ବସନ୍ତ ନାୟକ ମହୋତ୍ସବ: ବସନ୍ତଙ୍କ ନାମରେ ଦିଆଯାଉ ରାଜ୍ୟ ଚଳଚ୍ଚିତ୍ର ପ୍ରଯୋଜକ ପୁରସ୍କାର

ଭୁବନେଶ୍ବର,: ଫିଲ୍ମ ତ ଅନେକ କରିଛନ୍ତି, କିନ୍ତୁ ସେ ଥିଲେ ସିନେ ଜଗତର ନିଆରା ସୌଦାଗର। ଫିଲ୍ମ ତ ଅନେକ ପରଦାକୁ ଆସେ, କିନ୍ତୁ ଅପେକ୍ଷା ଥାଏ କେବେ ବ୍ରଜରାଜ ମୁଭିଜ୍‌ର ଚଳଚ୍ଚିତ୍ର ମୁକ୍ତିଲାଭ କରିବ। ଏହା ହିଁ ଥିଲା ପ୍ରଥିତଯଶା ଚଳଚ୍ଚିତ୍ର ପ୍ରଯୋଜକ ବସନ୍ତ ନାୟକଙ୍କ ସ୍ବତନ୍ତ୍ରତା। ତେଣୁ ସିନେ ଜଗତକୁ ଏତେ ଅବଦାନ ଦେଇଥିବା ଏହି ଚିତ୍ର ପୁରୁଷ ବସନ୍ତ ନାୟକଙ୍କ ନାମ ଅନୁସାରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦତ୍ତ ଶ୍ରେଷ୍ଠ ପ୍ରଯୋଜନା ସମ୍ମାନକୁ ବସନ୍ତ ନାୟକଙ୍କ ନାମରେ ପ୍ରଦାନ କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛି ବସନ୍ତ ନାୟକ ଫାଉ‌ଣ୍ଡେସନ୍‌। ଆଜି ଫାଉଣ୍ଡେସନ୍‌ ପକ୍ଷରୁ ଜୟଦେବ ଭବନରେ ଆୟୋଜିତ ‘ବସନ୍ତ ନାୟକ ମହୋତ୍ସବ’ ତଥା ବସନ୍ତ ନାୟକଙ୍କ ୮୩ତମ ଜୟନ୍ତୀରେ ପ୍ରଯୋଜକ ତଥା ବସନ୍ତ ନାୟକଙ୍କ ପୁତ୍ର ସଞ୍ଜୟ ନାୟକ କହିଥିଲେ, ବସନ୍ତ ନାୟକଙ୍କ ଅବଦାନକୁ ଦୃଷ୍ଟିରେ ରଖି, ତାଙ୍କ ଉପରେ ଡାକ ଟିକଟ ପ୍ରଚଳନ କରାଯାଉ। କଟକ ଓ ଭୁବନେଶ୍ବରରେ ତାଙ୍କର ପ୍ରତିମୂର୍ତି ସହ ପାର୍କ ଓ ସରଣୀର ନାମ ମଧ୍ୟ ତାଙ୍କ ନାମରେ ରଖିବାକୁ ନିବେଦନ କରାଯାଇଥିଲା।

ଏହି ଉତ୍ସବରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଅତିଥି ଭାବେ ଯୋଗଦେଇ କହିଲେ, ଓଡ଼ିଶାରେ ଅଧିକ ସଂଖ୍ୟାରେ ସିନେମା ହଲ୍‌ ହେଲେ ଓଡ଼ିଆ ସିନେମା ସମୃଦ୍ଧ ହୋଇପାରିବ। ଏ ଦିଗରେ ସେ ନିଜର ବ୍ୟକ୍ତିଗତ ସହଯୋଗ ଯୋଗାଇ ଦେବେ ବୋଲି କହିଥିଲେ। ପର୍ଯ୍ୟଟନ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଚଳଚ୍ଚିତ୍ର ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାରେ ମିଳିବାକୁ ଥିବା ବିଭିନ୍ନ ସୁବିଧାସୁଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତି, କ୍ୟାମେରାମ୍ୟାନ୍‌ ସୁରେନ୍ଦ୍ର ସାହୁ, ପୂର୍ବତନ ସାଂସଦ ତଥା ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ସମେତ ସିନେ ସାମ୍ବାଦିକ ସୂର୍ଯ୍ୟ ଦେଓ, ରମେଶ ବାରିକ, ହରପ୍ରସାଦ ମହାପାତ୍ର, ଉଲ୍ଲାସ ବେଉରା, ସଂଜୟ ମହାକୁଡ଼ ପ୍ରମୁଖ ମଞ୍ଚରେ ପ୍ରଦୀପ ପ୍ରଜ୍ବଳନ ସହ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।

ବସନ୍ତ ନାୟକ ସର୍ବଦା ନୂଆ ଅଭିନେତା ଅଭିନେତ୍ରୀଙ୍କୁ ସୁଯୋଗ ଦେଉଥିବାରୁ ସେଇ ଧାରାରେ ଚଳଚ୍ଚିତ୍ରକୁ ଆସୁଥିବା ନୂଆ ଅଭିନେତା ଅଭିନେତ୍ରୀଙ୍କୁ ଆସନ୍ତା ବର୍ଷରୁ ପୁରସ୍କୃତ କରାଯିବ ‌ବୋଲି ଫାଉଣ୍ଡେସନ୍‌ର ଟ୍ରଷ୍ଟି ସଞ୍ଜୟ ନାୟକ କହିଛନ୍ତି। ସଂକ୍ଷିପ୍ତ ସଭା ପରେ ତୃପ୍ତି ଦାସଙ୍କ କଣ୍ଠରେ ‘ଏ ଅଗଣା ଏ ଘର.. ଗୀତରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ ସନ୍ଧ୍ୟା। ପରେ ‘ବ୍ରହ୍ମରୁ ଶୁଭୁଛି ଶୁଣ ଓଁ ସାଇନାଦ..ଗୀତ ଗାଇଥିଲେ ଟି ସୌରୀ। ଏଥିସହ ଲୁବୁନ-ଟୁବୁନଙ୍କ ନୃତ୍ୟ ସଂଯୋଜନାରେ ଆହାନା, ଅଙ୍କିତା, ନିକିତା ନୃତ୍ୟ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ବ୍ରଜରାଜ ମୁଭିଜ୍‌ ମାଧ୍ୟମରେ ଚଳଚ୍ଚିତ୍ର ଦୁନିଆକୁ ଆସିଥିବା ଲୋକପ୍ରିୟ ତାରକାମାନଙ୍କୁ ସମ୍ବର୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର