ଶିକ୍ଷୟିତ୍ରୀଙ୍କ ପରଲୋକ

ଭୁବନେଶ୍ବର : ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ବସନ୍ତଲତା ପଟ୍ଟନାୟକଙ୍କର ୮୫ ବର୍ଷ ବୟସରେ ସୂର୍ଯ୍ୟନଗରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। କଟକରେ ଜନ୍ମିତ ବସନ୍ତଲତା କଟକ ରେଭେନ୍ସା ବାଳିକା ବିଦ୍ୟାଳୟରୁ ଶିକ୍ଷକତା ଆରମ୍ଭ କରି ୨ ନମ୍ବର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ଉପପ୍ରଧାନ ଶିକ୍ଷୟିତ୍ରୀ ଥିଲେ। ୧୯୬୮ ମସିହାରେ ସ୍ଥାପିତ ୧ ନମ୍ବର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା ଏବଂ ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟ ରହିଥିଲେ। ସ୍ବର୍ଗତ ଆଶୁତୋଷ ପଟ୍ଟନାୟକଙ୍କ ସହଧର୍ମିଣୀ ବସନ୍ତଲତା ଶେଷରେ ଏସ୍‌ସିଇଆର୍‌ଟିର ପରାମର୍ଶଦାତା ଭାବେ କାର୍ଯ୍ୟ କରି ଅବସର ନେଇଥିଲେ। ଶିକ୍ଷକତା ସହ ଶିଶୁ ଓ ବୟସ୍କଙ୍କ ପାଇଁ କିଛି ଉପାଦେୟ ପୁସ୍ତକ ରଚନା କରିଥିଲେ। ମୃତ୍ୟୁ ବେଳେ ତାଙ୍କ ପୁତ୍ରବଧୂ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଅରୁଣା ମହାନ୍ତି ପାଖରେ ଉପସ୍ଥିତ ଥିଲେ। ଏକମାତ୍ର ପୁତ୍ର ଶିଳ୍ପପତି ଦେବାଶିଷ ପଟ୍ଟନାୟକ ଲଣ୍ଡନରେ ଥିବାରୁ ତାଙ୍କର ଶେଷକୃତ୍ୟ ଆସନ୍ତାକାଲି ସତ୍ୟନଗର ଶ୍ମଶାନରେ ହେବା ନେଇ ସ୍ଥିର ହୋଇଛି।

ସମ୍ବନ୍ଧିତ ଖବର