ଭୁବନେଶ୍ବର, ୩୧।୧(ଇମିସ): ଶୀତୁଆ ପାଗକୁ ରବିବାରିଆ ଛୁଟି; ରାଜଧାନୀବାସୀଙ୍କୁ ମେଳା ପଡ଼ିଆକୁ ଟାଣି ଆଣିଥିଲା। କରୋନା ଭୟକୁ ଖାତିର୍‌ ନ କରି ଲୋକେ ମେଳା ବୁଲିବା ପାଇଁ ଘରୁ ଗୋଡ଼ କାଢ଼ିଥିଲେ। ଫଳରେ ସହରର ବିଭିନ୍ନ ପଡ଼ିଆରେ ଚାଲିଥିବା ମେଳା ଓ ପ୍ରଦର୍ଶନୀରେ ଆଜି ଦର୍ଶକଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ଜନତା ମଇଦାନରେ ଚାଲିଥିବା ତୋଷାଳି ମେଳା ହେଉ କି ଆଦିବାସୀ ପଡ଼ିଆର ଆଦିବାସୀ ମେଳା ଅବା ପ୍ରଦର୍ଶନୀ ପଡ଼ିଆର ଜାତୀୟ ହସ୍ତତନ୍ତ ମେଳା; ସବୁଠି ଭିଡ଼ ଜମାଇଥିଲେ ହଜାର ହଜାର ଲୋକ। ଅପରାହ୍‌ଣ ୨ଟା ବେଳୁ ମେଳା ପରିସରକୁ ଦର୍ଶକ ଛୁଟିବା ଆରମ୍ଭ କରିଥିଲେ। ସଂଧ୍ୟା ବେଳକୁ ପୂରା ‌ଲୋକାରଣ୍ୟ ହୋଇଯାଇଥିଲା। ରାତି ପ୍ରାୟ ୧୦ଟା ଯାଏ ଏମିତି ଗହଳଚହଳ ଲାଗି ରହିବା ସହ ‌ବିକ୍ରିବଟା ବି ଜୋର୍‌ସୋର୍‌‌ରେ ଚାଲିଥିଲା।

Advertisment

‘ବୟନିକା’ ଷ୍ଟଲରେ ୫୦ଲକ୍ଷରୁ ଊର୍ଧ୍ବ ବ୍ୟବସାୟ
ରବିବାର ଥିଲା ଜାତୀୟ ହସ୍ତତନ୍ତ ମେଳାର ଦ୍ୱାଦଶ ଦିବସ। ମେଳାରେ ଦିନକୁ ଦିନ ଗ୍ରାହକଙ୍କ ଭିଡ଼ ଜମିବାରେ ଲାଗିଛି। ଶନି ଓ ରବିବାର ଛୁଟି ଦିନ ଥିବାରୁ ମେଳାରେ ଗ୍ରାହକଙ୍କ ଭିଡ଼ ଜମିବା ସହିତ ଜିନିଷ ବାଛି କିଣିବାର ଭଲ ସୁଯୋଗ ସୃଷ୍ଟି କରିଥିଲା। ଜାନୁଆରି ୨୦ରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ମେଳାରେ ପ୍ରାୟ ତିନି କୋଟି ଟଙ୍କାର ବ୍ୟବସାୟ ହୋଇଛି। କେବଳ ‘ବୟନିକା’ ଷ୍ଟଲ୍‌ରେ ୫୦ଲକ୍ଷ ଟଙ୍କାରୁ ଅଧିକ ବ୍ୟବସାୟ ହୋଇଛି। ‘ବୟନିକା’ ବ୍ୟତୀତ ଆନ୍ଧ୍ରପ୍ରଦେଶର ‘ଆପ୍‌କୋ’, ତାମିଲନାଡ଼ୁର ‘କୋପ୍‌ଟେକ୍ସ’, ମଧ୍ୟପ୍ରଦେଶର ‘ମୃଗନୟନୀ’, ଜାମ୍ମୁ-କାଶ୍ମୀରର ‘କାସ୍‌ଫାବ୍‌’, ପଶ୍ଚିମବଙ୍ଗ, ଦିଲ୍ଲୀ ଓ ହରିୟାନାର ହସ୍ତତନ୍ତ ସମିତି ଓ ଅନୁଷ୍ଠାନଗୁଡ଼ିକ ଭଲ ବ୍ୟବସାୟ କରିଥିବାରୁ ସେମାନେ ଖୁସି ଜାହିର କରିଥିଲେ। ଫେବ୍ରୁଆରି ଅର୍ଥାତ୍‌ ମାଘ ମାସ ବିବାହ ଋତୁ ଥିବାରୁ ଆଗାମୀ ୧୭ ଦିନରେ ମେଳାରେ ଭଲ ବିକ୍ରି ହେବ ବୋଲି ସମସ୍ତ ଅଂଶଗ୍ରହଣକାରୀ ସଂସ୍ଥା ଆଶାବାଦୀ ଅଛନ୍ତି। ହସ୍ତତନ୍ତ ଗ୍ରାହକଙ୍କ ମଧ୍ୟରେ ଜାତୀୟ ହସ୍ତତନ୍ତ ମେଳା ପ୍ରତି ସ୍ୱତନ୍ତ୍ର ଆଗ୍ରହ ରହିଛି।

