, ତାରିକ୍‌ ଅଜିଜ୍‌, ନରେଶ ନାରାୟଣ ଓ ଭାଗ୍ୟଶ୍ରୀ ମହାନ୍ତି ସଂଗୀତ ପରିବେଷଣ କରିଥିବାବେଳେ ଗିରୀଶ ମହାନ୍ତିଙ୍କ ଡ୍ୟାନ୍ସ ଗ୍ରୁପ୍‌ ନୃତ୍ୟ ପରିବେଷଣ କରିଥିଲେ। ସନ୍ଧ୍ୟାରେ ଭିନ୍ନକ୍ଷମ ଓ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ, ମେୟର୍‌ ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର ଅତିଥି ଭାବେ ଯୋଗ ଦେଇଥିଲେ। ଉପ ସଭାପତି ସମରେନ୍ଦ୍ର ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ସମ୍ପାଦକ ଦୀପକ ମହାପାତ୍ର, ସହ ସମ୍ପାଦକ ସୁରେଶ ବାରିକ ଓ କୋଷାଧ୍ୟକ୍ଷ ମନୋଜ ବେହେରା ମଞ୍ଚାସୀନ ଥିଲେ। ମାନସୀ ମିଶ୍ର ମଞ୍ଚ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର