ଭୁବନେଶ୍ୱର: ବିଡିଏ ଆଲଟ୍‌ମେଣ୍ଟ୍‌ ସେକ୍ସନ୍‌ରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ଉଠିଛି। ବିଡିଏଠୁ ଯଦି କେହି ଜମି ଅବା ଘର କିଣୁଛି, ଏହାର ମାଲିକାନା ପାଇବାକୁ ମୋଟା ଅଙ୍କର ଲାଞ୍ଚ ଗଣିବାକୁ ପଡ଼ୁଥିବା ଅଭିଯୋଗ ହୋଇଛି। ଲାଞ୍ଚ ନ ଦେଲେ ବର୍ଷ ବର୍ଷ ଦୌଡ଼ିଦୌଡ଼ି ଚପଲ ସରି ଯାଉଛି, କିନ୍ତୁ ମାଲିକାନା ସ୍ବତ୍ବ ମିଳିପାରୁନି। ଏଭଳି ଅନିୟମିତତା ସଂପର୍କିତ ଅଭିଯୋଗ ପାଇବା ପରେ ବିଡିଏ ଉପାଧ୍ୟକ୍ଷ ଡ. ଏନ୍. ଥିରୁମାଲା ନାଏକ ଆଲଟ୍‌ମେଣ୍ଟ୍‌ ସେକ୍ସନ୍‌ର ସମସ୍ତ କର୍ମଚାରୀଙ୍କୁ ଅନ୍ୟ ସେକ୍ସନ୍‌କୁ ବଦଳି  ସହ ଦରମା ବନ୍ଦ କରିଥିଲେ। ଏହା ସତ୍ତ୍ବେ ବି ଲାଞ୍ଚ ଖାଇ ହାତ ଚିକ୍କଣ କରି ସାରିଥିବା କର୍ମଚାରୀଙ୍କ ଲାଞ୍ଚଖୋର ମନୋବୃତ୍ତିରେ ପରିବର୍ତ୍ତନ ଆସିନଥିବା ଚର୍ଚ୍ଚା ହେଉଛି। 

Advertisment

ବିଡିଏ ଆଲଟ୍‌ମେଣ୍ଟ୍‌ ସେକ୍ସନ୍‌
ବଦଳି, ଦରମା ବନ୍ଦ ପରେ ବି ସୁଧୁରୁନାହାନ୍ତି

ବିଡିଏଠୁ ଜମି କିଣି ଏହାର ମାଲିକାନା ପାଇଁ ଆବେଦନ କରିଥିବା ଜଣେ ବରିଷ୍ଠ ନାଗରିକ କହିଛନ୍ତି, ଯେହେତୁ କର୍ମଚାରୀମାନେ ୨୦ରୁ ୨୫ ବର୍ଷ ଧରି ଗୋଟିଏ ସେକ୍ସନ୍‌ରେ ରହିଛନ୍ତି ଓ ବିଡିଏ(ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ)ରେ କାମ କରି ଆସୁଛନ୍ତି, ଦୁର୍ନୀତି ବଢ଼ିଚାଲିଛି। ପୁଳାପୁଳା ଟଙ୍କା ନଦେଲେ ବିଡିଏ ଆଲଟ୍‌ମେଣ୍ଟ୍‌ ସେକ୍ସନ୍‌ର ଫାଇଲ ଘୁଞ୍ଚୁନି। ଫାଇଲ୍ ହଜି ଯାଇଛି କହି ହଇରାଣ କରୁଛନ୍ତି। ସେ ଏ ସଂପର୍କରେ ବିଡିଏରେ ଅଭିଯୋଗ କରିଥିଲେ। ଏ ସଂପର୍କିତ ଅଭିଯୋଗ ପରେ ସେକ୍ସନ୍‌ର ସମସ୍ତ କର୍ମଚାରୀଙ୍କ ଦରମା ବନ୍ଦ କରାଯାଇଥିଲା। ଅନ୍ୟ ସେକ୍ସନ୍‌କୁ ବଦଳି କରାଯାଇଥିଲା। କିନ୍ତୁ କୌଣସି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଗଲାନି। ଯଦ୍ବାରା ବିଡିଏ କାର୍ଯ୍ୟାଳୟରେ ସ୍ବଚ୍ଛତା ଆସିପାରୁନାହିଁ। ଜଣେ ମଧ୍ୟବିତ୍ତ ଶ୍ରେଣୀର ବ୍ୟକ୍ତି କରଜ କରି ଘର କି ଜମି ବିଡିଏଠାରୁ କିଣିଲେ, ମାଲିକାନା ସ୍ବତ୍ବ ପରିବର୍ତ୍ତନ ପାଇଁ ଏତେ ଟଙ୍କା କେଉଁଠି ଆଣିବ ବୋଲି ଆବେଦନକାରୀ କହିଛନ୍ତି। ସେପଟେ ଆଲଟ୍‌ମେଣ୍ଟ୍‌ ସେକ୍ସନ୍‌ର ଯେଉଁ ଅଧିକାରୀମାନେ ଅଛନ୍ତି, ସେମାନେ ବି ଏମାନଙ୍କ ସହ ହାତ ମିଳାଇଥିବା ଅଭିଯୋଗ ଉଠିଛି। ଓଡିଏ ଆଇନ ବଳରେ ରାଜ୍ୟ ସରକାର ଏତେ ବର୍ଷ ଧରି ଗୋଟିଏ ଜାଗାରେ କାମ କରି ଆସୁଥିବା କର୍ମଚାରୀଙ୍କୁ ଜିଲ୍ଲାପାର୍‌ ବଦଳି କରିପାରିବେ। ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ କାର୍ଯ୍ୟାଳୟରୁ ରାଉରକେଲା, କଟକ, ସମ୍ବଲପୁର ଅବା ଅନ୍ୟ କୌଣସି ଉନ୍ନୟନ କର୍ତ୍ତୃପକ୍ଷ କାର୍ଯ୍ୟାଳୟକୁ ବଦଳି କରିପାରିବେ। ଏଣୁ ରାଜ୍ୟ ସରକାର ନିଜର ଏହି କ୍ଷମତାର ବ୍ୟବହାର କରି ବିଡିଏରେ ଥିବା କର୍ମଚାରୀଙ୍କୁ ଅନ୍ୟ ଉନ୍ନୟନ କର୍ତ୍ତୃପକ୍ଷ କାର୍ଯ୍ୟାଳୟକୁ ବଦଳି କରି ବିଡିଏକୁ ଦୁର୍ନୀତିମୁକ୍ତ କରିବାକୁ ଦାବି କରିଛନ୍ତି।

