ଝିଅ ପାଇଁ ନ୍ୟାୟ ମାଗିଲେ ବାପା, ମା’

ବେସିକ୍‌ ସାଇନ୍ସ କଲେଜ ଛାତ୍ରୀଙ୍କୁ ପ୍ରଫେସରଙ୍କ ନିର୍ଯାତନା ଘଟଣା

ଭୁବନେଶ୍ୱର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ଅଧୀନ ବେସିକ ସାଇନ୍ସ କଲେଜରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ନିର୍ଯାତନା ଘଟଣା ନୂଆ ମୋଡ଼ ନେଇଛି। କୁଳପତି ପ୍ରଫେସର ପ୍ରଭାତ ରାଉଳଙ୍କ ଦ୍ବାରା ଗଠିତ ତଦନ୍ତ କମିଟି ଆଜି ଅଭିଯୁକ୍ତ ପ୍ର‌ଫେସରଙ୍କୁ ଡାକି ପଚରାଉଚରା କରିଛି। ଘଟଣାର ସତ୍ୟତା ବିଷୟରେ ଜାଣିବା ଲାଗି କମିଟି ଉଦ୍ୟମ କରିଥିବା ବେଳେ ଅଭି‌ଯୁକ୍ତ ପ୍ରଫେସର ଜଣକ ନିଜର ସୁରକ୍ଷା ଲାଗି ଅଣ୍ଟା ଭିଡ଼ିଛନ୍ତି। ନିଜେ ରାତି ଅଧରେ ଛାତ୍ରୀମାନଙ୍କୁ ମେସେଜ୍‌ ପଠାଇ ନ ଥିବା ସଫେଇ ଦେଇଛନ୍ତି। ଭୁଲ୍‌ରେ ମେସେଜ୍‌ ପଳାଇ ଯାଇଥିବା କହିଛନ୍ତି। ତା’ପରେ ବି କମିଟିର ସଦସ୍ୟମାନେ ଅଭିଯୁକ୍ତ ପ୍ରଫେସରଙ୍କ କଥାକୁ ବିଶ୍ବାସକୁ ନେଇନାହାନ୍ତି। ବରଂ ଘଟଣାର ସତ୍ୟାସତ୍ୟ ଜାଣିବା ଲାଗି ଅଧିକ ଖୋଳତାଡ଼ ଜାରି ରଖିଛନ୍ତି।

ଅଭିଯୁକ୍ତଙ୍କୁ ତଦନ୍ତ କମିଟିର ପଚରାଉଚରା
ଘଣ୍ଟ ଘୋଡ଼ାଇବାକୁ ଚାଲିଛି ଚକ୍ରାନ୍ତ

ଅନ୍ୟପକ୍ଷରେ ନିର୍ଯାତନାର ଶିକାର ହୋଇଥିବା ଛାତ୍ରୀ ଜଣକ ବୌଦ୍ଧ ଜିଲ୍ଲାର ବୋଲି ଜଣାପଡ଼ିଛି। ଛାତ୍ରୀଙ୍କ ବାପା, ମା’ ଆଜି ଭୁବନେଶ୍ବରରେ ପହଞ୍ଚି କଲେଜ କର୍ତୃପକ୍ଷଙ୍କୁ ସାକ୍ଷାତ କରିଛନ୍ତି। କଲେଜ ନିର୍ଦେଶକ ଚୌଧୁରୀ ସୂର୍ଯ୍ୟକାନ୍ତ ମିଶ୍ରଙ୍କୁ ଭେଟି ଝିଅ ପାଇଁ ନ୍ୟାୟ ଭିକ୍ଷା କରିଛନ୍ତି। ପ୍ରଫେସର ଜଣକ କେଉଁଭଳି ଭାବେ ମେସେଜ୍‌ କରୁଥିଲେ, ତାଙ୍କ ଆଚରଣ ଓ ଉଚ୍ଚାରଣ କିଭଳି ରହିଥିଲା ସେବିଷୟରେ କହିଛନ୍ତି। ବୌଦ୍ଧ ଭଳି ଏକ ଉପାନ୍ତ ଜିଲ୍ଲାରୁ ଆସି ଆମ ଝିଅ ଭବିଷ୍ୟତର ସ୍ବପ୍ନ ଦେଖୁଛି। ପ୍ରଫେସର ଜଣକ ରାତି ଅଧରେ ମେସେଜ୍‌ କରିବା ଦ୍ବାରା ଝିଅର ପାଠପଢ଼ା ପ୍ରଭାବିତ ହୋଇଛି। ମାନସିକ ଭାବେ ସେ ପ୍ରଭାବିତ ହୋଇଛି। କେବଳ ସେ ନୁହେଁ, ତା’ ଭଳି ବହୁ ଛାତ୍ରୀ ମଧ୍ୟ ପ୍ରଫେସରଙ୍କ ନିର୍ଯାତନାର ଶିକାର ହୋଇଛନ୍ତି। ତେଣୁ ତୁରନ୍ତ ନ୍ୟାୟ ପ୍ରଦାନ କରାଯାଉ। ନ ହେଲେ ଆଗାମୀ ଦିଗରେ ଥାନାର ଦ୍ବାରସ୍ଥ ହେବୁ ବୋଲି କହିଛନ୍ତି। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ବି ଛାତ୍ରୀଙ୍କ ଅଭିଭାବକ ଭେଟିଥିବା ଜଣାପଡ଼ିଛି।

