ଭୁବନେଶ୍ବର : ବିଶିଷ୍ଟ ସାମ୍ବାଦିକ ବସନ୍ତ ଦାସଙ୍କ ଦୀର୍ଘ ସଫଳ ସାମ୍ବାଦିକତା ଜୀବନକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଆଜି ହୋଟେଲ୍ ସ୍ବସ୍ତି ଗ୍ରାଣ୍ଡ୍‌ରେ ଅନୁଷ୍ଠିତ ହୋଇଛି ‘ଅଶୀରେ ବସନ୍ତ ଉତ୍ସବ’। ଅଶୀରେ ବସନ୍ତ ଉତ୍ସବ କମିଟି ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ୮୦ଟି ବସନ୍ତକୁ ଅତିକ୍ରମ କରିଥିବା ବସନ୍ତ ଦାସଙ୍କୁ ‘ସାମ୍ବାଦିକ ଶିରୋମଣି’ ସମ୍ମାନରେ ସମ୍ମାନିତ କରାଯାଇଛି।

Advertisment

ବିଶିଷ୍ଟ ଜନନେତା ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ବସନ୍ତ ବାବୁ ସାମ୍ବାଦିକତା ଜୀବନ କାଳ ମଧ୍ୟରେ ନିରପେକ୍ଷ ଓ ନିର୍ଭୀକ ସାମ୍ବାଦିକତା କରିଥିଲେ। ମାତ୍ର କାହାର ବ୍ୟକ୍ତିଗତ ଜୀବନକୁ ନେଇ କେବେ କୁତ୍ସାରଟନା କରି ନ ଥିଲେ। ତେଣୁ ସେ ସବୁ ରାଜନୈତିକ ଦଳ ଓ ସବୁ ବର୍ଗ ଦ୍ବାରା ଗ୍ରହଣୀୟ ଥିଲେ। ବହୁ ରାଜନୈତିକ ଇତିହାସ ସମ୍ପର୍କିତ ତଥ୍ୟ ଦେବାରେ ମଧ୍ୟ ତାଙ୍କର ଭୂମିକା ଥିଲା। ସେ ପରର ଅନିଷ୍ଟ ଚିନ୍ତା କରୁ ନ ଥିବାରୁ ଏ ପର୍ଯ୍ୟନ୍ତ ସୁସ୍ଥ ଜୀବନଯାପନ କରି ଆସୁଛନ୍ତି ବୋଲି କହିଥିଲେ।

ବିଶିଷ୍ଟ ଭାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକ ଶ୍ରୀ ଦାସଙ୍କ ଉଦ୍ଦେଶ୍ୟରେ ଆଶୀର୍ବଚନ ରଖିଥିଲେ। ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଡ. ବିମଳେନ୍ଦୁ ମହାନ୍ତି କହିଲେ, ଅନ୍ୟମାନେ ସ୍ନାତକ ପରେ ଚାକିରି ଖୋଜୁଥିଲେ ହେଁ ସେଇ ସମୟରେ ବସନ୍ତ ବାବୁ ସାମ୍ବାଦିକତାକୁ ବୃତ୍ତି କରି ସମାଜ ପାଇଁ କିଛି କରିବାକୁ ଆଗଭର ହୋଇଥିଲେ। ଏଥିସହ ଏ କ୍ଷେତ୍ରରେ ଲୋକପ୍ରିୟତା ମଧ୍ୟ ଅର୍ଜନ କରିପାରିଥିଲେ। ‘ସମ୍ବାଦ’ର ସମ୍ପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ସଭାରେ ପୌ‌ରୋହିତ୍ୟ କରି କହିଲେ, ବସନ୍ତ ବାବୁ ୮୦ବର୍ଷର କାଳଖଣ୍ଡର ମାଲିକ। ପରାଧୀନ ଭାରତରେ ଜନ୍ମ ନେବା ସହ ସ୍ବାଧୀନତା ସଂଗ୍ରାମରୁ ଅନୁପ୍ରାଣିତ ହୋଇ ସେ ଏବେ ବି ଗାନ୍ଧୀ ଆଦର୍ଶକୁ ବଜାୟ ରଖି ଖଦଡ଼ ପିନ୍ଧୁଛନ୍ତି। ତେଣୁ ବସନ୍ତ ବାବୁଙ୍କୁ ସମ୍ବର୍ଧନା ଦେବାର ଅର୍ଥ ସାମ୍ବାଦିକ ବୃତ୍ତି ଓ ଗାନ୍ଧୀ ଆଦର୍ଶକୁ ସମ୍ବର୍ଧନା। ତେଣୁ ବସନ୍ତ ବାବୁଙ୍କ ଆତ୍ମଜୀବନୀ ସ୍ବତନ୍ତ୍ର ଦସ୍ତାବିଜ୍‌ ଭାବେ ଆବଶ୍ୟକତା ରହିଛି।

ଏହି ସମ୍ବର୍ଧନା ସଭାରେ ସ୍ବାଗତ ଭାଷଣ ରଖିଥିଲେ ବିଦ୍ବାନ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର। ଶେଷରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ଆରମ୍ଭରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ଉପସ୍ଥିତ ରହି ଆଶୀର୍ବାଦ ଦେଇଥିଲେ। ଉତ୍ସବରେ ବସନ୍ତ ଦାସଙ୍କ ଉପରେ ୮୧ଟି ଆଲେଖ୍ୟକୁ ନେଇ ପ୍ରସ୍ତୁତ ଅଭିନନ୍ଦନିକା ‘ଅଶୀରେ ବସନ୍ତ’ ଲୋକାର୍ପିତ ହୋଇଥିଲା। ବିଶିଷ୍ଟ ଜନନେତା ନିରଂଜନ ପଟ୍ଟନାୟକ, ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ସଂଗୀତଜ୍ଞ ପ୍ରଫୁଲ୍ଲ କର, ବିଜୟ ମହାପାତ୍ର, ପଞ୍ଚାନନ କାନୁନ୍‌ଗୋ, ଜଗନ୍ନାଥ ପଟ୍ଟନାୟକ, ଡାକ୍ତର ଜଗନ୍ନାଥ ମହାପାତ୍ର, ଡ. ଭଗବାନ ପ୍ରକାଶ, ପ୍ରାକ୍ତନ ପ୍ରଶାସକ ସଂଜୀବ ଚନ୍ଦ୍ର ହୋତା, ଡି.କେ ରାୟ, ଡ. ବଦ୍ରିନାଥ ପଟ୍ଟନାୟକଙ୍କ ସମେତ କିଛି ସଂଗଠନ ଓ ବ୍ୟକ୍ତିବିଶେଷ ଉପସ୍ଥିତ ରହି ଶ୍ରୀ ଦାସଙ୍କୁ ସମ୍ବର୍ଧନା ଜଣାଇବା ସହ ଦୀର୍ଘାୟୁ କାମନା କରିଥିଲେ।