କର୍ମଯୋଗୀ ବସନ୍ତ ବିଶ୍ବାଳଙ୍କ ସ୍ମୃତିସଭା, ଉତ୍କଳର ଉଦୟରେ ଭାରତର ଉଦୟ

ଭୁବନେଶ୍ବର: ସତ୍ୟ, ‌ପ୍ରେମ, କରୁଣା ଓ ସମର୍ପଣର ଭୂମି ଉତ୍କଳ ପ୍ରଦେଶ। ଏହି ଭୂମି ସମଗ୍ର ବିଶ୍ବର ମାନବତାକୁ ପ୍ରତିନିଧିତ୍ବ କରେ। ତେଣୁ ଉତ୍କଳ ପ୍ରଦେଶର ଉଦୟରେ ହିଁ ଭାରତର ଉଦୟ। ଏହା କହିଛନ୍ତି, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। କର୍ମଯୋଗୀ ଦିବଙ୍ଗତ ବସନ୍ତ କୁମାର ବିଶ୍ବାଳଙ୍କ ଷୋଡ଼ଶ ଶ୍ରାଦ୍ଧଦିବସରେ ଆୟୋଜିତ ସ୍ମୃତିସଭାରେ ମୁଖ୍ୟ ଅତିଥି ଭାବେ ଯୋ‌ଗଦେଇ ପ୍ରଫେସର ଲାଲ୍‌ କହିଲେ, ଉତ୍କଳ ପ୍ର‌ଦେଶ ପ୍ରତି ସ୍ବର୍ଗତ ବିଶ୍ବାଳଙ୍କ ଭାବନା, ଚିନ୍ତନ ଓ ଆବେଗ ସମର୍ପିତ ଥିଲା।

ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଜଣେ କେତେ ସମୟ ରାଜନୀତିରେ ରହୁଛି, ଯେତିକି ବଡ଼ କଥା ନୁହେଁ, ସେଇ ଅଳ୍ପ ସମୟ ମଧ୍ୟରେ ସେ ଲୋକମାନଙ୍କ ପାଇଁ କେତେ କାମ କରୁଛି, ତାହା ଗୁରୁତ୍ବପୂର୍ଣ୍ଣ। ଯାହା ବସନ୍ତ ବିଶ୍ବାଳ ତାଙ୍କ ସ୍ବଳ୍ପ ରାଜନୀତି ସମୟ ମଧ୍ୟରେ କରିପାରିଥିଲେ। ବିଜୁ ବାବୁଙ୍କ ପରେ ଓଡ଼ିଶା ପାଇଁ ଆନ୍ତରିକତାର ସହ କାମ କରିବାରେ ସେ ଥିଲେ ଅନ୍ୟତମ ଜନନେତା। ପୂର୍ବତନ ମନ୍ତ୍ରୀ ସମୀର ଦେ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ବସନ୍ତ ବିଶ୍ବାଳ ଥିଲେ ଓଡ଼ିଶାର ବିକାଶ ପୁରୁଷ। ରିଂ ବନ୍ଧଠୁ ନେଇ ଇନ୍‌ଡୋର ଷ୍ଟାଡିୟମ, କଳିଙ୍ଗ ଷ୍ଟାଡିୟମ, ଓଡ଼ିଶାରେ ପ୍ରଥମ ଅଲିମ୍ପିକ୍‌ ଆସୋସିଏନ୍‌ ଆଦିରେ ତାଙ୍କର ମହତ୍ତ୍ବପୂର୍ଣ୍ଣ ଭୂମିକା ଥିଲା। ବିଧାୟକ ସୁରେଶ ରାଉତରାୟ ଅନ୍ୟତମ ଅତିଥି ଭାବେ ଯୋଗଦେଇ ବିକାଶର ସାରଥୀ ଭାବେ ସ୍ବର୍ଗତ ବିଶ୍ବାଳଙ୍କୁ ଅଭିହିତ କରିଥିଲେ। ଗୁରୁପଦ ନନ୍ଦ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ସ୍ତମ୍ଭକାର ତଥା ସାହିତ୍ୟିକ ଡ. ଧରଣୀଧର ପାଣିଗ୍ରାହୀ, ସମବାୟବିତ୍‌ ପ୍ରମୋଦ କୁମାର ସାହୁ, ସ୍କାଉଟ୍‌ ଗାଇଡ୍‌ ସଂଗଠକ ଧ୍ରୁବ ଚରଣ ପରିଡ଼ା ଏବଂ ୨୦୧୯ ମସିହାର ଅର୍ଜୁନ ପୁରସ୍କାର ବିଜେତା ପାରା ଆଥ୍‌ଲେଟ ପ୍ରମୋଦ ଭଗତ ଓ ୧୦ମ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଶିବ ପାଣିଙ୍କୁ ସମ୍ବର୍ଧିତ କରାଯାଇଥିଲା। ଉତ୍ସବରେ ବସନ୍ତ ବିଶ୍ବାଳଙ୍କ ଷୋଡ଼ଶ ଶ୍ରାଦ୍ଧ ବିଶେଷାଙ୍କ ଉନ୍ମୋଚିତ ହୋଇଥିଲା।

ସମ୍ବନ୍ଧିତ ଖବର