ସର୍ବକ୍ଷମା ଯୋଜନା: ଅଢ଼େଇ ମାସରେ ୧୭ ଆବେଦନ

ହସ୍ପିଟାଲ, ହୋଟେଲ, ଆପାର୍ଟମେଣ୍ଟ, ବଡ଼ ଅନୁଷ୍ଠାନ ସିଲ୍‌ ହେବ, ୬ମାସ ମଧ୍ୟରେ ରେଗୁଲାରାଇଜ୍‌ ନକଲେ ଘର ଭଙ୍ଗା ହେବ

ଭୁବନେଶ୍ୱର: ରାଜ୍ୟର ୯ଟି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନରେ ଗଢ଼ି ଉଠିଥିବା ବେଆଇନ ନିର୍ମାଣକୁ ଆଇନସମ୍ମତ ବା ରେଗୁଲାରାଇଜ୍‌ କରିବା ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜୁନ୍‌ ୨୦ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ସର୍ବକ୍ଷମା ଯୋଜନାରେ ୬ ମାସ ମଧ୍ୟରେ ସମସ୍ତ ବେଆଇନ ନିର୍ମାଣକୁ ନିୟମ ଅନୁଯାୟୀ ଆଇନସମ୍ମତ କରିବାକୁ ସୁଯୋଗ ଦିଆଯାଇଛି। ଯଦି ଏହା ଭିତରେ ଯେଉଁମାନେ ସେମାନଙ୍କ ବେଆଇନ ନିର୍ମାଣକୁ ଆଇନସମ୍ମତ ନକରିବେ ସେଗୁଡ଼ିକୁ ଭାଙ୍ଗି ଦିଆଯିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି। ବିଜ୍ଞପ୍ତି ପ୍ରକାଶ ପାଇବା ପରେ କେତୋଟି ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରେ ଲୋକ ଆବେଦନ କରିବା ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ବିଡିଏରେ ସର୍ବାଧିକ ୧୭ଜଣ ଆବେଦନ କଲେଣି।
ଏହି ଯୋଜନାରେ ଯେପରି ଅଧିକରୁ ଅଧିକ ବେଆଇନ ନିର୍ମାଣକାରୀ ସାମିଲ୍‌ ହେବେ ଏବଂ ସେମାନଙ୍କର କୌଣସି ସମସ୍ୟା ନରହିବ ସେଥିପାଇଁ ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ହେଲ୍ପ ଡେସ୍କ ଖୋଲାଯାଇଛି। ଏଠାରେ ଲୋକମାନେ କିପରି ଆବେଦନ କରିବେ, କ’ଣ କ’ଣ ଡକୁମେଣ୍ଟ ଦେବେ ସେନେଇ ମଧ୍ୟ ସହାୟତା ଯୋଗାଯାଉଛି। ବିଡିଏ ପକ୍ଷରୁ ବିଭିନ୍ନ ରିଅଲ ଇଷ୍ଟେଟ୍‌ ସଂସ୍ଥା, କ୍ଲିନିକ୍‌, ହୋଟେଲ ଓ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ଡାକି ମଧ୍ୟ ଏହି ଯୋଜନା ସମ୍ପର୍କରେ ବୁଝାଯାଇଛି। ଏହାପରେ ଅଢ଼େଇ ମାସରେ ୧୭ଜଣ ଆବେଦନ କରିଥିବା ଜଣାପଡ଼ିଛି। ଏଥିରେ ୧୬ଜଣ ଆବାସିକ ଘର ପାଇଁ ଆବେଦନ କରିଥିବାବେଳେ ଗୋଟିଏ ଆପାର୍ଟମେଣ୍ଟ ପାଇଁ ଆବେଦନ ଆସିଛି। ଆବାସିକ ଗୃହଗୁଡ଼ିକର ତୁରନ୍ତ ପ୍ଲାନ୍‌ ଅନୁମୋଦନ କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

