‘ଅସୀମ ପ୍ରଜ୍ଞାର ସିନ୍ଧୁ ଥିଲେ ବାଉରୀବନ୍ଧୁ: ରୋହିତ ପୂଜାରୀ

ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ଅସୀମ ପ୍ରଜ୍ଞାର ସିନ୍ଧୁ ଥିଲେ ପ୍ରଫେସର୍‌ ବାଉରୀବନ୍ଧୁ। ସେ ଏକାଧାରରରେ ଜଣେ ଶିକ୍ଷାବିତ୍‌, ଗବେଷକ, ସୁଲେଖକ ଓ ସୁବକ୍ତା ଥିଲେ। ଓଡ଼ିଆ ଭାଷା, ସାହିତ୍ୟ; ବିଶେଷକରି ସମାଲୋଚନା ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିବାରେ ତାଙ୍କର ବଳିଷ୍ଠ ଅବଦାନ ରହିଛି। ପିଲାବେଳେ ଜଣେ ଭଲ ଛାତ୍ର ଭାବେ ସେ ଯେମିତି ସୁନାମ ଅର୍ଜନ କରିଥିଲେ, ଛାତ୍ରବତ୍ସଳ ଅଧ୍ୟାପକ ଭାବେ ଠିକ୍‌ ସେମିତି ସୁନାମ ପାଇଥିଲେ। ଅନେକ ଅନୁଷ୍ଠାନ ସହ ଜଡ଼ିତ ରହି ଓଡ଼ିଶାର ବିକାଶ ପାଇଁ କାମ କରୁଥିଲେ। ଅହଂକାରଶୂନ୍ୟ ହୋଇ ସମସ୍ତଙ୍କୁ ନିଜର କରିବାର କଳା ତାଙ୍କ ପାଖରେ ଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନ ପ୍ରେକ୍ଷାଳୟରେ ଅନୁଷ୍ଠିତ ପ୍ରଫେସର ବାଉରୀବନ୍ଧୁ କରଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଆଜି ଏହା କହିଛନ୍ତି।

ଡ. ବିମ୍ବାଧର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟବକ୍ତା ଭାବେ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇ କହିଲେ, ବାଉରୀବନ୍ଧୁ ଜଣେ ଆଦର୍ଶ ଅଧ୍ୟାପକ ଥିଲେ। ଗଦ୍ୟ ସାହିତ୍ୟ ଗାଣତନ୍ତ୍ରିକ ବ୍ୟବସ୍ଥାକୁ କିପରି ସମୃଦ୍ଧ କରେ, ତାହା ତାଙ୍କ ଗଦ୍ୟ ରଚନାରୁ ସ୍ପଷ୍ଟ ବାରି ହୋଇପଡ଼େ। ସେ ଓଡ଼ିଆ ଭାଷା ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ଥିଲେ। ଖୁବ୍‌ଶୀଘ୍ର ତାଙ୍କର ଶୂନ୍ୟସ୍ଥାନ ପୂରଣ କରିବା ପାଇଁ ସଂକଳ୍ପ ନେବା ଆବଶ୍ୟକ। ଏଥିସହ କାରିଗରୀ କୌଶଳକୁ ଶତ୍ରୁ ଭାବେ ବିବେଚନା ନକରି ଏହାକୁ ବ୍ୟବହାର କରି ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିପାରିଲେ, ବାଉରୀବନ୍ଧୁଙ୍କ ପାଇଁ ତାହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଥିଲେ।
ସମ୍ମାନିତ ବକ୍ତା ଭାବେ ବସନ୍ତ ପଣ୍ଡା, ପ୍ରଫେସର୍‌ ଆଦିକନ୍ଦ ସାହୁ, ସମ୍ମାନିତ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ହୃଷୀକେଶ ମଲ୍ଲିକ, ଧୀରେନ୍ଦ୍ର ନାଥ କର, ପୂର୍ବତନ ପ୍ରଶାସକ ପ୍ରଦୀପ ବିଶ୍ବାଳ ପ୍ରମୁଖ ଯୋଗଦେଇ ପ୍ରଫେସର୍‌ କରଙ୍କ ସ୍ମୃତିଚାରଣ କରିଥିଲେ।

ଓଡ଼ିଆ ଗଦ୍ୟ ସାହିତ୍ୟର ସେ ଜଣେ ଅଗ୍ରଣୀ ବ୍ୟକ୍ତିତ୍ବ: ସୌମ୍ୟରଂଜନ

ଏହି ଅବସରରେ ପ୍ରଫେସର୍‌ କରଙ୍କ ଉପରେ ନିର୍ମିତ ବୃତ୍ତଚିତ୍ର ‘ଅସୀମ ପ୍ରଜ୍ଞାର ସିନ୍ଧୁ: ବାଉରୀବନ୍ଧୁ’ ଏବଂ ପ୍ରଫେସର କରଙ୍କ ଗ୍ରନ୍ଥ ‘ମୋ ଅନ୍ତେ: ମୋ ସ୍ବର’କୁ ଅତିଥିମାନେ ଲୋକାର୍ପଣ କରିଥିଲେ। ଗ୍ରନ୍ଥ ସମ୍ପର୍କରେ ଶରତ ଚନ୍ଦ୍ର ମହାନ୍ତି ସୂଚନା ଦେଇଥିଲେ। ବୃତ୍ତଚିତ୍ରର ନିର୍ମାତା ତୁଷାରକାନ୍ତି ପରିଚ୍ଛା, ଫ୍ରେଣ୍ଡସ୍‌ ପବ୍ଲିସର୍ସର ସ୍ବତ୍ବାଧିକାରୀ ସୁଧାଂଶୁ ପ୍ରଧାନ, ପ୍ରଫେସର କରଙ୍କ ଉପରେ ଗବେଷଣା କରୁଥିବା ଅଧ୍ୟାପକ ମନୋଜ ମଲ୍ଲିକ ଓ ସନ୍ତୋଷ ଦାଶଙ୍କୁ ‘ପ୍ରଫେସର ବାଉରୀବନ୍ଧୁ କର ସ୍ମୃତି ସମ୍ମାନ-୨୦୨୨’ ପ୍ରଦାନ କରାଯାଇଥିଲା। ବିଦ୍ୟୁତ୍‌ପ୍ରଭା ସାହୁ ଓ ଆଶୋକ ଦାସ ମାନପତ୍ର ପାଠ କରିଥିଲେ। ଚିତ୍ତରଂଜନ ମିଶ୍ର ସଭା ପରିଚାଳନା କରିଥିଲେ। ଶୁଭ୍ରା ନନ୍ଦ ବେଦ ପାଠ ଓ ଅନୁଷ୍ଠାନର ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ପ୍ରଫେସର କରଙ୍କ ଝିଅ ଶୁଭଶ୍ରୀ କର ଅତିଥି ପରିଚୟ ଓ ପୁଅ ଶୁଭାଶିଷ କର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର