ଥିଲେ ଜଣେ ସ୍ବପ୍ନର ସୌଦାଗର…

ଭୁବନେଶ୍ବର : ‘ଯାହାକୁ ରଖିବେ ଅନନ୍ତ’ ମୁକ୍ତିଲାଭ ଦିନର ଘଟଣା। ଚଳଚ୍ଚିତ୍ରକୁ ଦର୍ଶକ ଗ୍ରହଣ କରିବେ ନା ନାହିଁ, ମୋ ମନ ଘାଣ୍ଟି ହେଉଥିଲା। ରାତି ୧୦ଟାରେ ବସନ୍ତ ନାୟକଙ୍କ ଫୋନ୍‌ ଆସିଲା। ମୁଁ ତାଙ୍କୁ ପଚାରିଲି, ଫିଲ୍ମକୁ ଦର୍ଶକେ ପସନ୍ଦ କଲେ ଟି? ସେ ଉତ୍ସୁକତାର ସହ କହିଲେ, ବହୁତ ପ୍ରଶଂସା ମିଳିଲା। ପ୍ରଥମଥର ପାଇଁ ଦର୍ଶକ ଭିଲେନ୍‌ର ସଂଳାପରେ ତାଳି ମାରିଲେ। ପୂରା ଓଡ଼ିଆ ସୋଲେ ତ…। ଜଣେ ପ୍ରଯୋଜକ ମୁହଁରୁ ଏ ପ୍ରକାର କଥା ଆଜି ବି ଭୁଲିପାରୁନାହିଁ। ଓଲିଉଡ୍‌ର ବେତାଜ ବାଦଶାହ ପ୍ରଯୋଜକ ବସନ୍ତ ନାୟକଙ୍କର ଗୁରୁବାର ୮୩ତମ ଜୟନ୍ତୀ ପାଳନ ହେବାକୁ ଯାଉଥିବା ବେଳେ ତାଙ୍କର ୧୨ଟି ଚଳଚ୍ଚିତ୍ର ଲେଖିଥିବା ବିଶିଷ୍ଟ କାହାଣୀ ଓ ନାଟ୍ୟକାର ବିଜୟ ମିଶ୍ର ବଖାଣିଛନ୍ତି ଏହି ଅବିସ୍ମୃତ ସ୍ମୃତି।

ପ୍ରଯୋଜକ ହୋଇଥିଲେ ହେଁ ସୁଟିଂ ସମୟରେ ସେ ନିଜେ ଯାଇ ନିଜ ଫିଲ୍ମ ୟୁନିଟ୍‌ର ଖାଦ୍ୟ ପ୍ରସ୍ତୁତି ପାଇଁ ମାର୍କେଟିଙ୍ଗ କରୁଥିଲେ। ମୋ ପାଇଁ ସେ ଅଲଗା ଏକ ଟିଫିନ୍‌ ନେଇ ସବୁବେଳେ ସୁଟିଂ ସେଟ୍‌କୁ ଆସୁଥିଲେ। ମୋ ପ୍ରତି ତାଙ୍କ ଭଲ ପାଇବା କେବେ ଭୁଲିପାରିବି ନାହିଁ ବୋଲି କହିଛନ୍ତି ଅଭିନେତା ସିଦ୍ଧାନ୍ତ ମହାପାତ୍ର। ଶ୍ରୀ ମହାପାତ୍ର କହିଛନ୍ତି ସେ ସିନେମାରେ ହିଁ ବଞ୍ଚୁଥିଲେ। ତାଙ୍କର ଦୂରଦୃଷ୍ଟି ଏତେ ବିଚକ୍ଷଣ ଥିଲା ଯେ, ‌‘ମୋ କୋଳ ତୋ ଝୁଲଣା’ ଚଳଚ୍ଚିତ୍ର ସରିବା ପରେ ସେ ଜଣେ ବ୍ୟକ୍ତିଙ୍କୁ କହିଥିଲେ ଏଇ ଚଳଚ୍ଚିତ୍ରରେ ଆପଣମାନେ ମୁନା (ସିଦ୍ଧାନ୍ତ ମହାପାତ୍ର)କୁ ଦେଖିବେ। ତେଣୁ ସେ ଫିଲ୍ମ ଭିତରେ ଏତେ ବୁଡ଼ି ରହୁଥିଲେ ଯେ ଫିଲ୍ମରେ କାହାର ଚରିତ୍ର ପ୍ରଭାବଶାଳୀ ହେବ ତାହା ଆଗରୁ ପରଖି ନେଉଥିଲେ।

