ବିଏମ୍‌ସି କର୍ମଚାରୀଙ୍କୁ ଉଠାଇ ଆଣିଲେ ବସ୍ତି ବାସିନ୍ଦା

ଚନ୍ଦ୍ରଶେଖରପୁର: ଆଜି ମା ତାରିଣୀ ବସ୍ତିର ଶତାଧିକ ମହିଳା ବିଡିଏ କାର୍ଯ୍ୟାଳୟ ଆଗରୁ ବିଏମ୍‌ସିର ସିଏଲ୍‌ଟିସି କର୍ମଚାରୀ ପ୍ରଶାନ୍ତ କୁମାର ଧଳଙ୍କୁ ଉଠାଇ ନେଇ ଡମଣାସ୍ଥିତ ଏହି ବସ୍ତିରେ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଅଟକ ରଖିବା ଘଟଣା ଚର୍ଚାର ବିଷୟ ପାଲଟିଛି। ଚନ୍ଦ୍ରଶେଖରପୁର ପୁଲିସ୍‌ ତାରିଣୀ ବସ୍ତିରେ ପହଞ୍ଚି ଉକ୍ତ କର୍ମଚାରୀଙ୍କୁ ଉଦ୍ଧାର କରିବା ପରେ ତାଙ୍କୁ ଖାରବେଳନଗର ଥାନାକୁ ହସ୍ତାନ୍ତର କରିଛି। ମହିଳାମାନେ ତାଙ୍କୁ ବଳପୂର୍ବକ ମାଡ଼ ମାରି ଅଟୋରେ ବସାଇ ତାରିଣୀ ବସ୍ତିରେ ଅଟକ ରଖିଥିବା ଥାନାରେ ଅଭିଯୋଗ କରିଛନ୍ତି ଶ୍ରୀ ଧଳ। ଏ ନେଇ ଆଇପିସିର ଦଫା ୩୬୩, ୩୪୨, ୩୫୩ ଓ ୩୪ରେ ଏକ ମାମଲା ରୁଜୁ ହୋଇଛି।

