ତମାଣ୍ଡୋ ବାଉଁଶଜୋର ହେଲା ଶୁଖିଲା ନାଳ
ଅସରାଏ ବର୍ଷାରେ ବନ୍ୟା, ବ୍ୟାବସାୟିକ ସଂସ୍ଥାଙ୍କ କବ୍ଜାରେ ଆର୍ଦ୍ରଭୂମି
ଭୁବନେଶ୍ବର: ତମାଣ୍ଡୋ ବାଉଁଶଜୋର ଏବେ ଶୁଖିଲା ନାଳ ପାଲଟିଛି। ଯେଉଁ ନାଳାରେ ବିପୁଳ ଜଳରାଶି ଡେରାସରୁ ବାହାରି କଣ୍ଟାବାଡ଼, ଦେଉଳିଆପାଟଣା, ପାଇକରାପୁର, ସାଁପୁର, ତମାଣ୍ଡୋ ଦେଇ ଗଙ୍ଗୁଆରେ ମିଶୁଥିଲା ଓ ତାହା ଦିନେ ଖୁବ୍ ଚଉଡ଼ା ଥିଲା, ଆଜି ତାହା ଶୁଖିଲା ପଡ଼ିଆ ହୋଇପଡ଼ିଛି। ଏଥିସହିତ ଯେଉଁ ନାଳଟି ରହିଛି, ସେଠାରେ ଡାକ୍ତରଖାନାଗୁଡ଼ିକରୁ ବିନା ବିଶୋଧନର ପାଣି ପଡ଼ୁଥିବା ବେଳେ ଘରୋଇ ଆବର୍ଜନା ପାଣି ମିଶୁଥିବାରୁ ଗଙ୍ଗୁଆ ମଧ୍ୟ ବିଷାକ୍ତ ହେଉଛି। ପୂର୍ବଭଳି ଏହି ନାଳା ବର୍ଷା ପାଣିକୁ ବାନ୍ଧି ରଖିପାରୁନାହିଁ। ଏଥିଯୋଗୁଁ ବିଭିନ୍ନ ସ୍ଥାନରେ ପାଣି ଜମି ରହି ବିପଜ୍ଜନକ ସ୍ଥିତି ସୃଷ୍ଟି କରୁଛି।
ବିଶେଷଜ୍ଞଙ୍କ ଅନୁସାରେ ୧୯୯୯ ମହାବାତ୍ୟାର ତାଣ୍ଡବ ପରେ ଦକ୍ଷିଣ ଏବଂ ଉପକୂଳବର୍ତ୍ତୀ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଲୋକମାନେ ରାଜଧାନୀମୁହାଁ ହେଲେ। ଖାଲି ସ୍ଥାନ ଦେଖି ରାଜଧାନୀ ନିକଟବର୍ତ୍ତୀ ଗାଁଗୁଡ଼ିକରେ ରହିଲେ। ଏଣେ ଶିକ୍ଷା, ସ୍ବାସ୍ଥ୍ୟ, ନିର୍ମାଣ ସମେତ ବିଭିନ୍ନ କ୍ଷେତ୍ରର ବ୍ୟାବସାୟିକ ସଂସ୍ଥାଙ୍କ ନଜର ତମାଣ୍ଡୋ, ଜାଗମରା, ବରମୁଣ୍ଡା, ଖଣ୍ଡଗିରି, ଘାଟିକିଆ, ସାଁପୁର ସମେତ ଏହାର ନିକଟବର୍ତ୍ତୀ ଗାଁଗୁଡ଼ିକର ଏକର ଏକର ଚାଷ ଜମି ଉପରେ ପଡ଼ିଲା। ଏହି ଅଞ୍ଚଳଗୁଡ଼ିକରେ ଘରୋଇ ଡାକ୍ତରଖାନା, ଆପାର୍ଟମେଣ୍ଟ, ରାଜପଥ ନିର୍ମାଣ ହେବା ପରେ ୨୦୦୪ ମସିହାରୁ ତମାଣ୍ଡୋ ନାଳା ସଙ୍କୁଚିତ ହୋଇ ପଡ଼ିଥିବା କହିଛନ୍ତି ଜାଗମରା ଗାଁର ଅଜୟ ଜେନା।