ଏନେଇ ବିଡିଏର ପ୍ଲାନିଂ ମେମ୍ବର ଜି.ଏସ୍‌ ଭୂୟାଁ କହିଛନ୍ତି ଯେ, ପ୍ରଥମ ଦୁଇ ମାସ ଲୋକଙ୍କୁ ଡକୁମେଣ୍ଟ ସଂଗ୍ରହ କରିବାରେ ସମୟ ଲାଗିଲା। ଏବେ ଲୋକମାନେ ଆବେଦନ କରୁଛନ୍ତି। ତେଣୁ ସେମାନଙ୍କୁ ପ୍ଲାନ୍‌କୁ ତୁରନ୍ତ ଅନୁମୋଦନ କରିବାକୁ ନିଷ୍ପତ୍ତି ହୋଇଛି। ଏହାବାଦ୍‌ ଅଧିକ ହୋଟେଲ, କ୍ଲିନିକ୍‌ ଓ ହସ୍ପିଟାଲ, ଶିକ୍ଷାନୁଷ୍ଠାନ, ରିଅଲ ଇଷ୍ଟେଟ୍‌ ସଂସ୍ଥା ଯେପରି ଆବେଦନ କରିବେ ସେଥିପାଇଁ ପଦକ୍ଷେପ ନିଆଯାଉଛି। ସାଧାରଣ ଲୋକଙ୍କ ମନରେ ରହିଛି ଯେ, ବେଆଇନ ନିର୍ମାଣକୁ ଆଇନସମ୍ମତ କଲେ ଅଧିକ ଜରିମାନା ଦେବାକୁ ପଡ଼ିବ। ଏହା ଭୁଲ୍‌ ଧାରଣା। ବିଡିଏର ନିୟମ ଅନୁଯାୟୀ, ଘର ନିର୍ମାଣ କରିବା ସମୟରେ ପ୍ଲାନ୍‌ ପାଇଁ ଆବେଦନ କରିଥିଲେ ଯେତିକି ଟଙ୍କା ଦେଇଥାନ୍ତେ ଏବେ ସେତିକି ଦେଇ ଏହାକୁ ରେଗୁଲାରାଇଜ୍‌ କରିପାରିବେ। ୫% ଓ ୧୦% ପର୍ଯ୍ୟନ୍ତ ଅଧିକ ନିର୍ମାଣ କରିଥିଲେ ବି ‘ପ୍ଲାନିଂ ଆଣ୍ଡ ବିଲ୍‌ଡିଂ ଷ୍ଟାଣ୍ଡାର୍ଡସ ରେଗୁଲେସନ୍ସ-୨୦୧୭’ ଅନୁଯାୟୀ ହିଁ ଟଙ୍କା ଦେବେ। ଏହାଠାରୁ ଅଧିକ ନିର୍ମାଣ କରିଥିଲେ ୧.୪ଗୁଣା ଜରିମାନା ଦେବେ। ୧୦% ଅଧିକ ନିର୍ମାଣ ପାଇଁ ଜରିମାନା ଆଦାୟ ପରେ ଏହା ଲାଗୁ ହେବ। ନିୟମ ବୁଝିବାରେ ସମସ୍ୟା ଥିବାରୁ କେତେକ ଲୋକ ଆବେଦନ କରୁନାହାନ୍ତି। କିନ୍ତୁ ବେଆଇନ ନିର୍ମାଣକାରୀଙ୍କୁ ମନେ ରଖିବାକୁ ହେବ ଯେ, ଡିସେମ୍ବର ୧୯,୨୦୧୮ ଭିତରେ ହିଁ ସେମାନେ ଏହି ଯୋଜନାରେ ଆବେଦନ କରିବେ। ନଚେତ୍‌ ସମସ୍ତ ବେଆଇନ ନିର୍ମାଣ ଉଚ୍ଛେଦ ହେବ କିମ୍ବା ଘର ସିଲ୍‌ କରାଯିବ। ଆବାସିକ ଘରକୁ ଭଙ୍ଗାଯିବ ଏବଂ ହସ୍ପିଟାଲ, ହୋଟେଲ, ଆପାର୍ଟମେଣ୍ଟ, ବଡ଼ ଅନୁଷ୍ଠାନଗୁଡ଼ିକୁ ସିଲ୍‌ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ଅପରପକ୍ଷେ ବିଏମ୍‌ସିରେ ଏପର୍ଯ୍ୟନ୍ତ ଗୋଟିଏ ବି ଆବେଦନ ହୋଇନାହିଁ। ଏନେଇ ବିଏମ୍‌ସିର ପ୍ଲାନିଂ ମେମ୍ବର ବନ୍ଦିତା ମହାପାତ୍ର କହିଛନ୍ତି ଯେ, ୨୦୧୫ ମସିହାରୁ ବିଏମ୍‌ସିକୁ ପ୍ଲାନିଂ ବିଭାଗ ଆସିଛି। ଏହାପରେ ଯେତିକି ଲୋକ ପ୍ଲାନ୍‌ ନେଇଛନ୍ତି ସେଥିରୁ ଅଧିକାଂଶ ଲୋକଙ୍କର ଘର ନିର୍ମାଣ ହୋଇନି କିମ୍ବା ନିର୍ମଣାଧୀନ ଅବସ୍ଥାରେ ଅଛି। ତେଣୁ ଆମ ପାଖକୁ ବହୁତ କମ୍‌ ଆବେଦନ ଆସିପାରେ। ଯେଉଁମାନେ ବିଡିଏରୁ ପ୍ଲାନ୍‌ ନେଇ ବେଆଇନ ନିର୍ମାଣ କରିଛନ୍ତି ସେମାନେ ବିଡିଏରେ ଆବେଦନ କରିବେ। ସେଠାରେ ସେମାନଙ୍କ ପ୍ଲାନ୍‌ ଅନୁମୋଦନ ହେବ। ବିଏମ୍‌ସି ଅଞ୍ଚଳରେ ଯେଉଁମାନେ ବିନା ପ୍ଲାନ୍‌ରେ ଘର ନିର୍ମାଣ କରିଛନ୍ତି ସେମାନେ ଏଠାରେ ଆବେଦନ କରିପାରିବେ।

ସମ୍ବନ୍ଧିତ ଖବର