ଚୁଲୁବୁଲି ସିଂହୀ ଶାବକ ‘ବର୍ଷା’କୁ ପୂରିଲା ବର୍ଷେ

ବାରଙ୍ଗ/ତ୍ରିଶୁଳିଆ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଚୁଲୁବୁଲି ସିଂହୀ ଶାବକ ‘ବର୍ଷା’କୁ ବର୍ଷେ ପୂରିଛି। ଜନ୍ମରୁ ମା’ ଯତ୍ନରୁ ବଞ୍ଚିତ ବର୍ଷା ବଞ୍ଚି ରହି ପ୍ରଥମ ବର୍ଷ ପୂରଣ କରିଥିବାରୁ ନନ୍ଦନକାନନରେ ଖୁସିର ଲହରି ଖେଳିଯାଇଛି। ଏଥିପାଇଁ ଆଜି ନନ୍ଦନକାନନ ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରସ୍ଥିତ ୧୮ ନମ୍ବର ଖୁଆଡ଼ରେ ବର୍ଷାର ପ୍ରଥମ ଜନ୍ମ ବାର୍ଷିକୀ ଉତ୍ସବକୁ ମହା ଧୁମ୍‌ଧାମ୍‌ରେ ଆୟୋଜନ କରାଯାଇଥିଲା। ଉପନିର୍ଦ୍ଦେଶକ ଡ. ସଂଜିତ୍‌ କୁମାର କେକ୍ କାଟି କର୍ମଚାରୀମାନଙ୍କୁ ବାଣ୍ଟିଥିଲେ ଓ ବର୍ଷାକୁ ମା’ ଭଳି ଯତ୍ନରେ ରଖିଥିବା ଜନ୍ତୁରକ୍ଷକମାନଙ୍କୁ ଛତା ଉପହାର ଦେଇଥିଲେ। ଏହି ଅବସରରେ ବର୍ଷାକୁ ଚିକେନ୍ ଖାଇବାକୁ ଦିଆଯାଇଥିଲା।

ସୂଚନାଯୋଗ୍ୟ, ବର୍ଷା ଥିଲା ସିଂହୀ ବିଜ୍‌ଲିର ପ୍ରଥମ ଗର୍ଭର ଛୁଆ। ସିଂହ ସମ୍ରାଟ୍‌ ଓ ବିଜ୍‌ଲିର ମିଳନରୁ ବର୍ଷା ଜନ୍ମ ନେଇଥିଲା। ବଡ଼ କଥା ହେଉଛି ୨୦୨୧ ଜୁଲାଇ ୨୧ରେ ବିଜ୍‌ଲି ଗର୍ଭରୁ ପର୍ଯ୍ୟାୟକ୍ରମେ ୪ଟି ଶାବକ ଜନ୍ମ ନେଇଥିଲେ। ଦୁଇଟି ଛୁଆ ମୃତ ଅବସ୍ଥାରେ ଜନ୍ମ ନେଇଥିବା ବେଳେ ଦୁଇଟି ବଞ୍ଚିଥିଲେ। ମାତ୍ର ପ୍ରଥମ ଗର୍ଭ ହୋଇଥିବାରୁ ମା’ ବିଜ୍‌ଲି ବଞ୍ଚିଥିବା ୨ ଛୁଆଙ୍କ ପାଖ ମାଡ଼ି ନଥିଲା। ସେମାନଙ୍କୁ ସ୍ତନ୍ୟପାନ କରିବାକୁ ସୁଯୋଗ ଦେଇନଥିଲା। ତେଣୁ ନନ୍ଦନକାନନ କର୍ତ୍ତୃପକ୍ଷ ୨ ଛୁଆଙ୍କୁ ବିଜ୍‌ଲି ପାଖରୁ ଅଲଗା କରି ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ନେଇ ଆସିଥିଲେ। ସେମାନଙ୍କୁ ବେବି ରିୟରିଂ ସେଣ୍ଟରରେ ରଖି ଯତ୍ନ ନିଆଯାଇଥିଲା। କିନ୍ତୁ ସେଠାରେ ଦୁଇ ଦିନ ପରେ ଗୋଟିଏ ଛୁଆ ମରିଯାଇଥିଲା ଓ ଏକୁଟିଆ ବଞ୍ଚି ରହିଥିଲା ବର୍ଷା। ପଶୁପାଳକ ପ୍ରଶାନ୍ତ ଗୌଡ଼ ଓରଫ୍ ପିଣ୍ଟୁ ଥିଲେ ବର୍ଷାର ମା’ବାପା ସବୁକିଛି। ପ୍ରଶାନ୍ତଙ୍କ କୋଳରେ ବଢ଼ିବାକୁ ଲାଗିଲା ବର୍ଷା। ପ୍ରଶାନ୍ତଙ୍କ ବାଦ୍‌ ଜନ୍ତୁରକ୍ଷକ ହରେକୃଷ୍ଣ ପଟ୍ଟନାୟକ, ଲକ୍ଷ୍ମଣ ମୁର୍ମୁ ଓ ସୁନୀଲ ସାମଲ ମଧ୍ୟ ବର୍ଷାର ସ୍ବତନ୍ତ୍ର ଯତ୍ନ ନେଉଥିଲେ। ତେଣୁ ସେମାନଙ୍କ ଉପଯୁକ୍ତ ଯତ୍ନରେ ବର୍ଷା ବଞ୍ଚି ଯାଇଥିଲା ଓ ଆଜି ପ୍ରଥମ ବର୍ଷରେ ପଦାର୍ପଣ କରିଛି। ସେ ଏବେ ବେଶ୍ ସୁସ୍ଥ ଅଛି ଓ ନିଜେ ଖାଦ୍ୟ ଗ୍ରହଣ କରିପାରୁଛି। ବର୍ଷା ଦିନରେ ଜନ୍ମ ହୋଇଥିବାରୁ ନନ୍ଦନକାନନ କର୍ତ୍ତୃପକ୍ଷ ତା’ର ନାଁ ରଖିଛନ୍ତି ବର୍ଷା। ଏବେ ନନ୍ଦନକାନନରେ ଏସୀୟ ସିଂହ ସଂଖ୍ୟା ୮, ଆଫ୍ରିକୀୟ ୭ ଓ ବର୍ଣ୍ଣଶଙ୍କର ଜାତୀୟ ସିଂହ ୧କୁ ମିଶାଇ ମୋଟ ୧୬ଟି ସିଂହ ଅଛନ୍ତି।

ସମ୍ବନ୍ଧିତ ଖବର