ଶ୍ରୀ ଜେନାଙ୍କ ଅନୁସାରେ ତମାଣ୍ଡୋ ଜୋର ପାଣିରେ ଘାଟିକିଆ, ସାଁପୁର, ଜାଗମରାର ଏକର ଏକର ଚାଷ ଜମି ଜଳସେଚିତ ହେଉଥିଲା। ସ୍ଥିତି ଏଭଳି ଥିଲା ଯେ ଭୁବନେଶ୍ବର ସହରରୁ ଲୋକେ ଆସି ଜମିରୁ ପରିବା ତୋଳି ଘରକୁ ଯାଉଥିଲେ। ବର୍ତ୍ତମାନ ଅଧିକାଂଶଙ୍କ ଚାଷ ଜମିରେ ବଡ଼ ବଡ଼ କୋଠା ଗଢ଼ି ଉଠିଛି। ଯେଉଁ କାଁ ଭାଁ ଚାଷ ଜମି ଅଛି, ପାଣି ଅଭାବରୁ ଚାଷ ହୋଇପାରୁନାହିଁ। ଡ. ପିୟୂଷ ରଞ୍ଜନ ରାଉତଙ୍କ ଅନୁସାରେ, ତମାଣ୍ଡୋର ଏହି ନାଳ ସମେତ ରାଜଧାନୀସ୍ଥିତ ବିଭିନ୍ନ ନାଳାଗୁଡ଼ିକ ବର୍ଷା ଦିନର ଉଦ୍ବୃତ୍ତ ପାଣି ଏବଂ ଖରାଦିନରେ ତାପମାତ୍ରାକୁ ନିୟନ୍ତ୍ରିତ କରିରଖୁଥିଲା। ବର୍ତ୍ତମାନ ନାଳ ସଙ୍କୁଚିତ ହେବାରୁ ଡେରାସରୁ ନିଷ୍କାସିତ ପାଣି ପ୍ରବାହିତ ହେବାକୁ ଆଉ ସ୍ଥାନ ରହୁନାହିଁ।
ଫଳରେ ସାମାନ୍ୟ ବର୍ଷାରେ ତମାଣ୍ଡୋରୁ ଇସ୍କନ ମନ୍ଦିର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପାଣି ଜମି ରହୁଛି। ରାଜଧାନୀରେ ଯେଉଁଭଳି ବସନ୍ତ ଋତୁ ଗାଏବ ହୋଇଛି, ଏହା ତମାଣ୍ଡୋ ଭଳି ବିଭିନ୍ନ ନାଳ ଅସ୍ତିତ୍ବ ହରାଇବାର ଅନ୍ୟତମ ପରିଣାମ ଅଟେ। କହିବାକୁ ଗଲେ ଏହା କେବଳ ନିର୍ଦିଷ୍ଟ ଅଞ୍ଚଳକୁ ପ୍ରଭାବିତ କରୁନାହିଁ, ବରଂ ଏହାର ପ୍ରଭାବ ବ୍ୟାପକ ହେଲାଣି। ଏଭଳି ସ୍ଥିତିରେ ପ୍ରାକୃତିକ ନାଳଗୁଡ଼ିକ ସଂଯୋଗୀକରଣ କରି ଉପଯୁକ୍ତ ପରିଚାଳନା ସହିତ ବର୍ଷା ଜଳ ଅମଳ ପ୍ରକଳ୍ପ ଭାବରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଥିବା ଡ. ପିୟୂଷ କହିଛନ୍ତି। ଏଥିଜରିଆରେ ରାଜଧାନୀର ଇକୋ ସିଷ୍ଟମକୁ ସୁଦୃଢ଼ କରାଯାଇପାରିବ ଓ ବର୍ଷା ଦିନରେ କୃତ୍ରିମ ବନ୍ୟା ସମସ୍ୟା ସମାଧାନ ହୁଅନ୍ତା ବୋଲି ସେ କହିଛନ୍ତି।