କାର୍ଯ୍ୟାନୁଷ୍ଠାନ ସଂପର୍କରେ ବିଡିଏର ଜଣେ ଅଧିକାରୀ କହିଛନ୍ତି, ବିଡିଏଠୁ ଜମି କିଣି ଏହାର ମାଲିକାନା ନ ପାଇବାରୁ ଜଣେ ଆବେଦନକାରୀ ଏ ସଂପର୍କରେ ଉପାଧ୍ୟକ୍ଷଙ୍କୁ ଅଭିଯୋଗ କରିଥିଲେ। ଫାଇଲ୍ ହଜିଯାଇଛି କହି ହଇରାଣ କରାଯାଉଛି ବୋଲି ସେ ଅଭିଯୋଗ କରିଥିଲେ। ଉପାଧ୍ୟକ୍ଷ ସେକ୍ସନ୍‌ର କର୍ମଚାରୀଙ୍କୁ ଡାକି ଫାଇଲ୍ ଆଣିବାକୁ କହିବାରୁ ଅଧଘଣ୍ଟା ଭିତରେ ଫାଇଲ୍ ମିଳିଯାଇଥିଲା। ଅଭିଯୋଗକାରୀ ସତ କହୁଥିବା ଜାଣିବା ପରେ ଆଲଟ୍‌ମେଣ୍ଟ୍‌ ସେକ୍ସନ୍‌ର ସମସ୍ତ କର୍ମଚାରୀଙ୍କୁ ଅନ୍ୟ ସେକ୍ସନ୍‌କୁ ବଦଳି କରାଯାଇଥିଲା। କିନ୍ତୁ ଏହି କର୍ମଚାରୀମାନେ ନିଜ ଗାଦି ଛାଡ଼ିନଥିଲେ। ଆଲଟ୍‌ମେଣ୍ଟ୍‌ ସେକ୍ସନ୍‌କୁ ବଦଳି ହୋଇଥିବା କର୍ମଚାରୀଙ୍କୁ ବସିବାକୁ ଜାଗା ଦେଇନଥିଲେ। ଶେଷରେ ଆଲଟ୍‌ମେଣ୍ଟ୍‌ ସେକ୍ସନ୍‌ର ସମସ୍ତ କର୍ମଚାରୀଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଉପାଧ୍ୟକ୍ଷ। ଦରମା ବନ୍ଦ ପରେ ସମସ୍ତ କର୍ମଚାରୀ ବଦଳି ହୋଇଥିବା ସେକ୍ସନ୍‌ରେ ଏବେ କାମ କରୁଛନ୍ତି। ଏବେ ଦରମା ସମସ୍ତଙ୍କୁ ମିଳିଲାଣି ବୋଲି ଅଧିକାରୀ ଜଣକ କହିଛନ୍ତି।