ଏହି ଜାତୀୟସ୍ତରୀୟ ମେଳାରେ ୧୬ଟି ରାଜ୍ୟର ସମସ୍ତ ପ୍ରକାରର ବସ୍ତ୍ର ଉପଲବ୍ଧ ହେଉଛି। ରୁମାଲଠାରୁ ଆରମ୍ଭ କରି ସିଲ୍କର ଅତି ମୂଲ୍ୟବାନ ଶାଢ଼ି ଏଠାରେ ମିଳୁଛି । ଗ୍ରାହକମାନେ ନିଜ ନିଜର ଆବଶ୍ୟକତା ଅନୁଯାୟୀ ଘର ପାଇଁ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଏଠାରେ ପାଇ ପାରୁଛନ୍ତି। ଆଗାମୀ ୧୭ଦିନରେ ମେଳାରେ ଆହୁରି ଭଲ ବ୍ୟବସାୟ ହେବ ଓ ଅଂଶଗ୍ରହଣକାରୀମାନେ ନିଜର ବ୍ୟାବସାୟିକ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ ବୋଲି ଆଶା କରାଯାଉଛି।

ଆକର୍ଷିତ କରୁଛି ସବାଇ ଘାସ ପ୍ରସ୍ତୁତ ସାମଗ୍ରୀ

କାଗଜ ଓ ଦଉଡ଼ି ପ୍ରସ୍ତୁତିରେ ସବାଇ ଘାସର ବହୁଳ ବ୍ୟବହାର ସମ୍ପର୍କରେ ସମସ୍ତଙ୍କର ଧାରଣା ରହିଛି। ମାତ୍ର ଏଥିରୁ ଯେ ଉନ୍ନତଧରଣର ତଥା ଆକର୍ଷଣୀୟ ଫୁଲଝୁଡ଼ି, ଡଷ୍ଟବିନ୍‌, ମ୍ୟାଟ୍‌, ହଟ୍‌କେସ୍‌, ସପିଂ ବ୍ୟାଗ୍‌, ବୋତଲ, ବ୍ୟାଗ୍‌ ଓ ଟ୍ରେ’ ପ୍ରସ୍ତୁତ ହୋଇପାରିବ, ତାହା ଖୁବ୍‌ କମ୍‌ ଲୋକ ଜାଣିଛନ୍ତି। ଆଦିବାସୀ ମେଳା ପଡ଼ିଆରେ ବିକ୍ରି ହେଉଥିବା ଏସବୁ ସାମଗ୍ରୀ ମେଳାର ଶୋଭା ବଢ଼ାଉଥିବା ବେଳେ ଏହାକୁ କିଣିବାକୁ ରାଜଧାନୀବାସୀଙ୍କ ମଧ୍ୟରେ ବେଶି ଆଗ୍ରହ ପରିଲକ୍ଷିତ ହେଉଛି। ସବାଇ ଘାସରୁ ତିଆରି ସାମଗ୍ରୀଗୁଡ଼ିକ ମଧ୍ୟରୁ ଫୁଲ ଚାଙ୍ଗୁଡ଼ି, ପାଛିଆ, ବ୍ୟାଗ୍ ସହିତ ବିଭିନ୍ନ ଘରକରଣା ଉପକରଣ ରାଜ୍ୟ ବାହାରେ ମଧ୍ୟ ଆଦୃତି ଲାଭ କରିଛି। ଆଦିବାସୀମାନେ ନିଜ ଗ୍ରାମରେ ସବାଇ ଘାସ ଚାଷ କରି ସେ ସବୁକୁ ଆଣି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ମେଳା ମଣ୍ଡପରେ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ନିଜ ହାତରେ ଏହି ଜିନିଷ ସବୁ ତିଆରି କରୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି।

ମୟୂରଭଂଜ ଜିଲ୍ଲାର ମୋରଡ଼ା ଓ ଶୁଳିଆପଦା ବ୍ଲକର ମହିଳା ଆଗରୁ ଘୋର ଦାରିଦ୍ର‌୍ୟ ଓ ଅନଟନ ମଧ୍ୟରେ ଜୀବନ ଅତିବାହିତ କରୁଥିବା ବେଳେ ଏବେ ସବାଇ ଘାସରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ବେଶ୍ ଦୁଇ ପଇସା ରୋଜଗାର କରିପାରୁଛନ୍ତି। ମୟୂରଭଞ୍ଜ ଜିଲ୍ଲାର ୧୩ଟି ମାଇକ୍ରୋ ପ୍ରୋଜେକ୍ଟରେ ଏହି ପ୍ରସ୍ତୁତି ଚାଲିଥିବା ବେଳେ ଦାୟିତ୍ୱରେ ଥିବା ମହିଳା ଅଧିକାରୀ ମମତା ଗ୍ରହାଚାର୍ଯ୍ୟ କହିଛନ୍ତି, ଆଦିବାସୀ ମେଳାର ଆଜି ଥିଲା ଷଷ୍ଠ ଦିବସ। ଛୁଟିଦିନ ଥିବାରୁ ମେଳା ପରିସରରେ ବେଶ୍ ଗହଳି ଲକ୍ଷ୍ୟ କରାଯାଇଥିଲା। ବିଭିନ୍ନ ହସ୍ତନିର୍ମିତ ସାମଗ୍ରୀ ପ୍ରଦର୍ଶନ କରାଯାଉଥିବା ଷ୍ଟଲରେ ଅପେକ୍ଷାକୃତ ଅଧିକ ଭିଡ଼ ହୋଇଥିଲା। ମେଳାରୁ ବହୁ ମହିଳା ହାତରେ ଫୁଲଝାଡ଼ୁ ଓ ଅନ୍ୟ ଘରକରଣା ସାମଗ୍ରୀ ଧରି ଫେରୁଥିବାର ଦୃଶ୍ୟ ଦେଖାଯାଇଥିଲା। ସେହିପରି ତୋଷାଳି ମେଳାରେ ମଧ୍ୟ ବିଭିନ୍ନ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ କିଣିବାକୁ ଲୋକଙ୍କ ଭିଡ଼ ଦେଖାଯାଇଥିଲା।