ବିଡିଏ, ବିଏମ୍‌ସି ଲଗାଇବ ୨୭୭୫୦ ଗଛ

୧୧ ପ୍ରମୁଖ ପାର୍କ, ୨୬ ସ୍ଥାନରେ ହେବ ବୃକ୍ଷରୋପଣ

ଭୁବ‌ନେଶ୍ବର: ବାତ୍ୟା ପ୍ରଭାବରେ ରାଜଧାନୀର ସବୁଜବଳୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବାରୁ ଏହାର ଭରଣା କରିବା ପାଇଁ ଅଣ୍ଟା ଭିଡ଼ିଛି ବିଡିଏ ଓ ବିଏମ୍‌ସି। ବୃକ୍ଷରୋପଣର ଏହି ମାଇକ୍ରୋ ପ୍ଲାନ୍‌ ଯୋଜନାରେ ବିଡିଏ ଭୁବନେଶ୍ବରର ୧୧ଟି ଭିନ୍ନ ଭିନ୍ନ ସ୍ଥାନରେ ୨୩ ହଜାର ୫୦୦ ଗଛ ଲଗାଇବ। ସେହିଭଳି ବିଏମ୍‌ସି ସହରର ୨୬ଟି ସ୍ଥାନରେ ୪ହଜାର ୨୫୦ ବୃକ୍ଷରୋପଣ କରିବ। ବିଶେଷକରି ପବନକୁ ସମ୍ଭାଳୁଥିବା ଚାରା ରୋପଣ କରାଯିବାକୁ ନିଷ୍ପତ୍ତି ହୋଇଛି। ଉଭୟ ସଂସ୍ଥା ପକ୍ଷରୁ ପ୍ରସ୍ତୁତ ହୋଇଥିବା ରିପୋର୍ଟ ଦର୍ଶାଉଛି ଯେ ବିଡିଏ ଅଧୀନ ପାର୍କ ଭିତରେ ଓ ବାହ୍ୟ ପରି‌ସରରେ ବ୍ୟାପକ ଗଛ ଟଳି ପଡ଼ିଛି। ପ୍ରାୟ ୧୦ ହଜାର ଗଛ ଭାଙ୍ଗିଛି। ଏଥିସହ ମହାନଗରର ୬୭ଟି ୱାର୍ଡରେ ବିଏମ୍‌ସି ୬୨୩ଟି ଗଛ କ୍ଷତିଗ୍ରସ୍ତ ହୋଇଥିବା ଆକଳନ ହୋଇଛି। ମେ’ ୩ରେ ଫନିର ୨୦୦ କିଲୋମିଟର ବେଗରେ ପବନ ରାଜଧାନୀର ସବୁଜ ଆବରଣକୁ କ୍ଷତି ପହଞ୍ଚାଇଥିବାରୁ ବିଡିଏ ବିଭିନ୍ନ ପ୍ରମୁଖ ପାର୍କରେ ବୃକ୍ଷରୋପଣ କରିବ। ବିଜୁ ପଟ୍ଟନାୟକ ପାର୍କରେ ୨ହଜାର, ଆଇଜି ପାର୍କରେ ୧ହଜାର, ବୁଦ୍ଧ ଜୟନ୍ତୀ ପାର୍କରେ ୧୫୦୦, ବୁଦ୍ଧ ଜୟନ୍ତୀ ପାର୍କ ହିଲ୍‌ଟପ୍‌ରେ ୨୫୦୦, ମଧୁସୂଦନ ପାର୍କରେ ୨ହଜାର, ନେତାଜୀ ସୁଭାଷ ବୋଷ ପାର୍କରେ ୨ହଜାର, ଖାରବେଳ ପାର୍କରେ ୨୫୦୦, ଏପିଜେ ଅବଦୁଲ କାଲାମ ପାର୍କରେ ୧ହଜାର, ମହାତ୍ମା ଗାନ୍ଧୀ ପାର୍କରେ ୫୦୦, ଜନତା ମଇଦାନ ଓ ଏହାର ଆଖପାଖରେ ୧୫୦୦, କେଳୁଚରଣ ମହାପାତ୍ର ପାର୍କରେ ୨ହଜାର, ଜଗର୍ସ ପାର୍କରେ ୫ଶହ, ନୂଆପଲ୍ଲୀ ପାର୍କରେ ୧ହଜାର, ବିଜେବି ନଗର ପାର୍କରେ ୧ହଜାର, ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କରେ ୫ଶହ, ସହିଦନଗର ଓ ଭୋଇନଗର ପାର୍କରେ ୩ଶହ, କଳିଙ୍ଗନଗର ଅଞ୍ଚଳ ପାର୍କରେ ୫ଶହ, ଡୁମଡୁମା ଓ ଧର୍ମବିହାର ଅଞ୍ଚଳ ପାର୍କରେ ୫ଶହ ଏବଂ ଅନ୍ୟ ନୂଆ ପାର୍କରେ ୧ ହଜାର ବୃକ୍ଷରୋପଣ ପାଇଁ ବିଡିଏ ଯୋଜନା କରିଛି। ବିଏମ୍‌ସି ମଧ୍ୟ ଝାରପଡ଼ା ମେଳଣ ପଡ଼ିଆ, ବଡ଼ଗଡ଼, ଝରଣାସାହି, ବଡ଼ଗଡ଼ ମେଳଣ ପଡ଼ିଆ, ପାଣ୍ଡରାସ୍ଥିତ ଜଗନ୍ନାଥ ମନ୍ଦିର ଅଞ୍ଚଳ, ପାହାଳ, ଶୈଳଶ୍ରୀ ବିହାର, କଳିଙ୍ଗ ନଗର ୮, ଚିଲ୍ଲି ପୋଖରୀରୁ ଗ୍ୟାରେଜ ଛକ, କୋଳଥିଆ, ‌ଭୋଟପଡ଼ା କେନାଲ୍‌, ପାତ୍ରପଡ଼ାରୁ ଏମ୍‌ସ, ଉଦୟଗିରି ବିହାର କଲୋନି, ପାତ୍ରପଡ଼ା ବାଳକ ବିଦ୍ୟାଳୟ, ଆଇଆର୍‌ସି ଭି‌ଲେଜ୍‌ରୁ ଆରମ୍ଭ କରି ଭରତପୁର, ବାଲିଅନ୍ତା, ପୋଖରୀପୁଟ, ଜିଜିପି କଲୋନି ଭଳି ୭୬ଟି ସ୍ଥାନ‌ରେ ବୃକ୍ଷରୋପଣ କରିବ।

ସମ୍ବନ୍ଧିତ ଖବର