ସୂଚନାଯୋଗ୍ୟ ଯେ ଆଜି ବିିଡିଏ କାର୍ଯ୍ୟାଳୟରେ ଡମଣାସ୍ଥିତ ତାରିଣୀ ଓ ଅରବିନ୍ଦନଗର ବସ୍ତିବାସିନ୍ଦାଙ୍କୁ ବିଏସ୍‌ୟୁପି ଯୋଜନାରେ ଫ୍ଲାଟ୍‌ ପ୍ରଦାନ ନିମନ୍ତେ ଲଟେରି କାର୍ଯ୍ୟକ୍ରମ ଚାଲିଥିଲା। ମାତ୍ର ତାରିଣୀ ବସ୍ତିର ଶତାଧିକ ମହିଳା ସେଠାରେ ପହଞ୍ଚି ଘର ପ୍ରଦାନ ଲାଗି ହୋଇଥିବା ସର୍ଭେରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଥିଲେ ଏବଂ ବସ୍ତିର ସମସ୍ତଙ୍କୁ ଘର ନମିଳିବା ପର୍ଯ୍ୟନ୍ତ ଲଟେରି ଉଠାଣକୁ ସ୍ଥଗିତ ରଖିବାକୁ ଦାବି କରିଥିଲେ। ଏହାକୁ ନେଇ ଶ୍ରୀ ଧଳଙ୍କ ସହିତ ମହିଳାମାନଙ୍କର ଯୁକ୍ତିତର୍କ ହୋଇଥିଲା। ମହିଳାମାନଙ୍କ କହିବା ଅନୁଯାୟୀ ଲକ୍ଷେ ଟଙ୍କା ନ ଦେଲେ ଘର ଦେଇହେବ ନାହିଁ ବୋଲି ଶ୍ରୀ ଧଳ ସେମାନଙ୍କୁ କହିଥିଲେ। ଦୁଇ ବସ୍ତିର ଯେଉଁମାନେ ଲକ୍ଷେ ଟଙ୍କା ଲେଖାଏଁ ଦେଇଛନ୍ତି ସେମାନଙ୍କୁ ଘର ମଞ୍ଜୁର୍‌ ହୋଇଛି। ଯେଉଁମାନେ ଦେଇନାହାନ୍ତି ସେମାନେ ଘର ପାଇପାରିବେ ନାହିଁ। ଏପରିକି ସେ ମହିଳାମାନଙ୍କୁ ଦୁର୍ବବ୍ୟବହାର ପ୍ରଦର୍ଶନ କରିଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଏଥିରେ ଉତ୍ତ୍ୟକ୍ତ ହୋଇ ମହିଳାମାନେ ଶ୍ରୀ ଧଳଙ୍କୁ ଅଟୋରେ ବସାଇ ତାରିଣୀ ବସ୍ତିକୁ ନେଇଆସିଥିଲେ। କେଉଁ ପରିବାର ଲକ୍ଷେ ଟଙ୍କା ଦେଇଛି ତା’ର ପ୍ରମାଣ ଦେବାକୁ ମହିଳାମାନେ ଶ୍ରୀ ଧଳଙ୍କୁ ସେଠାକୁ ନେଇ ଆସିଥିଲେ ବୋଲି କହିଛନ୍ତି। ତେବେ ତାଙ୍କ ସହିତ କୌଣସି ଖରାପ ବ୍ୟବହାର କରିନଥିବା କିମ୍ବା ମାର୍‌ପିଟ୍‌ କରିନଥିବା ବସ୍ତିବାସିନ୍ଦାଙ୍କ ପକ୍ଷରୁ ପୁଲିସ୍‌କୁ କୁହାଯାଇଥିଲା। ଶ୍ରୀ ଧଳ ମଧ୍ୟ ତାଙ୍କୁ ଅପହରଣ କରାଯାଇନାହିଁ ବରଂ ସେ ସ୍ୱଇଚ୍ଛାରେ ବସ୍ତିକୁ ଆସିଥିବା ଉଦ୍ଧାରକାରୀ ପୁଲିସ୍‌କୁ କହିଥିଲେ। ମାତ୍ର ଖାରବେଳନଗର ଥାନାରେ ପହଞ୍ଚିବା ପରେ ଶ୍ରୀ ଧଳ ଅଭିଯୋଗ କରିଥିଲେ ଯେ ତାଙ୍କୁ ମହିଳାମାନେ ବଳପୂର୍ବକ ଅପହରଣ କରିନେଇଥିଲେ। ଧସ୍ତାଧସ୍ତିରେ ତାଙ୍କର ସାର୍ଟ ଚିରିଯାଇଥିବା ମଧ୍ୟ ସେ ଅଭିଯୋଗରେ ଦର୍ଶାଇଥିଲେ।

ଏହି ଘଟଣା ପରେ ବସ୍ତିର ମହିଳାମାନେ ପ୍ରଶାସନ ଓ ରାଜନେତାଙ୍କର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ସେମାନଙ୍କ କଥାକୁ କର୍ଣ୍ଣପାତ କରାଯାଇନାହିଁ। ଲାଞ୍ଚନେଇ ବେଆଇନ୍‌ ହିତାଧିକାରୀଙ୍କୁ ଘର ଯୋଗାଇ ଦିଆଯାଉଛି। ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦିଆଯାଉଥିବାରୁ ସେମାନେ ଅତିଷ୍ଠ ହୋଇପଡ଼ିଥିବା ତାରିଣୀ ବସ୍ତିର ମହିଳାମାନେ ଅଭିଯୋଗ କରିଛନ୍ତି।

ଏ ନେଇ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବିଏସୟୁପି ଯୋଜନାରେ ଚୟନ ହୋଇଥିବା ହିତାଧିକାରୀଙ୍କୁ ଆଜି ଫ୍ଲାଟ୍‌ ବଣ୍ଟନ କରାଯାଉଥିଲା। ବେଆଇନ ଘର ହାତେଇବା ଅଭିଯୋଗର ତଦନ୍ତ ହେଉଛି। ଘର ନିର୍ମାଣ ହୋଇଥିବା ସମୟରେ ଯେଉଁ ଜନସଂଖ୍ୟା ଥିଲା ତାହା ବର୍ତ୍ତମାନ ବହୁଗୁଣିତ ହୋଇଯାଇଛି। ମାତ୍ର ପ୍ରଶାସନ ସମସ୍ତଙ୍କୁ ବିଭିନ୍ନ ଯୋଜନାରେ ଘର ଯୋଗାଇ ଦିଆଯିବ ବୋଲି ଅଧିକାରୀ ଜଣକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର