ସୌନ୍ଦର୍ଯ୍ୟକରଣ ମଝିରେ କଳଙ୍କ

ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍‌ ପାଇଁ ପୂରା ରାଜଧାନୀ ସଜେଇ ହୋଇଛି। ରାସ୍ତାରୁ ଆରମ୍ଭ କରି ଓଭରବ୍ରିଜ୍, ପାର୍କରୁ ଆରମ୍ଭ କରି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସବୁଠି ରଙ୍ଗିନ୍ ଆଲୋକ ଝିଲିମିଲି କରୁଛି। ସ୍ମାର୍ଟ ସିଟି ପ୍ରକଳ୍ପରେ ହୋଇଥିବା ବିଭିନ୍ନ କାର୍ଯ୍ୟ ଏବଂ ସହର ସୌନ୍ଦର୍ଯ୍ୟକରଣ ଯୋଜନାରେ କର୍ତ୍ତୃପକ୍ଷ ରାଜଧାନୀକୁ ନୂଆ ରୂପ ଦେଇଛନ୍ତି। କିନ୍ତୁ ଏହି ସାଜସଜ୍ଜା ଏବଂ ନୂଆ ଭେଟି ଦେବାର ପ୍ରୟାସ ଭିତରେ ବିଏମ୍‌ସି ଓ ବିଡିଏ କର୍ତ୍ତୃପକ୍ଷ ବହୁ ପୁରୁଣା ପ୍ରକଳ୍ପକୁ ଅଧପନ୍ତରା ଅବସ୍ଥାରେ ଛାଡ଼ି ଦେଇଛନ୍ତି। ପୂର୍ବରୁ ‌କୋଟି କୋଟି ଟଙ୍କା ଖର୍ଚ୍ଚ କରି ଯେଉଁ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ହୋଇଥିଲା ତାହାକୁ ସଜଡ଼ା ଯାଇନି କି ଏହାର ପୁନରୁଦ୍ଧାର କରିବାକୁ ପ୍ରୟାସ ହୋଇନି। ଫଳରେ ରାଜଧାନୀର ସୌନ୍ଦର୍ଯ୍ୟକରଣ ମଝିରେ ଏହା କଳଙ୍କ ସଦୃଶ ହୋଇଯାଇଛି। ରଙ୍ଗିନ ଆଲୋକ ଓ ନୂଆ ପ୍ରକଳ୍ପ ମଝିରେ ଏହା ଲୁଚି ଯାଇଥିଲେ ହେଁ ପୂର୍ବରୁ ଏହି ସୌନ୍ଦର୍ଯ୍ୟକରଣକୁ ଦେଖିଥିବା ରାଜଧାନୀବାସୀ କିନ୍ତୁ ଏହାକୁ ଠଉରାଇ ନେଇଛନ୍ତି। ପାର୍କରେ ଖରାପ ହୋଇପଡ଼ିଥିବା ଫାଉଣ୍ଟେନ୍‌କୁ ଯଦିଓ ସଜଡ଼ା ଯାଇଛି କିନ୍ତୁ ଏଜି ଛକ ଉପରେ ଥିବା ଫାଉଣ୍ଟେନ୍ ଏବେବି ଅସଜଡ଼ା ହୋଇ ପଡ଼ିଛି। ଜୟଦେବ ବିହାର ଛକର ଗୋଟିଏ ପାର୍ଶ୍ବରେ ନୂଆ ସ୍ଥାପତ୍ୟ ନିର୍ମାଣ କରି ସେଲ୍‌ଫି ଜୋନ୍ କରାଯାଇଛି କିନ୍ତୁ ଛକର ଅପରପାର୍ଶ୍ବରେ ଅବହେଳିତ ଅବସ୍ଥାରେ ଆଦିବାସୀଙ୍କ ମୂର୍ତ୍ତି ଅଧା ଭଙ୍ଗା ହୋଇ ପଡ଼ିଛି। ସଚିବାଳୟ ସମ୍ମୁଖକୁ ରଙ୍ଗିନ ଆଲୋକରେ ସଜା ଯାଇଥିବାବେଳେ ଯେଉଁ ଅଞ୍ଚଳଟିକୁ ଅନ୍ଧାରରେ ରଖାଯାଇଛି ସେହିଠାରେ ହିଁ ଗୋଟିଏ ଖରାପ ହୋଇ ପଡ଼ିଥିବା ୱାଟର ଫାଉଣ୍ଟେନ୍‌କୁ ଲୁଚାଇ ଦିଆଯାଇଛି। ରାଜଧାନୀ ପ୍ରତିଷ୍ଠା ଦିବସ ଫଳକକୁ ଆଲୋକ ପକାଇ ଉଜ୍ଜ୍ବଳ କରାଯାଇଛି କିନ୍ତୁ ସେଠାରେ ଥିବା ଫାଉଣ୍ଟେନ୍‌ରୁ ପାଣି ବାହାରୁନି। ରଙ୍ଗିନ୍ ଆଲୋକ ଭିତରେ ଫାଉଣ୍ଟେନ୍ ବି ହଜିଯାଇଛି। ଭାଙ୍ଗରୁଜି ଯାଇଥିବା ସୌନ୍ଦର୍ଯ୍ୟକରଣ ପ୍ରକଳ୍ପଗୁଡ଼ିକ ଯେପରି ନଜର ଆଢ଼ୁଆଳରେ ରହିବ ସେଥିପାଇଁ ଏହାର ଚତୁର୍ପାର୍ଶ୍ବକୁ ସଜାଇ ଦିଆଯାଇଛି। ହେଲେ ପୂର୍ବ ସୌନ୍ଦର୍ଯ୍ୟର ଆନନ୍ଦ ନେଇଥିବା ଲୋକ ନୂଆ ଭିତରେ ବି ପୁରୁଣାକୁ ଖୋଜୁଛନ୍ତି।

ପାର୍କରେ ଜଳୁନି ଲାଇଟ୍‌
ହକି ବିଶ୍ବକପକୁ ଦୃଷ୍ଟିରେ ରଖି ସହରର ୭ଟି ପାର୍କର ଆଲୋକୀକରଣ କରାଯାଇଥିଲା। ପାର୍କରେ ଥିବା ଗଛଗୁଡ଼ିକରେ ଏଲ୍‌ଇଡି ଲଗାଯିବା ସହ ପାରମ୍ପରିକ ଚାନ୍ଦୁଆ ଝଲସୁଥିବା ଲାଇଟକୁ ଗଛରେ ଝୁଲା ଯାଇଥିଲା। ରାତିରେ ପାର୍କର ସୌନ୍ଦର୍ଯ୍ୟ ବଢ଼ୁଥିଲା। ହକି ବିଶ୍ବକପ୍‌ ସରି ନଥିବା ବେଳେ ଆଲୋକ ଆଉ ଜଳୁନି। ବିଜୁ ପଟ୍ଟନାୟକ ପାର୍କରେ ଚକ୍‌ ଆକୃତିର କରାଯାଇଥିବା ଲାଇଟ୍‌ ଜଳୁ ନଥିବା ଦେଖିବାକୁ ମିଳୁଛି। ଏନେଇ ବିଡିଏର ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ବୁଝିଲା ପରେ କହିବି। ସେହିପରି ନୀଳାଦ୍ରିବିହାର ବୁଦ୍ଧ ଜୟନ୍ତୀ ପାର୍କରେ ଗଛଗୁଡ଼ିକରେ ଝୁଲା ଯାଇଥିବା ଓ ଗୁଡ଼ା ହୋଇଥିବା ଲାଇଟ୍‌ଗୁଡ଼ିକୁ ଖୋଲି ନିଆଯାଇଛି। ଜାଭିଅର ଛକ ନିକଟ ମହାତ୍ମା ଗାନ୍ଧୀ ପାର୍କରେ ବି କେତେକ ଲାଇଟ୍‌ ଜଳୁ ନ ଥିବା ଦେଖିବାକୁ ମିଳୁଛି।

ବସ୍‌ଷ୍ଟପ୍‌ ଏବେ ପାର୍କିଂ ଷ୍ଟାଣ୍ଡ
ଜୟଦେବ ବିହାର ଛକରୁ ନନ୍ଦନକାନନ ରାସ୍ତାରେ ନୂଆ କରି ହୋଇଥିବା ବସ୍‌ଷ୍ଟପଗୁଡ଼ିକ କାମ ଏପର୍ଯ୍ୟନ୍ତ ସରିନି। ଅନେକ ବସ୍‌ଷ୍ଟାଣ୍ଡ କାର୍ଯ୍ୟ ଅଧାପନ୍ତରିଆ ହୋଇ ରହିଛି। ଆଉ କେତେକ ସ୍ଥାନରେ ବସ୍‌ ରହିବା ସ୍ଥାନ ଏବେ ପାର୍କିଂ ଷ୍ଟାଣ୍ଡରେ ପରିଣତ ହୋଇଛି। ବସ୍‌ ରହିବା ପାଇଁ କଳିଙ୍ଗ ହସ୍ପିଟାଲ ନିକଟରେ କରାଯାଇଥିବା ଦୁଇଟି ଷ୍ଟାଣ୍ଡ ଏବେ ପାର୍କିଂ ହେଉଛି। ‌‘ମୋ ବସ୍‌’ ଉକ୍ତ ଅଞ୍ଚଳକୁ ଯାଉ ନାହିଁ। ମୁଖ୍ୟ ରାସ୍ତା ଉପରେ କରାଯାଇଥିବା ଏକ କୋଠରୀରେ ମୋ ବସ୍‌ ଅଟକି ରହୁଛି। ଯେଉଁଥିପାଇଁ ବସ୍‌ଷ୍ଟାଣ୍ଡ ପାଇଁ ଥିବା ସ୍ଥାନରେ କାର୍‌, ବାଇକ୍‌ ଆଦି ପାର୍କିଂ ହେଉଛି। ଏହାଦ୍ବାରା ସମ୍ପୃକ୍ତ ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ଉପୁଜୁଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି।

ସମ୍ବନ୍ଧିତ ଖବର