ଭୁବନେଶ୍ବର: ଇଂରେଜମାନଙ୍କ ହାତରେ ୧୨ ବର୍ଷର ବାଳକ ବାଜି ରାଉତର ମୃତ୍ୟୁ ହୃଦୟବିଦାରକ ତଥା ଅତୀବ ଦୁଃଖଦାୟକ। ନାଆରେ ପାରି କରିବାକୁ ମନା କରିଦେବାରୁ ଇଂରେଜମାନେ ତାକୁ ଗୁଳି କରି ହତ୍ୟା କରିଥିଲେ। ଆଜି ଭଂଜ କଳାମଣ୍ଡପରେ କୁନି କୁନି ପିଲାଙ୍କ ଦ୍ବାରା ପରିବେଷିତ ନାଟକ ‘ବାଜି ରାଉତ’ ଏହି ଐତିହାସିକ ଘଟଣାବଳୀକୁ ପୁଣି ଥରେ ଜୀବନ୍ତ କରିଦେଇଥିଲା। ନାଟକର ପରିକଳ୍ପନା ଓ ନିର୍ଦ୍ଦେଶନା ଦୋଳଗୋବିନ୍ଦ ରଥ କରିଥିବା ବେଳେ ସହ ନିର୍ଦ୍ଦେଶନା ଦେଇଥିଲେ ଧୀର ମଲ୍ଲିକ।
ନାଟ୍ୟାନୁଷ୍ଠାନ ‘ଶତାବ୍ଦୀର କଳାକାର’ ଓ ନୂଆଦିଲ୍ଲୀସ୍ଥିତ ନ୍ୟାସ୍ନାଲ୍ ସ୍କୁଲ୍ ଅଫ୍ ଡ୍ରାମା ଆନୁକୂଲ୍ୟରେ ‘ପ୍ରଯୋଜନାଭିତ୍ତିକ ଶିଶୁ ନାଟ୍ୟ କର୍ମଶାଳା’ ଭଞ୍ଜ କଳାମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାର ଶେଷରେ କୁନି କୁନି ପିଲାମାନଙ୍କ ଦ୍ୱାରା ‘ବାଜି ରାଉତ’ ନାଟକ ମଞ୍ଚସ୍ଥ ହୋଇଥିଲା। ମଞ୍ଚରେ ଶିଶୁ କଳାକାର ଆଭା, ସାଇସୁଗନ୍ଧା ଗାହାଣ, ନୈତିକ୍, ଲାୟରା, ତନୁଶ୍ରୀ, କେ. ମନସ୍ୱିନୀ, ଭୂମିକା, ଏମ୍ ଅନୁରିମା. ସାଇଶଙ୍କର, ସଞ୍ଜନା, ବିଶ୍ୱଜିତ୍, ରିଜୁଆନା, ପ୍ରିୟଦର୍ଶିନୀ, ଶୁଭସ୍ମିତା, ଦିବ୍ୟାଂଶ, ଦିବ୍ୟଜ୍ୟୋତି, ନୈମିଷା, ସୂର୍ଯ୍ୟକାନ୍ତ, ଆଲିଶା, ଲିନ୍ସି, ତପସ୍ୱୀ, ଶିବାନୀ, ସୋନମ୍, ଓମ୍ ପ୍ରିୟ ଓ ସମୀକ୍ଷା ପ୍ରମୁଖ ଅଭିନୟ କରିଥିଲେ।
ସନ୍ଧ୍ୟାରେ ଅତିଥି ଭାବେ ଏନ୍ଏସ୍ଡି ପ୍ରଫେସର୍ ଅରୁଣ ମଲ୍ଲିକ, ଶତାବ୍ଦୀର କଳାକାରର ସଭାପତି ଗୌରହରି ଦାସ, ନିର୍ଦ୍ଦେଶକ ଦୋଳଗୋବିନ୍ଦ ରଥ ଓ ଧିର ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। କର୍ମଶାଳାରେ ଅତିଥି ଅଧ୍ୟାପକ ଭାବେ ନୃତ୍ୟରେ ଗୁରୁ ଦେବବ୍ରତ ଦାସ, ତାଳବାଦ୍ୟରେ ପ୍ରତାପ ରାଉତ, ସ୍ୱରରେ ବିବେକ ରାଉତ, ଚିତ୍ରକଳାରେ ପ୍ରଭାତ ମହରଣା, ଯୋଗ ଓ ବ୍ୟାୟାମରେ ବିଶ୍ୱନାଥ କରଣ, କାହାଣୀ ଉପସ୍ଥାପନାରେ ଡ. ଆଲୋକ ଅଗ୍ନିବେଶ ପ୍ରମୁଖ ଯୋଗ ଦେଇଥିଲେ।