ତଦନ୍ତ କମିଟି ଏବେ ସୁଦ୍ଧା ରିପୋର୍ଟ ଦେଇଛି କି ନାହିଁ ସେନେଇ କେହି ବି ସ୍ପଷ୍ଟ କରୁନାହାନ୍ତି। ଏସମ୍ପର୍କରେ ଜାଣିବା ଲାଗି ଓୟୁଏଟି କୁଳପତି ପ୍ରଫେସର ରାଉଳଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳି ପାରି ନ ଥିଲା। ସେପଟେ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ଲାଗି ଦାବି ଜୋର ଧରିଛି। ଭୁବନେଶ୍ବରରେ ଗୋଟିଏ ପରେ ଗୋଟିଏ କଲେଜରେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଛାତ୍ରୀଙ୍କ ଅଭିଭାବକ ବି ଭୟଭୀତ ହୋଇପଡ଼ିଛନ୍ତି।
ସୂଚନାଯୋଗ୍ୟ ଯେ ଅକ୍ଟୋବର ୩୧ରେ ବେସିକ୍‌ ସାଇନ୍ସ କଲେଜର ଜଣେ ପ୍ରଫେସରଙ୍କ ବିରୋଧରେ ଛାତ୍ରୀମାନେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ କଲେଜ କର୍ତ୍ତୃପକ୍ଷ ୪ଜଣିଆ ତଦନ୍ତକାରୀ କମିଟି ଗଠନ କରିଥିଲେ। ୪ ଦିନ ଧରି କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପରେ କର୍ତୃପକ୍ଷ ଚେଇଁ ଉଠିଥିଲେ। ଓୟୁଏଟି କୁଳପତି ଘଟଣାରେ ଦସ୍ତକ୍ଷେପ କରିବା ସହ ତଦନ୍ତ ଲାଗି ଏକ କମିଟି ମଧ୍ୟ ଗଠନ କରିଥିଲେ। ଉକ୍ତ କମିଟି ଗତ ଶନିବାର ଛାତ୍ରୀମାନଙ୍କୁ ଡାକି ପଚରାଉଚରା କରିଥିଲେ। ଯେଉଁଥିରେ ଜଣାପଡିଥିଲା କି ପ୍ରଫେସର ଜଣକ ଛାତ୍ରୀମାନଙ୍କୁ ରାତିରେ ମେସେଜ ପଠାଇବା ସହ ଖରାପ ବ୍ୟବହାର କରୁଥିଲେ। ବୁଲିବାକୁ ଡାକିବା ସହ ନିଜକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଛାତ୍ରୀମାନଙ୍କୁ ସୋନିଆ ଗାନ୍ଧୀ ଭାବେ ସମ୍ବୋଧିତ କରୁଥିଲେ। ହ୍ବାଟସଆପ୍‌ ଡିପି ପରିବର୍ତ୍ତନ କରିବାକୁ ଚାପ ପକାଉଥିଲେ। ଏମିତିକି ଡିପି ପରିବର୍ତ୍ତନ ନକଲେ ପରଦିନ କ୍ଲାସରେ ମାରିବେ ବୋଲି କହୁଥିଲେ। ମେସେଜର ଉତ୍ତର କାହିଁକି ଦେଉନ ସେନେଇ ବି ଛାତ୍ରୀମାନଙ୍କୁ ପ୍ରଶ୍ନ କରୁଥିଲେ।

ସମ୍ବନ୍ଧିତ ଖବର