ବସନ୍ତ ଶତପଥୀ ସ୍ମାରକୀ ବକ୍ତୃତା, ‘ଲେଖକକୁ ମାରିଦିଏ ମହତ୍ତ୍ବାକାଂକ୍ଷା’

ଭୁବନେଶ୍ୱର : ଗଳ୍ପରେ ବଞ୍ଚି ରହେ କଥାକାର। ମହତ୍ତ୍ବାକାଂକ୍ଷା ଗାଳ୍ପିକକୁ ମାରିଦିଏ। ମହତ୍ବାକାଂକ୍ଷା ହେଲେ ଅହଂକାର ଆସିବ, ଅହଂକାର ଆସିଲେ ସେ ପ୍ରତିଦ୍ବନ୍ଦ୍ବିତା କରିବ, ପ୍ରତିଦ୍ବନ୍ଦ୍ବିତା କଲେ ଅସହିଷ୍ଣୁତା ଆସିବ। ଯାହା ଗାଳ୍ପିକ ପାଇଁ ଘୋର ବିପଦ ସୃଷ୍ଟି କରିବ। ବସନ୍ତ ଶତପଥୀ ଏଭଳି ଜଣେ ଲେଖକ ଯିଏ କାହା ସହ କେବେ ପ୍ରତିଦ୍ବନ୍ଦ୍ବିତା କରି ନଥିଲେ। ଭୟଙ୍କର କଥାକୁ ସେ ଅତି ସରଳ ଭାଷାରେ ଉପସ୍ଥାପନ କରୁଥିଲେ। ଆଜି ସନ୍ଧ୍ୟାରେ ଭାରତୀୟ ବିଦ୍ୟାଭବନ ପରିସରରେ ପକ୍ଷୀଘର ପ୍ରକାଶନୀ ପକ୍ଷରୁ ଆୟୋଜିତ ଗାଳ୍ପିକ ବସନ୍ତ ଶତପଥୀଙ୍କ ୧୦୬ ତମ ଜୟନ୍ତୀ ଅବସରରେ ‘ବସନ୍ତ ଶତପଥୀ ସ୍ମାରକୀ ବକ୍ତୃତା’ ପ୍ରଦାନ ଅବସରରେ ଏଭଳି କହିଥିଲେ କବି ହରପ୍ରସାଦ ଦାସ।

ଏହି ଅବସରରେ ବସନ୍ତ ଶତପଥୀଙ୍କ ଆତ୍ମଜୀବନୀ ‘ମନେପଡ଼େ’ର ଦ୍ବିତୀୟ ସଂସ୍କରଣ ଲୋକାର୍ପିତ ହୋଇଥିଲା। ଏହାକୁ ଉନ୍ମୋଚନ କରିଥିଲେ ବିଶିଷ୍ଟ ଗାଳ୍ପିକ ତଥା ‘କଥା’ର ସମ୍ପାଦକ ଗୌରହରି ଦାସ। ଉନ୍ମୋଚନ ଅବସରରେ ସେ କହିଥିଲେ, ବସନ୍ତ ଶତପଥୀ ତାଙ୍କର ଆତ୍ମଜୀବନୀକୁ ଉପନ୍ୟାସ ଢଙ୍ଗରେ ଲେଖିଛନ୍ତି। ଏଥିରେ ଫକୀର ମୋହନଙ୍କର ‘ବ୍ୟଙ୍ଗ’ ଗୋପୀନାଥ ମହାନ୍ତିଙ୍କ ‘ବିସ୍ତାରତା’ ରହିଛି। ନିରୀହ ‌େଶୖଶବର କୌତୂହଳ ସହ ତାଙ୍କ ସମୟର ବିଶିଷ୍ଟ ଘଟଣାବଳୀର ପୁଙ୍ଖାନୁପୁଙ୍ଖ ବର୍ଣ୍ଣନା ରହିଛି। ମୟୂରଭଞ୍ଜ ଗଡ଼ଜାତ ମିଶ୍ରଣର କଥା ହେଉ ବା ଷଢ଼େଇକଳା ଖରସୁଆଁର କଥା, ‘ମଡ଼ା ଚଣ୍ଡିଆ ଦାନ’ କଥା ହେଉ ବା ମାଟ୍ରିକ୍‌ ପାସ୍‌ କଲା ବେଳେ ରାଜାଙ୍କଠାରୁ ୨୫୦ ମୋହର ପାଇବା କଥା, ଏ ସବୁ ନିଶ୍ଚୟ ପାଠକର ମନକୁ ଛୁଇଁବ। ହାସ୍ୟରସରେ ଗମ୍ଭୀର କଥାକୁ ସେ ଅତି ସହଜରେ ଉପସ୍ଥାପନ କରିଛନ୍ତି। ଝିଅ ଥର୍ମୋମିଟର ଚୋବାଇଦେବା ସହ ତାଙ୍କର ଅନେକ ଦୁଃଖ ସେଥିରେ ପ୍ରତିଫଳିତ ହୋଇଛି, କିନ୍ତୁ ଦୁଃଖ ଭିତରେ ହସାଇବାର କଳାକୁ ସେ ଭୁଲି ନାହାନ୍ତି। ଶେଷରେ ସାହିତ୍ୟ ତାଙ୍କ ଜୀବନକୁ ସାର୍ଥକ କରିଛି ବୋଲି ସେ ଲେଖିଛନ୍ତି।

ବନୋଜ ତ୍ରିପାଠୀ ସ୍ବାଗତ ଭାଷଣ ଦେଇଥିବା ବେଳେ ନାଟ୍ୟକାର ଅନନ୍ତ ମହାପାତ୍ର ସଭାପତିତ୍ବ କରିବା ସହ ଶେଷରେ ଏକ ଗଳ୍ପ ପାଠ କରିଥିଲେ। ସଂକଳକ ତଥା ବସନ୍ତ ଶତପଥୀଙ୍କ ପୁଅ ସୁମନ୍ୟୁ ଶତପଥୀ ମଞ୍ଚାସୀନ ଥିଲେ। ବୀଣାପାଣି ପାଣିଗ୍ରାହୀ, ସୁଷମା ଶତପଥୀଙ୍କ ସମେତ ଶତାଧିକ ସାହିତ୍ୟପ୍ରେମୀ ଏଥିରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର