ଭୁବନେଶ୍ୱର: ଖରାରେ ଲୋକେ ଆଉ ପିଇବା ପାଣି ପାଇଁ ଆଉଟୁପାଉଟୁ ହେବେନି। ରାଜଧାନୀବାସୀଙ୍କ ସହ ରାଜଧାନୀକୁ ଆସୁଥିବା ଆଗନ୍ତୁକମାନେ ପ୍ରମୁଖ ଛକମାନଙ୍କରେ ବିଶୁଦ୍ଧ ଓ ଥଣ୍ଡା ପିଇବା ପାଣି ପାଇପାରିବେ। ବିନା ବିଦ୍ୟୁତ୍ ଅପଚୟରେ ଏହି ବ୍ୟବସ୍ଥା ହେବ। ସହରର ପ୍ରମୁଖ ଛକମାନଙ୍କରେ ଏଥିପାଇଁ ୱାଟର୍ କିଓସ୍କ ବସିବ, ଯାହା ସୋଲାର୍ ପାୱାରରେ ପରିଚାଳିତ ହେବ। ଏହି ଲକ୍ଷ୍ୟ ନେଇ ଶକ୍ତି ମନ୍ତ୍ରାଳୟର ଗ୍ରିନ୍ ସିଟି ଯୋଜନାରେ ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହୋଇଥିଲା ସୋଲାର୍ ପାୱାର ୱାଟର୍ କିଓସ୍କ ପ୍ରକଳ୍ପ। ଖରା ପୂର୍ବରୁ ସବୁ ପ୍ରମୁଖ ଛକମାନଙ୍କରେ ଏହା ସ୍ଥାପନ ପାଇଁ ଯୋଜନା କରାଯାଇଥିଲା। ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)ର ଗ୍ରିନ୍ ସିଟି ମିସନ୍ ଓ ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (ଓରେଡା) ମିଳିତ ଭାବେ ଏହି ଦାୟିତ୍ବ ନେଇଥିଲେ। ଏ ଭିତରେ ଖରା ଯାଇ ବର୍ଷା ମାସେ ଗଡ଼ିଗଲାଣି। କିନ୍ତୁ ଏହି ଲକ୍ଷ୍ୟ ଆଜି ପର୍ଯ୍ୟନ୍ତ ପୂର୍ଣ୍ଣ ହୋଇପାରୁନି। କାଁ ଭାଁ ସ୍ଥାନରେ ଏହି ପ୍ରକଳ୍ପ ବସିଛି। ବାକି ଚିହ୍ନଟ ସ୍ଥାନରେ ଆଜି ସୁଦ୍ଧା ଏହା ବସିପାରିନି। ସେପଟେ ଯେଉଁ ଜାଗାରେ ବସିଛି, ସେଠି କିଓସ୍କ ଅଛି ସତ, କିନ୍ତୁ ସୋଲାର୍ ପ୍ୟାନେଲ୍ ଲଗାଯାଇନି। କଳ୍ପନା ଛକ କିଓସ୍କ ଏହାର ଜ୍ବଳନ୍ତ ଉଦାହରଣ।

Advertisment

ଚଳିତବର୍ଷ ପହିଲାରେ ସରକାର ସୋଲାର୍ ପାୱାର ୱାଟର୍ କିଓସ୍କ ପ୍ରକଳ୍ପ ସଂପର୍କରେ ଘୋଷଣା କରିଥିଲେ। ରାଜଧାନୀର ୧୨୦ଟି ସ୍ଥାନରେ ୧୨୦ଟି ସୋଲାର୍ ପାୱାର କିଓସ୍କ ପ୍ରକଳ୍ପ ବସିବ ବୋଲି ଘୋଷଣା ହୋଇଥିଲା। ଭୁବନେଶ୍ବରର ପ୍ରମୁଖ ବସ ରହଣୀ ସ୍ଥାନ, ମାର୍କେଟ୍, ଆହାର କେନ୍ଦ୍ର, ଧାର୍ମିକ ଅନୁଷ୍ଠାନ, ପ୍ରମୁଖ ରାସ୍ତାରେ ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ପ୍ରକଳ୍ପ ବସାଇବାକୁ ଯୋଜନା ହୋଇଥିଲା। ପ୍ରକଳ୍ପର ରୂପରେଖ ଅନୁଯାୟୀ, ଓରେଡା ଏହି ସୋଲାର୍ ପାୱାର ୱାଟର୍ କିଓସ୍କ ବସାଇବ। ଏ ବାବଦ ସମସ୍ତ ଖର୍ଚ୍ଚ କରିବ। ଏଥିପାଇଁ ଫିଲ୍‌ଟର୍‌, ସୋଲାର୍ ପ୍ୟାନେଲ୍ ସହ ଅନ୍ୟାନ୍ୟ ଯନ୍ତ୍ରାଂଶ ଲଗାଇବ। କିନ୍ତୁ ଭୁବନେଶ୍ବର ମହାନଗର ନିଗମ ପ୍ରକଳ୍ପ ପରିଚାଳନା କଥା ବୁଝିବ। 

ସଂପୂର୍ଣ୍ଣ ସୋଲାର ପାୱାର ୱାଟର କିଓସ୍କ
ଜନଗହଳି ସ୍ଥାନରେ ବସିଥାନ୍ତା ୧୨୦ଟି କିଓସ୍କ

ପ୍ରାଥମିକ ପର୍ଯ୍ୟାୟରେ ୧୨ଟି ସ୍ଥାନରେ ପ୍ରକଳ୍ପ କାମ ଆରମ୍ଭ ହେଲା। ଯେଉଁଥିରେ କ୍ୟାପିଟାଲ୍ ହସ୍ପିଟାଲ ଆହାର କେନ୍ଦ୍ର, ଓୟୁଏଟି ଛାତ୍ରାବାସ, ଡୁମୁଡୁମା ପାଲାମଣ୍ଡପ, ସମ୍ ହସ୍ପିଟାଲ୍ ଆହାର କେନ୍ଦ୍ର, ନୟାପଲ୍ଲୀ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ୩୭ ନମ୍ବର ୱାର୍ଡ ଅନ୍ତର୍ଗତ କସ୍ତୁରବା ଖେଳ ପଡ଼ିଆ, ଡମଣା ଛକ ଆମ ବସ୍ ବେ, ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ ସମ୍ମୁଖ, କଲ୍ୟାଣୀ ମାର୍କେଟ୍, କୋଳଥିଆ ଲକ୍ଷ୍ମୀମଣ୍ଡପରେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା। ପର୍ଯ୍ୟାୟକ୍ରମେ ବାକି ୧୦୮ ଜାଗାରେ ଏହି ପ୍ରକଳ୍ପ କରିବାକୁ ଯୋଜନା ଥିଲା। ଏଥିପାଇଁ ସ୍ଥାନ ଚିହ୍ନଟ ବି ସରିଥିଲା। ଖରା ପୂର୍ବରୁ କାମ ସାରି ଲୋକଙ୍କୁ ବିଶୁଦ୍ଧ ଓ ଥଣ୍ଡା ପିଇବା ପାଣି ଯୋଗାଣର ଲକ୍ଷ୍ୟ ଥିଲା। ଏ ଭିତରେ କିଛି ଜାଗାରେ ପ୍ରକଳ୍ପ ସରିଥିବାବେଳେ କିଛି ଜାଗାରେ ଅଧାଗଢ଼ା ଅବସ୍ଥାରେ ପଡ଼ିଛି।

ବାକି ଚିହ୍ନଟ ଜାଗାରେ ଜମାରୁ ଆରମ୍ଭ ହୋଇନି। କଳ୍ପନା ଛକ ବସ୍ ରହଣୀ ସ୍ଥାନରେ ଖରା ପୂର୍ବରୁ ଏହି କିଓସ୍କ ବସିଲାଣି। ମେସିନ୍ ଅଛି, ଟାଙ୍କି ଅଛି, କିନ୍ତୁ ପାଣି ଆସୁନି। ଏଥିରେ ଆଜି ସୁଦ୍ଧା ସୋଲାର୍ ପ୍ୟାନେଲ୍ ଲାଗି ପାରିନଥିବାରୁ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁନି। ମାସ ମାସ ପଡ଼ି ରହିବା ଫଳରେ ଏହା କଳଙ୍କି ଲାଗିବାକୁ ବସିଲାଣି। ଏଥିରେ ଲାଗିଥିବା କାଗଜ ପେଟି ନଷ୍ଟ ହୋଇ ଯନ୍ତ୍ରାଂଶକୁ ଖରାପ କଲାଣି। ଅନ୍ୟ ଯେଉଁ ଜାଗାରେ ବି ମେସିନ୍ ବସିଛି, ସେଠାରେ ବି ସମାନ ସ୍ଥିତି। ଖରାଦିନ ଚାଲିଗଲା ପରେ ସମସ୍ତେ ନିରବ। କେହି ବି ଏହି ପ୍ରକଳ୍ପ ପ୍ରତି ମନଧ୍ୟାନ ଦେଉନାହାନ୍ତି। ଫଳରେ କୋଟି କୋଟି ଟଙ୍କାର ଯନ୍ତ୍ରାଂଶ ଖତଖାଉଛି। ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷ କହିଛନ୍ତି, କେବଳ ପରିଚାଳନା ଦାୟିତ୍ବ ଆମର। ଓରେଡା କାମ କରି ଆମକୁ ହସ୍ତାନ୍ତର ପରେ ଆମେ ଯାହା କିଛି କରିପାରିବୁ।