ବସୁନ୍ଧରା ଯୋଜନାରୁ ବାଦ୍‌ ପଡ଼ିଛନ୍ତି ପ୍ରଫୁଲ୍ଲ

ବାଲିଅନ୍ତା : ବାଲିଅନ୍ତା ବ୍ଲକ ବଇଁଚୁଆ ପଞ୍ଚାୟତ ଅନ୍ତର୍ଗତ ଧବଳାହାର ଗ୍ରାମରେ ଏକ ସରକାରୀ ଜାଗାରେ ପାଖାପାଖି ୨୦ ବର୍ଷର ବାସିନ୍ଦା ହେଉଛନ୍ତି ପ୍ରଫୁଲ୍ଲ କୁମାର ସାହୁ। ଏହା ମଧ୍ୟରେ ଚାରି ଚାରିଟି ପଞ୍ଚାୟତ ଓ ସାଧାରଣ ନିର୍ବାଚନ ବିତିଗଲାଣି। ହେଲେ ସରକାରଙ୍କ ବସୁନ୍ଧରା ଯୋଜନାରେ ତାଙ୍କୁ ଘରଡିହ ମିଳିପାରିନି। ଘରଡିହ ପାଇବା ପାଇଁ ଏହି ପରିବାର ବାରମ୍ବାର ବାଲିଅନ୍ତା ତହସିଲ କାର୍ଯ୍ୟାଳୟ ଓ ବଇଁଚୁଆ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଅନେକଥର ଆବେଦନ କରିଛନ୍ତି। ହେଲେ କିଛି ଫଳ ମିଳିନି। ଏନେଇ ଉକ୍ତ ପରିବାର ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ସବୁଠାରୁ ବଡ଼କଥା ହେଉଛି ଆଇନ ଅନୁଯାୟୀ ତହସିଲ ପକ୍ଷରୁ ନିର୍ଧାରିତ ସରକାରୀ ଜମି ଏଯାଏ ଯୋଗାଇ ଦିଆଯାଇ ନଥିବାରୁ ଗୃହ ନିର୍ମାଣ ଯୋଜନାରେ ତାଙ୍କୁ ପକ୍କାଘର ମିଳିପାରିବ ନାହିଁ ବୋଲି ପଞ୍ଚାୟତ ଜନପ୍ରତିନିଧି ଓ ବ୍ଲକ ପ୍ରଶାସନ ମନା କରିଦେଇଥିବା ପ୍ରଫୁଲ୍ଲ କହିଛନ୍ତି। ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରଫୁଲ୍ଲ ଓ ତାଙ୍କ ପତ୍ନୀଙ୍କ ନାମ ଭୋଟର୍‌ ତାଲିକାଭୁକ୍ତ ହୋଇଥିବା ବେଳେ ସେମାନଙ୍କୁ ଅନ୍ୟତମ ସରକାରୀ ପ୍ରମାଣପତ୍ର ଭୋଟ ଓ ଆଧାର ପରିଚୟପତ୍ର ମିଳିଛି। ହେଲେ ସେମାନଙ୍କୁ ରେସନକାର୍ଡ ମିଳିନି। ନିର୍ବାଚନ ବେଳେ ଆଶାୟୀ ପ୍ରାର୍ଥୀମାନେ ନିର୍ବାଚିତ ହୋଇ ଆସିଲେ ତହସିଲ କର୍ତ୍ତୃପକ୍ଷଙ୍କ ସହ କଥାବାର୍ତା କରି ଘରଡିହ ଯୋଗାଇ ଦେବା ଦିଗରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇ ପରେ ଭୁଲିଯାଇଥାନ୍ତି ବୋଲି ଏହି ଦମ୍ପତି କହିଛନ୍ତି। ସେହିପରି ବାରମ୍ବାର ଆବେଦନ କରିଥିଲେ ମଧ୍ୟ ତହସିଲଦାର ଜମି ଯୋଗାଇ ଦେବା ନେଇ କୌଣସି ପଦକ୍ଷେପ ନେଇ ନଥିବା ସେମାନେ ଅଭିଯୋଗ ହୋଇଛି। ଉଲ୍ଲେଖଯୋଗ୍ୟ ପ୍ରଫୁଲ୍ଲଙ୍କ ନିଜ ଘର ଗଞ୍ଜାମ।

ସମ୍ବନ୍ଧିତ ଖବର