ଏମ୍‌ସରେ ମିଳୁନି ବ୍ୟାଟେରି ଚାଳିତ ଯାନ ସେବା

ଆମ୍ବୁଲାନ୍‌ସ ଚାଳକ ଚଳାଇଲେ ଚାଲୁଛି

ଭୁବନେଶ୍ବର : ବଲାଙ୍ଗୀରରୁ ବାପାଙ୍କୁ ଧରି ଭୁବନେଶ୍ବର ଏମ୍‌ସ ଆସିଥିଲେ ଲଳିତ ସାହୁ। ବାପା ନ୍ୟୁରୋ ଓ କିଡ୍‌ନି ରୋଗରେ ପୀଡ଼ିତ ଥିବାରୁ ଚଲାବୁଲା କରିବାକୁ ଅକ୍ଷମ। ଟେକିକି ନେବା ଆଣିବା କରିବାକୁ ପଡ଼ୁଛି। ବଡ଼ କଷ୍ଟରେ ଟିକେଟ୍‌ କରିବା ପରେ ଓପିଡିକୁ ନେବା ପାଇଁ ସେ ବାପାଙ୍କୁ ଟେକି ଟେକି ନେଲେ। ସାଥୀରେ କେହି ନଥିବାରୁ ନିଜ ବ୍ୟାଗପତ୍ର ସହ ବାପାଙ୍କୁ ଓପିଡି ପର୍ଯ୍ୟନ୍ତ ଟେକି ନେବାରେ ତାଙ୍କୁ ବହୁ ସମସ୍ୟା ହେଲା। କିନ୍ତୁ ଅନ୍ୟ ଉପାୟ ନଥିଲା। ସେ ଟିକେଯ୍‌ କାଉଣ୍ଟର ନିକଟରେ ଥିବା ବ୍ୟାଟେରି ଚାଳିତ ଯାନର ସହାୟତା ନେବାକୁ ସେଠି ଡିଉଟି କରୁଥିବା ସୁରକ୍ଷା କର୍ମୀଙ୍କୁ କହିଲେ। ମାତ୍ର ଚାଳକ ନଥିବାରୁ ତାଙ୍କୁ ଉକ୍ତ ସୁବିଧା ମିଳିଲା ନାହିଁ। ବାଧ୍ୟ ହୋଇ ବଡ଼ କଷ୍ଟରେ ସେ ବାପାଙ୍କୁ ଟେକି ଟେକି ଓପିଡି ପର୍ଯ୍ୟନ୍ତ ନେଲେ। ଏହା କେବଳ ଲଳିତଙ୍କ ସମସ୍ୟା ନୁହେଁ। ଏମିତି ଶହ ଶହ ଲଳିତ ପ୍ରତିଦିନ ସମସ୍ୟାରେ ପଡ଼ୁଛନ୍ତି। କାରଣ ଭୁବନେଶ୍ବର ଏମ୍‌ସରେ ଅଚଳ ହୋଇ ପଡ଼ିଛି ଇଲେକ୍ଟ୍ରିକ୍ ଭେଇକିଲ୍(ଇଭି) ବା ବ୍ୟାଟେରିଚାଳିତ ଯାନ। ହସ୍ପିଟାଲ୍ ପରିସରରେ ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କୁ ନେବା ଆଣିବା କରିବା ସହ ମେଡିକାଲ୍ ଭିତରେ ରୋଗୀଙ୍କୁ ୱାର୍ଡକୁ ବୋହିବା ପାଇଁ ନିୟୋଜିତ ଥିବା ଏହି ବିଦ୍ୟୁତ୍ ଚାଳିତ ଯାନ ସେବା ବର୍ତ୍ତମାନ ବନ୍ଦ ପଡ଼ିଛି। ଚାଳକ ନିଯୁକ୍ତ ହୋଇନଥିବାରୁ ଏହି ଯାନ ପରିଚାଳନା ଆମ୍ବୁଲାନ୍‌ସ ଚାଳକଙ୍କ ଉପରେ ନିର୍ଭର କରୁଛି। ଆମ୍ବୁଲାନ୍‌ସ ଚାଳକଙ୍କୁ ଫୁରସତ୍ ମିଳିଲେ ଯାଇ ଏହି ଯାନ ଚଳାଚଳ ହେଉଛି। ନଚେତ୍ ମାସର ପ୍ରାୟ ସବୁ ଦିନ ବନ୍ଦ ରହୁଛି। ଏମ୍‌ସକୁ ପ୍ରତିଦିନ ହଜାର ହଜାର ରୋଗୀ ଆସୁଥିବାବେଳେ ଓ ସବୁ ସମୟରେ ଗୁରୁତର ରୋଗୀଙ୍କ ସମାଗମ ହେଉଥିବାରୁ ଏହି ଯାନର ଗୁରୁତ୍ବ ରହିଛି। କିନ୍ତୁ ଯିବା ଏହି ଯାନ ଚଳାଇବାକୁ ଚାଳକ ନିଯୁକ୍ତି ନ ହେବା ଓ ଯାନ ରୋଗୀଙ୍କ ସେବାରେ ନଆସିବା ଯୋଗୁଁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସୂଚନାଯୋଗ୍ୟ ୧୦୦ ଏକର ପରିମିତ ଅଞ୍ଚଳରେ ଛିଡ଼ା ହୋଇଥିବା ମଲ୍ଟି ହସ୍ପିଟାଲ୍‌ରେ ୪୩ ବିଭାଗରେ ରୋଗୀଙ୍କୁ ଚିକିତ୍ସା କରାଯାଉଛି। କଫ, ରକ୍ତ, ମଳ, ମୂତ୍ର ଆଦି ବହୁ ପରୀକ୍ଷା ମାଇକ୍ରୋବାୟୋଲଜି ବିଭାଗରେ ହେଉଛି। ଏହି ବିଭାଗ ମୁଖ୍ୟ ବିଲ୍‌ଡିଂରୁ ପ୍ରାୟ ଅଧ କିମି ଦୂରରେ। ଜରୁରୀକାଳୀନସ୍ଥିତିରେ ରୋଗୀଙ୍କ ସମ୍ପର୍କୀୟମାନେ ରିପୋର୍ଟ ସଂଗ୍ରହ କରିବାକୁ ହେଲେ ସେମାନଙ୍କୁ ଚାଲି ଚାଲି ଯିବାକୁ ପଡ଼ୁଛି। ଫଳର ରୋଗୀର ସଂପର୍କୀୟମାନେ ଏ ବ୍ଲକ୍‌ରୁ ସେ ବ୍ଲକ୍‌ ଚାଲି ଚାଲି ଯିବାରେ ବହୁ ସମୟ ନଷ୍ଟ ହେଉଛି। ସେହିଭଳି ଜରୁରୀକାଳୀନ ପରିସ୍ଥିତିରେ ରୋଗୀ ହସ୍ପିଟାଲ୍‌ରେ ଆଡ୍‌ମିସନ ହେବାଠୁ ଆରମ୍ଭ କରି ଡିସ୍‌ଚାର୍ଜ ହେବା ପର୍ଯ୍ୟନ୍ତ ସେମାନଙ୍କୁ ନେବା ଆଣିବା ପାଇଁ ଗାଡ଼ି ସୁବିଧା ନଥିବାରୁ ପରିବାର ଲୋକେ ଟେକି ଟେକି ଆଣିବାକୁ ବାଧ୍ୟ ହେଉଛନ୍ତି। ଦୂରଦୁରାନ୍ତରୁ ରୋଗୀଙ୍କୁ ନେଇ ଏକୁଟିଆ ଆସିଥିବା ଆଟେଣ୍ଡାଣ୍ଟ୍ ବହୁ ସମସ୍ୟାରେ ପଡ଼ୁଛନ୍ତି। ଅନ୍ୟର ସହାୟତା ନ ମିଳିଲେ ବିଚରା ଆଟେଣ୍ଡାଣ୍ଟ ରୋଗୀଙ୍କୁ ଧରି ବଡ଼ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି।

