ଭୁବନେଶ୍ବର: ଛାତ୍ରବୃତ୍ତି ଓ ଏଲ୍‌ଇଡି ବଲ୍‌ବ ଯୋଜନାରେ ଲୋକଙ୍କୁ ପ୍ରଲୋଭିତ କରି ୪କୋଟିରୁ ଊର୍ଧ୍ବ ଟଙ୍କା ଠକେଇ ଘଟଣାରେ ‘ବାସ୍ତବ ଇଣ୍ଡିଆ ଟ୍ରଷ୍ଟ’ର ଆଉ ଦୁଇ ସହଯୋଗୀଙ୍କୁ କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ରାଞ୍ଚିରୁ ଗିରଫ କରିଛି। ସେମାନେ ହେଲେ ନିଶାନ୍ତ ପ୍ରକାଶ ଜସୱାଲ ଓ ଅମର ଡାନିସ୍‌। ଗିରଫ ପରେ ଉଭୟଙ୍କୁ ରାଞ୍ଚି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଭୁବନେଶ୍ବର ଅଣାଯାଇଛି। ଉଭୟଙ୍କୁ ଜେରା ପରେ କଟକ ଓପିଆଇଡି କୋର୍ଟରେ ହାଜର କରାଯାଇଥିଲା।

Advertisment

ଗତ ମାର୍ଚ୍ଚମାସରେ ସଂସ୍ଥା ବମିଖାଲ୍‌ରେ ନିଜର କାର୍ଯ୍ୟାଳୟ ଖୋଲି ଲୋକଙ୍କୁ ସୌରଶକ୍ତି (ସୋଲାର୍‌) ଉପରେ ସଚେତନ କରିବାଲାଗି ବିଭିନ୍ନ କାର୍ଯ୍ୟକ୍ରମ କରିଥିଲା। ଆଉ ସେଠାରେ ଲୋକଙ୍କୁ ଶସ୍ତାରେ ଏଲ୍‌ଇଡି ବଲ୍‌ବ ଯୋଗାଇଦେବାକୁ ପ୍ରବର୍ତ୍ତାଇବା ସହ ‘ଛୁଁଲୋ ଆସ୍‌ମାଁ’ ନାମକ ଏକ ସ୍କିମ୍‌ରେ ଛାତ୍ରଙ୍କୁ ପ୍ରି-ମାଟ୍ରିକ୍‌ ଛାତ୍ରବୃତ୍ତି ଦେବାକୁ ବୁଝାଇଥିଲା। ଏଲ୍‌ଇଡି ବଲ୍‌ବ ଯୋଜନାର ସଦସ୍ୟତା ପାଇଁ ପ୍ରତିଲୋକ ଠାରୁ ୧୬୫୦ ଟଙ୍କା ନେଇ ୬ଟି ବଲ୍‌ବ ଥିବା ପ୍ୟାକେଟ୍‌ ଦେଉଥିଲା। ସେହିପରି ଛାତ୍ରବୃତ୍ତି ପାଇଁ ପ୍ରତି ଛାତ୍ରଙ୍କୁ ଦୁଇବର୍ଷ ପର୍ଯ୍ୟନ୍ତ ମାସିକ ହଜାର ଟଙ୍କା, ଅର୍ଥାତ ୨୪ମାସରେ ୨୪ ହଜାର ବୃତ୍ତିରାଶି ଦେବାକୁ ସଂସ୍ଥା ଲୋଭ ଦେଖାଇଥିଲା। ସେଥିପାଇଁ ମଧ୍ୟ ସଦସ୍ୟତା ବାବଦକୁ ପ୍ରତି ଅଭିଭାବଙ୍କ ଠାରୁ ଏକକାଳୀନ ୩ହଜାର ଟଙ୍କା ଆଦାୟ କରାଯାଉଥିଲା। ଲୋକଙ୍କ ମନରେ ବିଶ୍ବାସ ଆଣିବା ପାଇଁ ଏହା କେନ୍ଦ୍ର ସରକାରଙ୍କ ସହଭାଗୀତାରେ କରା ଯାଉଛି ବୋଲି କୁହା ଯାଇଥିଲା। ଏ ବାବଦରେ ଲୋକଙ୍କୁ ଜାଲ୍‌ କାଗଜପତ୍ର ଦେଖା ଯାଇଥିଲା। ସଂସ୍ଥା ପ୍ରଥମେ କିଛି ଅଭିଭାବକଙ୍କୁ ମାସିକ ଏକ ହଜାର ଟଙ୍କା ପଠାଇଥିଲା। ସେଥିରେ ‌ଲୋକଙ୍କର ବିଶ୍ବାସ ଆସିଥିଲା।

ଏହାପରେ ରାଜଧାନୀରୁ ସାରା ରାଜ୍ୟକୁ ଲୁଟିବା ପାଇଁ ଯୋଜନା ହୋଇଥିଲା। ଯୋଜନା ମୁତାବକ, ସୁନ୍ଦରଗଡ଼, ଭଦ୍ରକ, ନବରଂଗପୁର, କଳାହାଣ୍ଡି, ନୟାଗଡ଼, ମୟୂରଭଂଜ, ବାଲେଶ୍ବର, ବଲାଙ୍ଗୀର, ଢ଼େଙ୍କାନାଳ ଆଦି ଜିଲ୍ଲାରେ ଏଜେଣ୍ଟ ରଖି ସଚେତନତା କାର୍ଯ୍ୟକ୍ରମ ବାହାନାରେ ସାଢ଼େ ୩ହଜାରରୁ ଊର୍ଧ୍ବ ଲୋକଙ୍କଠାରୁ ୪କୋଟି ଟଙ୍କା ଲୁଟିଥିଲେ। ଟଙ୍କା ଆଦାୟ ପରେ ଗତ ସେପ୍ଟେମ୍ବର ମାସରେ ସଂସ୍ଥା କାର୍ଯ୍ୟାଳୟ ବନ୍ଦକରି ଉଭାନ ହୋଇ ଯାଇଥିଲା। ଆକାଉଣ୍ଟକୁ ଟଙ୍କା ନଆସିବାରୁ ଲୋକମାନେ ସଂସ୍ଥା କାର୍ଯ୍ୟାଳୟକୁ ଆସି ତାହା ବନ୍ଦ ଥିବା ଦେଖିଥିଲେ। ଅଧିକାରୀ ଓ କର୍ମଚାରୀଙ୍କୁ ଫୋନ୍‌ କଲେ ବି କେହି ଜବାବ ଦେଇନଥିଲେ। ଠକାମୀର ଶିକାର‌ ହୋଇଥିବା ଜାଣିବାପରେ ଗତ ନଭେମ୍ବର ୩୦ ତାରିଖରେ ସେବତୀ ମହନ୍ତ ଏବଂ ଅନ୍ୟମାନେ ଇଓଡବ୍ଲୁରେ ଅଭିଯୋଗ କରିଥିଲେ। ଇଓଡବ୍ଲୁ କେସ୍‌ ନଂ-୨୧ରେ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ପ୍ରଥମେ ଗତ ଡିସେମ୍ବର ୧୩ ତାରିଖରେ ଇଓଡବ୍ଲୁ ସଂସ୍ଥାର ସଭାପତି ତନ୍‌ବିର୍‌ ନାଜିର ଓ ସମ୍ପାଦକ ମହମ୍ମଦ ଅବ୍‌ଦୁଲ୍‌ ହାସ୍‌ନାଇନ୍‌ଙ୍କୁ ରାଞ୍ଚିରୁ ଗିରଫ କରାଯାଇଥିଲା। ସେମାନଙ୍କୁ ଓଡ଼ିଶା ଆଣି ଜେରା ବେଳେ ଜଣାପଡ଼ିଛି ଯେ, ସଂସ୍ଥା କେବଳ ଓଡ଼ିଶା ନୁହେଁ; ଝାଡ଼ଖଣ୍ଡ, ଦିଲ୍ଲୀ ଏବଂ ବିହାରରେ ମଧ୍ୟ ଏଭଳି କୋଟି କୋଟି ଟଙ୍କାର ଠକେଇ କରିଛି। ଏଥିରେ ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ଇଓଡବ୍ଲୁ ହାତରେ ଖବର ଲାଗିଥିଲା। ଇଓଡବ୍ଲୁ ମାମଲାର ତଦନ୍ତ ଜାରି ରଖିବା ଭିତରେ ଏହି ଦୁଇ ସହଯୋଗୀ ନିଶାନ୍ତ ଓ ଅମରକୁ ଗିରଫ କରିଛି।