ଟେକ୍ସଟାଇଲ୍‌ ଇଂଜିନିୟରରୁ ସାର ବ୍ୟବସାୟ। ଏ କ୍ଷେତ୍ରଗୁଡ଼ିକୁ ଆପଣେଇଥିଲେ ହେଁ ଫିଲ୍ମ ହୋଇଯାଇଥିଲା ତାଙ୍କର ଅବିଚ୍ଛେଦ୍ୟ ଅଙ୍ଗ। ବସିଲେ ସିନେମା, ଉଠିଲେ ବି ସିନେମା। ଖାଇଲେ ସିନେମା, ଶୋଇଲେ ବି ସିନେମା। ଯେମିତି ତାଙ୍କ ଶିରା ପ୍ରଶିରାରେ ସିନେମା ପ୍ରବାହିତ ହେଉଥିଲା। ସିନେମାକୁ ଯଦି କେହି ବ୍ୟବସାୟର ମାର୍ଗ ଦେଖାଇଥିଲା ତେବେ ସେ ଥିଲେ ବସନ୍ତ ନାୟକ। ଆଜି ସେ ନାହାନ୍ତି ସତ କିନ୍ତୁ ଓଡ଼ିଆ ଚଳଚ୍ଚିତ୍ରକୁ ଭେଟି ଦେଇ ଯାଇଛନ୍ତି ଅନୁଭବ ମହାନ୍ତି, ବାବୁସାନ ଓ ଅରିନ୍ଦମଙ୍କ ଭଳି ତାରକା।

ଓଡ଼ିଆ ଚଳଚ୍ଚିତ୍ର ‘ଯାଯାବର’ ଜରିଆରେ ସେ ଓଲିଉଡ୍‌କୁ ପ୍ରବେଶ କରିଥିଲେ। ୧୯୭୫ ମସିହାରେ ବ୍ରଜରାଜ ଫିଲ୍ମସ ସଂସ୍ଥା ପ୍ରତିଷ୍ଠା କରି ଯାଯାବର ଫିଲ୍ମ ମୁକ୍ତିଲାଭ କରାଇଲେ। ଏ ଫିଲ୍ମଟି ଏତେ ବ୍ୟବସାୟିକ ସଫଳତା ହାସଲ କଲା ଯେ ସବୁ ଛାଡ଼ି ଚଳଚ୍ଚିତ୍ର ଓ ଫିଲ୍ମ ବିତରଣ ବ୍ୟବସାୟରେ ମଗ୍ନ ହୋଇଗଲେ। ବ୍ରଜରାଜ ମୁଭିଜ୍‌ରେ ନିର୍ମାଣ କଲେ ‘ନାଗଫାଶ’। ୧୯୭୭ ମସିହାରେ ଫିଲ୍ମ ମୁକ୍ତିଲାଭ କରିବା ପରେ ସେ ଗୋଟେ ପରେ ଗୋଟେ ସଫଳ ଚଳଚ୍ଚିତ୍ର ଦେଇ ଚାଲି‌ଲେ। ଦଣ୍ଡା ବାଳୁଙ୍ଗା, ପକା କମ୍ବଳ ପୋତ ଛତା, ମା’, ବାଦଶାହା, ଲକ୍ଷେ ଶିବ ପୂଜି ପାଇଛି ପୁଅ, ମନ ରହିଗଲା ତୁମରିଠାରେ, ଯଶୋଦା, ଏ ଯୁଗର ‌କୃଷ୍ଣ ସୁଦାମା, ଆଇ ଲଭ ୟୁ, ବର୍ଷା ମାଇଁ ଡାର୍ଲିଙ୍ଗ, ପ୍ରେମୀ ନମ୍ବର ୱାନ, ମୁଁ ତତେ ଲଭ୍‌ କରୁଛି, ରୋମିଓ ଦି ଲଭରବୟ, ଡନ୍‌, ୱାନ୍‌ ଫୋର୍‌ ଥ୍ରି: ଆଇ ଲଭ୍‌ ୟୁ’ ଭଳି ୧୯ଟି ସଫଳ ବ୍ୟବସାୟିକ ଚଳଚ୍ଚିତ୍ର ଭେଟି ଦେଇ ଚଳଚ୍ଚିତ୍ର ବ୍ୟବସାୟର ନୂଆ ଧାରା ସୃଷ୍ଟି କଲେ। ରିଅଲ ଲାଇଫ୍‌ରେ ସେ ନାହାନ୍ତି, କିନ୍ତୁ ରିଲ୍‌ ଲାଇଫ୍‌ରେ ସେ ସବୁବେଳେ ଦର୍ଶକଙ୍କ ହୃଦୟରେ ରହିଛନ୍ତି ଆଉ ରହିଥିବେ…

ସମ୍ବନ୍ଧିତ ଖବର