ଭୁବନେଶ୍ବର: ଉତ୍କଳ ସଂସ୍କୃତ ବିଶ୍ବବିଦ୍ୟାଳୟରେ ଶିକ୍ଷା, ସାହିତ୍ୟ ଓ ସଂସ୍କୃତିଭିତ୍ତିକ କାର୍ଯ୍ୟକ୍ରମ ବସନ୍ତ ସମାରୋହ ‘ବାସନ୍ତିକା’ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ନାଟକ ବିଭାଗର ଅଧ୍ୟାପକ ତଥା ଅଭିନେତା ଚୌଧୁରୀ ଜୟପ୍ରକାଶ ଦାସ ଓ ଗଜେନ୍ଦ୍ର ନାୟକ ସ୍ବର୍ଗତ ମହାନ୍ତିଙ୍କ ସ୍ମୃତିଚାରଣ କରିଥିଲେ। କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମୁଖ୍ୟଅତିଥି ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ୟାମାମଣୀ ଦେବୀ ଯୋଗଦେଇ ବସନ୍ତ ଋତୁ ସହ ସଙ୍ଗୀତର ନିବିଡ଼ତା ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ବିଶିଷ୍ଟ ଚିତ୍ରଶିଳ୍ପୀ ଜଗଦୀଶ ଚନ୍ଦ୍ର କାନୁନ୍‌ଗୋ ଓଡ଼ିଶାର ପାରମ୍ପରିକ ଦୃଶ୍ୟକଳାରେ ପ୍ରକୃତିର ପ୍ରଭାବ ଓ ଓଡ଼ିଶାର ଗ୍ରାମ୍ୟ ପରିବେଶରେ ଏହି ଋତୁର ପ୍ରତିଫଳନ ହୋଇଥିବା ମତ ଦେଇଥିଲେ। ମୁଖ୍ୟବକ୍ତା ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଉତ୍ତମା ବସନ୍ତ ଋତୁ ବର୍ଣ୍ଣନାରେ ଓଡ଼ିଆ ସାହିତ୍ୟର ବିଭିନ୍ନ ଯୁଗ କେଉଁଭଳି ଋଦ୍ଧିମନ୍ତ ସେ ସମ୍ପର୍କରେ ଆଲୋଚନା କରିଥିଲେ। 

Advertisment

କୁଳସଚିବ ଅନାମିକା ଅଧିକାରୀ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଦୃଶ୍ୟକଳା ବିଭାଗ ପକ୍ଷରୁ ବସନ୍ତ ଋତୁ ସହିତ ସ୍ବର୍ଗତ ଉତ୍ତମ ମହାନ୍ତିଙ୍କ ସହ ଜଡ଼ିତ କିଛି ସ୍ମୃତିଚିତ୍ରକୁ ନେଇ ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀକୁ ଅତିଥିମାନେ ଉଦ୍‌ଘାଟନ କରିଥିଲେ। ପରେ ଅଂଶଗ୍ରହଣକାରୀ ଯୁବ ଚିତ୍ରଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କବିତା ପାଠୋତ୍ସବରେ ଅଧ୍ୟାପକ ଅଜୟ କୁମାର ବିଶ୍ବାଳ, ଅଞ୍ଜନ କୁମାର ସାହୁ, ରାକେଶ କୁମାର ପୃଷ୍ଟି, ଅଧ୍ୟାପିକା ସନ୍ଧ୍ୟାରାଣୀ ମଲ୍ଲିକ, ଶର୍ମିଷ୍ଠା ଷଡ଼ଙ୍ଗୀ ଓ ଶିବାନୀ ଜେନା ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ।  ଅଧ୍ୟାପକ ଜ୍ଞାନରଞ୍ଜନ ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲା ବେଳେ ସ୍ନାତକୋତ୍ତର ବିଭାଗ ମୁଖ୍ୟ ଚକ୍ରଧର ବେହେରା ଧନ୍ୟବାଦ ଦେଇଥିଲେ। ଧୀରଜ କୁମାର ମହାପାତ୍ର, ଆଶିଷ ମହାପାତ୍ର ଓ ନୀଳାଦ୍ରି କଲ୍ୟାଣ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।