ବାଲିଅନ୍ତା : ୬ କରୋନା ପଜିଟିଭ୍‌ ଚିହ୍ନଟ, ବସନ୍ତପେଡ଼ି ସିଲ୍‌

ବାଲିଅନ୍ତା : ବାଳକାଟି ଫାଣ୍ଡି ଅନ୍ତର୍ଗତ ବସନ୍ତପେଡ଼ି ଗାଁରେ ଚଳିତ ସପ୍ତାହରେ ୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତେଣୁ ଗୋଷ୍ଠୀ ସଂକ୍ରମଣ ହେବା ପୂର୍ବରୁ ପ୍ରତାପଶାସନ ସରପଞ୍ଚ ଭାଗ୍ୟଧର ନନ୍ଦୀ ଜିଲ୍ଲା ଓ ବ୍ଲକ ପ୍ରଶାସନର ପରାମର୍ଶକ୍ରମେ ଆଜି ଅପରାହ୍ନରେ ଉକ୍ତ ଗାଁକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଛନ୍ତି। ବୁଧବାର ସକାଳ ୭ଟା ଠାରୁ ୩ ଦିନ ପାଇଁ ଅର୍ଥାତ୍‌ ୧ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ଗାଁକୁ ସିଲ୍‌ କରାଯାଇଛି। ଏହି ଅବଧି ମଧ୍ୟରେ କେହି ଗାଁ ବାହାରକୁ ଯାଇପାରିବେ ନାହିଁ କିମ୍ବା ବାହାର ଲୋକ ଗାଁ ଭିତରକୁ ପ୍ରବେଶ କରିପାରିବେ ନାହିଁ। ଆବଶ୍ୟକ ରାସନ ସାମଗ୍ରୀ ତଥା ସ୍ବାସ୍ଥ୍ୟ ସେବା ପାଇଁ ଲୋକମାନେ ସରପଞ୍ଚ କିମ୍ବା ପଞ୍ଚାୟତ ଅଧିକାରୀଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କରିପାରିବେ ବୋଲି ପରାମର୍ଶ ଦିଆଯାଇଛି। ଲୋକମାନଙ୍କ ଯାତାୟାତକୁ ନିୟନ୍ତ୍ରଣ କରିବା ଲାଗି ପ୍ରମୁଖ ରାସ୍ତାରେ ବାଉଁଶବାଡ଼ ବନ୍ଧା ଯାଇଛି ।

ସୂଚନାନୁସାରେ ଗତ ସପ୍ତାହରେ ଏହି ଗାଁର ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେ କୋଲକାତାରେ ବସ୍‌ ଚାଳକଭାବେ କାମ କରନ୍ତି। ବସ୍‌ ଚାଳକଙ୍କ ପରିବାରର ୩ ଝିଅଙ୍କ ସମେତ ଅନ୍ୟ ସଦସ୍ୟମାନଙ୍କର ସ୍ବାବ୍‌ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ କୋଭିଡ୍‌ ହସ୍ପିଟାଲକୁ ପଠାଯାଇଥିଲା। ଏହି ୩ ଝିଅଙ୍କ ସ୍ବାବ୍‌ ପରୀକ୍ଷା ରିପୋର୍ଟ ପଜିଟିଭ୍‌ ବୋଲି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ସେହିପରି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ପାଥୋଲାବ୍‌ କରିଥିବା ଟେକ୍‌ନିସିଆନଙ୍କ(ବସନ୍ତପେଡ଼ି ଗାଁର) ସ୍ବାବ୍‌ ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଥିବା ସୂଚନା ମଳିଛି। ଏହି ଗ୍ରାମର ଜଣେ ଠିକାଦାରଙ୍କ ପତ୍ନୀଙ୍କ ସ୍ବାବ୍‌ ନମୁନା ରିପୋର୍ଟ ମଧ୍ୟ ଆଜି ପଜିଟିଭ୍‌ ବୋଲି ଜଣାପଡ଼ିବା ପରେ ତାଙ୍କୁ କୋଭିଡ୍‌ ହସ୍ପିଟାଲକୁ ପଠାଯାଇଛି। ତେଣୁ କେବଳ ସିଲ୍‌ ନୁହେଁ, ବ୍ଲକ ପ୍ରଶାସନ ଏହି ଗ୍ରାମକୁ ସାନିଟାଇଜ୍‌ କରିବା ପାଇଁ ଦାବି ହେଉଛି।

ସମ୍ବନ୍ଧିତ ଖବର