ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରର ୟୁନିଟ-୧ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କର(ଏସ୍ବିଆଇ) ମୁଖ୍ୟ ଶାଖା ଆହୁରି ୪ ଦିନ ବନ୍ଦ ରହିବ। ମୁଖ୍ୟ କାର୍ଯ୍ୟାଳୟରେ ଆହୁରି ଅଧିକ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଫଳରେ କାର୍ଯ୍ୟାଳୟର ଉଭୟ ତଳ ଓ ପ୍ରଥମ ମହଲା କୋଠାକୁ ଆଜିଠାରୁ ଅର୍ଥାତ ୮ ରୁ ୧୧ ତାରିଖ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି।
ଜାଣିବାକୁ ମିଳିଛି ଯେ ଅଧିକ ସଂକ୍ରମିତ ଚିହ୍ନଟ ହେବାରୁ ଦୁଇ ଦିନ ଅଫିସ ସିଲ୍ ହୋଇଥିବା ବେଳେ ୧୦ ତାରିଖ ଦ୍ୱିତୀୟ ଶନିବାର ଓ ୧୧ ତାରିଖ ରବିବାର ପଡୁଥିବାରୁ ବନ୍ଦ ରହିବ ବ୍ୟାଙ୍କ କାର୍ଯ୍ୟାଳୟ ।
ଉଲ୍ଲେଖଯୋଗ୍ୟ, ଏକାଥରକ ୭ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଗତ ୪ ତାରିଖରେ ଭୁବନେଶ୍ୱରର ୟୁନିଟ-୧ରେ ଥିବା ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଶାଖାକୁ ସିଲ କରିଥିଲା ବିଏମସି। ୪ ତାରିଖରୁ ୬ ତାରିଖ ଦୁଇ ଦିନ(୪୮ ଘଣ୍ଟା) ପାଇଁ ଏହି ଶାଖାକୁ ସିଲ କରାଯାଇଥିଲା। ତେଣୁ ଲୋକଙ୍କୁ ମୁଖ୍ୟ କାର୍ଯ୍ୟାଳୟକୁ ନଆସି ଅନଲାଇନରେ କାରବାର କରିବାକୁ କୁହାଯାଇଥିଲା। ଏବେ ପୁଣି ଥରେ ସେହି ଶାଖାକୁ ୪୮ ଘଣ୍ଟା ପାଇଁ ସିଲ୍ କରାଯାଇଛି।