ଚନ୍ଦ୍ରଶେଖରପୁର: ଜୟଦେବବିହାରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ସିପିଆଇ(ଏମ୍)ର ୨୨ତମ ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ବରିଷ୍ଠ ନେତା ଜନାର୍ଦ୍ଦନ ପତି ଓ ସୁରେଶ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟରେ ବଢ଼ି ଚାଲିଥିବା ମହିଳା ହିଂସା, ଆଇନଶୃଙ୍ଖଳା ପରିସ୍ଥିତି, ଓଡ଼ିଶାରେ ସବୁ ଚାଷୀଙ୍କ ପାଖରୁ ସରକାରୀ ଦରରେ ଧାନ କ୍ରୟ କରିବା, ଭାଗଚାଷୀଙ୍କୁ ଚାଷୀର ମାନ୍ୟତା ପ୍ରଦାନ କରିବା ସହିତ ସମସ୍ତ ଭୂମିହୀନଙ୍କୁ ଚାଷ ଜମି, ଜଳସେଚନ, କାମ ଯୋଗାଣ ଉପରେ ଆଲୋଚନା କରାଯାଇଥିଲା। ରାଜ୍ୟରେ ସ୍ୱଳ୍ପ ମଜୁରୀ ଯୋଗୁଁ ପ୍ରତି ବର୍ଷ ଓଡିଶାରୁ ୨୦/୩୦ ଲକ୍ଷ ଯୁବକ ଯୁବତୀ କାମ ପାଇଁ ରାଜ୍ୟ ବାହାରକୁ ଚାଲିଯାଉଛନ୍ତି ବୋଲି ଏହି ସମ୍ମିଳନୀରେ କ୍ଷୋଭ ପ୍ରକାଶ ପାଇଥିଲା।
ରାଜ୍ୟରେ ସର୍ବନିମ୍ନ ମଜୁରୀ ୬୦୦ ଟଙ୍କା, ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ଅନୁଯାୟୀ ଜବ୍ କାର୍ଡଧାରୀଙ୍କୁ ୨୦୦ ଦିନ କାମର ଗ୍ୟାରେଣ୍ଟି ପ୍ରଦାନ, ସହରାଞ୍ଚଳରେ ଅନୁରୂପ ଯୋଜନା ପ୍ରଣୟନ କରି ରାଜ୍ୟର ବିକାଶ କରାଇବା ଭଳି ୧୫ଟି ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। ସମ୍ମିଳନୀର ଶେଷ ଦିନ ଗଞ୍ଜାମ ଜିଲ୍ଲା ସମ୍ପାଦକମଣ୍ଡଳୀ ସଦସ୍ୟ ବସନ୍ତ ନନ୍ଦଙ୍କ ଶେଷ ଦର୍ଶନ ପରେ ତାଙ୍କ ମରଶରୀର ବ୍ରହ୍ମପୁର ଯାଇ ସେଠାରେ ଭେଷଜ ବିଜ୍ଞାନର ଗବେଷଣା ନିମନ୍ତେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜର ଆନାଟୋମି ବିଭାଗକୁ ଦାନ କରାଯାଇଥିଲା। ସନ୍ତୋଷ ଦାସ, ପୁଷ୍ପା ଦାଶ, ଦୁଷ୍ମନ୍ତ ଦାସ, ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ନେଇ ଏକ ୩୦ ଜଣିଆ ରାଜ୍ୟ କମିଟି ନିର୍ବାଚିତ ହୋଇଥିଲା। ରାଜ୍ୟ କମିଟିର ସମ୍ପାଦକ ରୂପେ ଅଳି କିଶୋର ପଟ୍ଟନାୟକ ପୁନଃ ନିର୍ବାଚିତ ହୋଇଥିଲେ।