ନନ୍ଦନକାନନରେ ବ୍ୟାଟେରି ଚାଳିତ ଗାଡ଼ି ସେବା ବନ୍ଦ: ଅଧା ବୁଲି ଫେରୁଛନ୍ତି ପର୍ଯ୍ୟଟକ

ଖୁବ୍‌ଶୀଘ୍ର ସମାଧାନ ହେବ: ଉପନିର୍ଦ୍ଦେଶକ

ବାରଙ୍ଗ: କରୋନା କଟକଣା କୋହଳ ହେବା ପରେ ଗତ ଅକ୍ଟୋବର ୪ ତାରିଖରୁ ପର୍ଯ୍ୟଟକଙ୍କ ଲାଗି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିଲାଣି। ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା ବି ବଢ଼ୁଛି। କିନ୍ତୁ ଏପର୍ଯ୍ୟନ୍ତ ବ୍ୟାଟେରି ଚାଳିତ ଗାଡ଼ି (ବିଓଭି) ପୁନଃ କାର୍ଯ୍ୟକ୍ଷମ ହୋଇପାରି ନଥିବାରୁ ପର୍ଯ୍ୟଟକମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି।

ଚାଲିଚାଲି ପୂରା ପ୍ରାଣୀ ଉଦ୍ୟାନ ପରିସର ବୁଲିବା ଅନେକଙ୍କ ପକ୍ଷେ କଷ୍ଟକର ବ୍ୟାପାର। ଏହାକୁ ଦୃଷ୍ଟିରେ ରଖି ବ୍ୟାଟେରି ଚାଳିତ ଗାଡ଼ିର ବ୍ୟବସ୍ଥା କରାଯାଇଥିଲା। ବହୁ ପର୍ଯ୍ୟଟକ ଏହାର ଫାଇଦା ନେଇ ଅତି ସହଜରେ ଓ କମ୍‌ ସମୟ ମଧ୍ୟରେ ପ୍ରାଣୀ ଉଦ୍ୟାନ ବୁଲି ଜୀବଜନ୍ତୁଙ୍କୁ ଦେଖି ପାରୁଥି‌ଲେ। କିନ୍ତୁ ଏହି ସେବା ଏବେ ପୂରାପୂରି ବନ୍ଦ ହୋଇଯାଇଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ସାଙ୍ଗରେ ଛୁଆ କିମ୍ବା ବୟସ୍କ ବ୍ୟକ୍ତିଙ୍କୁ ଆଣି ଆସୁଥିବା ପର୍ଯ୍ୟଟକ ଏହି ଅବ୍ୟବସ୍ଥା ଦେଖି ଅଧାରୁ ଫେରି ଯାଉଛନ୍ତି। ତୁରନ୍ତ ଏହାର ସମାଧାନ କରାନଗଲେ ଆଗାମୀ ଦିନରେ ଏହା ପର୍ଯ୍ୟଟକ ସଂଖ୍ୟା ଓ ନନ୍ଦନକାନନର ରାଜସ୍ବ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି କିଛି ପର୍ଯ୍ୟଟକ ମତ ରଖଇଛନ୍ତି।
ତେବେ ଏହି ସମସ୍ୟାର ଖୁବ୍‌ଶୀଘ୍ର ସମାଧାନ କରାଯିବ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ବିମଳ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏହି ବ୍ୟାଟେରିଚାଳିତ ଗାଡ଼ିର ଦାୟିତ୍ବ ଜଣେ ଠିକାଦାରଙ୍କୁ ଟେଣ୍ଡର୍‌ ମାଧ୍ୟମରେ ପ୍ରଦାନ କରାଯାଇଥିଲା। ସେ ଦେଢ଼ବର୍ଷ କାଳ ନିରବଚ୍ଛିନ୍ନ ଭାବେ ସେବା ଯୋଗାଇଛନ୍ତି। କିନ୍ତୁ କରୋନା ପାଇଁ ନନ୍ଦନକାନନ ବନ୍ଦ ରହିବାରୁ ଗାଡ଼ିଗୁଡ଼ିକ ଦୀର୍ଘ ଦିନ ଧରି ପଡ଼ି ରହିଲା।

ସେଥି‌ରେ ଏବେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଛି। ଏହାକୁ ସଜାଡ଼ିବା ବ୍ୟୟବହୁଳ ହୋଇଥିବାରୁ ଠିକାଦାର ସେଥିପ୍ରତି ମନ ବଳାଉ ନାହାନ୍ତି। ଏହି ସେବାକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ସେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସହାୟତା ଲୋଡ଼ିଛନ୍ତି। ଆସନ୍ତା କିଛି ଦିନ ମଧ୍ୟରେ ୧୩ ଜଣିଆ ସଦସ୍ୟଙ୍କୁ ନେଇ ଏକ ସାଧାରଣ ପରିଷଦ ବୈଠକ ହେବ। ସେଥିରେ ଏ ବାବଦ ନିଷ୍ପତ୍ତି ନିଆଯିବ। ଠିକାଦାରଙ୍କ ଟେଣ୍ଡର୍‌ ଅବଧି ଆଗକୁ ବଢ଼ାଇବା ସହ ଯେତିକି ଗାଡ଼ି ଚଲାଇବେ, ସେପରିମାଣ ଅର୍ଥ ପୈଠ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯିବ। ତେଣୁ ଖୁବ୍‌ଶୀଘ୍ର ନନ୍ଦନକାନନରେ ପର୍ଯ୍ୟଟକଙ୍କ ଲାଗି ବ୍ୟାଟେରି ଚାଳିତ ଗାଡ଼ି ଉପଲବ୍ଧ ହେବ ବୋଲି ଉପନିର୍ଦ୍ଦେଶକ ଶ୍ରୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର