ଭୁବନେଶ୍ୱର: ରାଜଧାନୀରେ ରହୁଛନ୍ତି। କିନ୍ତୁ ରାଜଧାନୀବାସୀଙ୍କ ଭଳି କୌଣସି ସୁବିଧା ପାଉ ନାହାନ୍ତି। ସହରିଆ ବୋଲି ଭାବୁଥିଲେ ମଧ୍ୟ ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ। ଭଲ ରାସ୍ତା ଖଣ୍ଡେ ଅଛି ନା ବର୍ଷା ପାଣି ନିଷ୍କାସନର ବ୍ୟବସ୍ଥା ରହିଛି। ପୁଣି ଖରା ଦିନ ନ ଆସୁଣୁ କୂଅ ଓ ନଳକୂପ ଶୁଖିଲା। ଏହା ହେଉଛି ଭୁବନେଶ୍ୱର ଦେଇ ଯାଇଥିବା କଟକ-ପୁରୀ ଜାତୀୟ ରାଜପଥକୁ ଲାଗି ରହିଥିବା ବାସୁଆଘାଇ ପଞ୍ଚାୟତର ଦୁଃଖ। ରାଜଧାନୀରେ ରହି ବି ଏଠାକାର ବାସିନ୍ଦା ରାଜଧାନୀର ସୁବିଧା ଅନୁଭବ କରିପାରୁ ନାହାନ୍ତି। ସହର ଉପକଣ୍ଠରେ ଥିବା ଏହି ପଞ୍ଚାୟତ ବାଙ୍କୁଆଳ, କେଶୁରା, କୋରଡ଼କଣ୍ଟା, ଦୁର୍ଗାପୁରପାଟଣା ଓ ବାସୁଆଘାଇ ଆଦି ୫ଟି ଗାଁ ଓ ୧୨ଟି ଓ୍ଵାର୍ଡକୁ ନେଇ ଗଠିତ। ପୂର୍ବରୁ ଏହି ପଞ୍ଚାୟତର ମୋଟ୍ ଜନସଂଖ୍ୟା ୩ ହଜାର ଥିଲା। ଗତ କିଛି ବର୍ଷ ହେଲା ନୂଆ ନୂଆ କଲୋନି ଗଢ଼ିଉଠିବା ଫଳରେ ଜନସଂଖ୍ୟା ୬ ହଜାରରୁ ଅଧିକ ହେଲାଣି। ଏହି ଅଞ୍ଚଳରେ ଗୃହ ନିର୍ମାଣ ମଧ୍ୟ ଦ୍ରୁତ ଗତିରେ ବଢ଼ୁଛି। ନୂଆ ଆବାସିକ ଅଞ୍ଚଳ ଗଢ଼ି ଉଠୁଥିବାରୁ ବର୍ଷା ଜଳ ଠିକ୍ ଭାବେ ନିଷ୍କାସିତ ହୋଇପାରୁନି। ଅସରାଏ ବର୍ଷାରେ ଲୋକଙ୍କ ଘରେ ପାଣି ପଶୁଛି। ପୁଣି ଏଠାକାର ରାସ୍ତା ଅବସ୍ଥା ନ କହିବା ଭଲ। ଠାଏ ଠାଏ ଖାଲ ଢିପ ଓ ମାଟି ରାସ୍ତା ଲୋକଙ୍କୁ ବର୍ଷାରେ ନୁହେଁ ଖରାଦିନେ ବି ନାକେଦମ୍ କରୁଛି। ଏଠାରେ ଆଉ ଏକ ଗୁରୁତର ସମସ୍ୟା ହେଲା ଜଳସ୍ତର କମିବା। କୁଆଖାଇ ନଦୀରେ ଚେକ୍ ଡ୍ୟାମ୍ ନ ଥିବାରୁ ଜଳ ସଂରକ୍ଷିତ ହୋଇପାରୁନି। ଫଳରେ ଜଳସ୍ତର କମି ଖରା ଦିନ ଦୂରେ ଥାଉ ମାଘ ଫଗୁଣ ଆଡ଼କୁ କୂଅ, ପୋଖରୀ ଓ ନଳକୂପ ଆଦି ଶୁଖିଯାଉଛି। ଫଳରେ ଲୋକ ପାଣି ଟୋପାଏ ପାଇଁ ହଇରାଣ ହେଉଛନ୍ତି। ଏ ନେଇ ବାରମ୍ବାର ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ ମଧ୍ୟ ଏ ଯାଏଁ କିଛି ପଦକ୍ଷେପ ନିଆଯାଇ ନାହିଁ ବୋଲି ନାଏବ ସରପଞ୍ଚ ଅମିତାଭ ପ୍ରଧାନ କହିଛନ୍ତି। ଏଠାରେ ଏକ କଲ୍ୟାଣ ମଣ୍ଡପ ପାଇଁ ପ୍ରସ୍ତାବ ଥିଲେ ବି ତାହା ନିର୍ମାଣ ହେଉ ନାହିଁ। ସେହିପରି ଘର ନିର୍ମାଣ ପାଇଁ ବିଡିଏ ପ୍ଲାନ୍ ମଞ୍ଜୁରି ଦେଉଥିଲେ ବି ଅଞ୍ଚଳର ସୁବିଧା ପ୍ରତି କାହାର ନଜର ନାହିଁ। ସ୍ଥାନୀୟ ସରପଞ୍ଚ ବିନୋଦିନୀ ଜେନା କୁହନ୍ତି, ରାଜ୍ୟର ଅନ୍ୟ ପଞ୍ଚାୟତ ପରି ଏଠାରେ ସରପଞ୍ଚ ରାସ୍ତା କିମ୍ବା ଗୃହ ନିର୍ମାଣ ନେଇ କୌଣସି ପଦକ୍ଷେପ ନେଇପାରିବେ ନାହିଁ। ପୁଣି ଗ୍ରାମ ପଞ୍ଚାୟତର ବିକାଶ ଓ ରକ୍ଷଣାବେକ୍ଷଣ ପାଇଁ କୋଟି କୋଟି ଟଙ୍କା ବଜେଟ୍ ଦରକାର ହେଉଥିବା ବେଳେ ସରକାର ବିଭିନ୍ନ ଯୋଜନାରେ କିଛି କିଛି ଟଙ୍କା ଦେଇ ନିଜ ଦାୟିତ୍ୱ ସାରି ଦେଉଛନ୍ତି। ଯାହାକି ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ପର୍ଯ୍ୟାପ୍ତ ନୁହେଁ। ଗ୍ରାମ ପଞ୍ଚାୟତ ଡେଭେଲପ୍ମେଣ୍ଟ୍ ପ୍ଲାନ୍ରେ ଆସୁଥିବା ଟଙ୍କାରେ ରାସ୍ତା ସଜାଡ଼ିବା ପାଇଁ ଖର୍ଚ୍ଚ ହୁଏ। କିନ୍ତୁ ଏହି ଟଙ୍କାରେ ଆମେ ରାସ୍ତା ନିର୍ମାଣ କରିପାରିବୁ ନାହିଁ। କେବଳ ‘ଗୋପବନ୍ଧୁ ଗ୍ରାମୀଣ ଯୋଜନା’ରେ ରାସ୍ତା ନିର୍ମାଣ ପାଇଁ ଟଙ୍କା ଆସୁଛି। ତାହା ପୁଣି ୧୫ ଲକ୍ଷ ଟଙ୍କା। ସେତିକି ବି ଯଥେଷ୍ଟ ନୁହେଁ। ସେହିପରି ବଜେଟ୍ରେ ଟଙ୍କା ନ ଥିବାରୁ ପଲ୍ଲୀସଭା ବି ଫେଲ୍ ମାରୁଛି।
ରାଜଧାନୀରେ ରୁହନ୍ତି, ରାଜଧାନୀର ନୁହନ୍ତି
ବାସୁଆଘାଇ ପଞ୍ଚାୟତର ଦୁଃଖ
/sambad/media/post_attachments/wp-content/uploads/2018/08/m5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)