ଅପରପକ୍ଷରେ ମେଡିକାଲ୍ ଭିତରେ ଥିବା ରୋଗୀଙ୍କ ଚିକିତ୍ସାଠୁ ଆରମ୍ଭ କରି ବିଲିଂ କରିବା, ଔଷଧ ଆଣିବା ତଥା ଅନ୍ୟାନ୍ୟ ରୋଗର ଡାକ୍ତରଙ୍କୁ ଦେଖାଇବା ପାଇଁ ରୋଗୀଙ୍କ ସମ୍ପର୍କୀୟଙ୍କୁ ବାରମ୍ବାର ଉପରତଳ ହେବାକୁ ପଡ଼ୁଛି। ଫଳରେ ରୋଗୀଙ୍କ ସମ୍ପର୍କୀୟମାନେ ଡାକ୍ତରଖାନାକୁ ଦେଖାଇବାକୁ ଆଣିବା ପାଇଁ ଯମ ଯନ୍ତ୍ରଣା ଭୋଗୁଥିବା କହିଛନ୍ତି। ଏନେଇ ଏମ୍‌ସର ମେଡିକାଲ୍ ସୁପରଭାଇଜର୍ ତନ୍ମୟ କୁମାର ନାୟକ କହିଛନ୍ତି ଯେ ମୋଟ ୪ଟି ଇଭି ରହିଛି। ସେଥିମଧ୍ୟରୁ ୩ଟି ଚାଲୁଥିବା ବେଳେ ଆଉ ଗୋଟିଏ ବ୍ୟାଟେରି ଖରାପ ହୋଇଯାଇଛି। ଇଭିକୁ ଚଳାଇବା ପାଇଁ ଚାଳକ ନିଯୁକ୍ତ ହୋଇନଥିବାରୁ ଆମ୍ବୁଲାନ୍‌ସ ଚାଳକମାନେ ଚଳାଉଛନ୍ତି।

ସମ୍ବନ୍ଧିତ ଖବର