୨୦ ବର୍ଷ ପରେ ପରିବାରକୁ ଫେରିଲେ ବଟକୃଷ୍ଣ

ଭୁବନେଶ୍ବର: ଦୀର୍ଘ ୨୦ ବର୍ଷ ପରେ ବଟକୃଷ୍ଣ ଫେରି ପାଇଲେ ତାଙ୍କ ପରିବାର। ପରିବାର ଲୋକେ ତାଙ୍କୁ ପାଇବାର ସବୁ ଆଶା ଛାଡ଼ି ଦେଇଥିଲେ। କିନ୍ତୁ ବିଧିର ବିଧାନ ଥିଲା ଭିନ୍ନ। ଲେଖା ଥିଲା, ପରିବାର ସହ ପୁନର୍ମିଳନର କଥା। ଦୀର୍ଘ ବର୍ଷର ଆଶା ଓ ଅପେକ୍ଷାର ଅନ୍ତ ଘଟିଲା। ପୁଅ, ବୋହୂ, ନାତି, ନାତୁଣୀମାନେ ଧାଇଁ ଆସି ବଟକୃଷ୍ଣଙ୍କୁ କୋଳେଇ ନେଇଛନ୍ତି। ଆଜି ରାଜଧାନୀ ଉପକଣ୍ଠ ଯାଁଳା-ଅଳକରସ୍ଥିତ ସ୍ବେଚ୍ଛାସେବୀ ସଂଗଠନ ‘ସହାୟ’ର ଥଇଥାନ କେନ୍ଦ୍ରରେ ହୋଇଥିଲା ଏହି ପୁନର୍ମିଳିନ ପର୍ବ। ନାତି, ନାତୁଣୀଙ୍କ ଖୁସି ଓ ପୁଅ ବୋହୂଙ୍କ ଆଖିର ଅଶ୍ରୁ ବଖାଣୁଥିଲା ଏହି ବହୁ ପ୍ରତୀକ୍ଷିତ ମିଳନର ମହାଆନନ୍ଦ।

ଘଟଣାଟି ଥିଲା ଏମିତି। ୨୦ ବର୍ଷ ତଳେ ଅନୁଗୁଳ ପାଲଲହଡ଼ା ଗ୍ରାମର ବଟକୃଷ୍ଣ ସାହୁ(୭୫)ଙ୍କ ବଡ଼ପୁଅ ସଡ଼କ ଦୁର୍ଘଟଣାରେ ଚାଲିଗଲେ। ଏହାପରେ ବଟକୃଷ୍ଣଙ୍କ ମାନସିକ ଭାରସାମ୍ୟ ବିଗିଡ଼ି ଯାଇଥିଲା। ପରିବାରର ଅଗୋଚରରେ ସେ ଘରୁ ବାହାରି ଯାଇଥିଲେ। ପରିବାରଲୋକେ ବହୁ ଖୋଜାଖୋଜି କରିବା ପରେ ବି ତାଙ୍କୁ ପାଇ ନଥିଲେ। ଏହା ଭିତରେ ବଟକୃଷ୍ଣ ବି ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇ ଗୁରୁତର ହୋଇଥିଲେ। ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିଛି ଦିନ ପରେ ସେ ସୁସ୍ଥ ହେଲେ ସିନା କିନ୍ତୁ ତାଙ୍କ ଠିକଣା କହିପାରିଲେ ନାହିଁ।

ଅବଶ୍ୟ ସଡ଼କ ଦୁର୍ଘଟଣା ଯୋଗୁଁ ତାଙ୍କ ମାନସିକ ବିକୃତି ବହୁ ପରିମାଣରେ କମି ଯାଇଥିଲା। ତେଣୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପରାମର୍ଶକ୍ରମେ ତାଙ୍କୁ ‘ସହାୟ’ ଥଇଥାନ କେନ୍ଦ୍ରକୁ ନିଆଯାଇଥିଲା। ଧୀରେଧୀରେ ବଟକୃଷ୍ଣ ତାଙ୍କ ଠିକଣା ମନେ ପକାଇ ପାରିଥିଲେ। ଶେଷରେ ସହାୟ କର୍ତ୍ତୃପକ୍ଷ ତାଙ୍କ ଦୁଇ ପୁଅ ଦୁଃଖୀଶ୍ୟାମ ଓ ମୃତ୍ୟୁଞ୍ଜୟଙ୍କ ସହ ଯୋଗାଯୋଗ କରିଥିଲେ। ବାପାଙ୍କ ଖବର ପାଇବା ପରେ ଖୁସିରେ ଆତ୍ମହରା ପରିବାରବର୍ଗ ଆଜି ଯାଁଳା ସହାୟ ଥଇଥାନ କେନ୍ଦ୍ରରେ ପହଞ୍ଚିଥିଲେ। ଇନ୍‌ଫୋଭ୍ୟାଲି ଥାନା ପୁଲିସ ଉପସ୍ଥିତିରେ ବଟକୃଷ୍ଣଙ୍କୁ ପରିବାର ଲୋକଙ୍କ ଜିମା ଦିଆଯାଇଥିଲା।

ସମ୍ବନ୍ଧିତ ଖବର