କରୋନା ମୁକାବିଲା ଲାଗି ବିଏମସି ଓ ବିଡିଏ ଗଠନ କଲେ ସ୍ବତନ୍ତ୍ର ଟିମ୍; ନିର୍ଦ୍ଦେଶ ପାଳନ ନେଇ ତଦାରଖ କରିବେ

ଭୁବନେଶ୍ବର: ଗତକାଲି ରାଜ୍ୟ ସରକାର କରୋନା ସଂକ୍ରମଣକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିବା ପରେ  କରୋନା ମୁକାବିଲା ପାଇଁ  ଭୁବନେଶ୍ବର ମହାନଗର ନିଗମ (ବିଏମସି) ଓ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡ଼ିଏ) ପକ୍ଷରୁ ୩ଟି ଟିମ୍ ଗଠନ କରାଯାଇଛି । ଆଉ ଏଥିପାଇଁ ୨ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି  ବୋଲି ସୂଚନା ଦେଇଛନ୍ତି ବିଏମସି କମିସନର୍ । ରାଜଧାନୀର ସିନେମା ହଲ, ସ୍କୁଲ, ଜିମ୍ ବନ୍ଦ ପାଇଁ ଦିଆଯାଇଥିବା ନିର୍ଦ୍ଦେଶ, ଠିକରେ ପାଳନ ହେଉଛି କି ନାହିଁ, ତାହାକୁ ଏହି ଟିମ୍ ତଦାରଖ କରିବେ ।

କରୋନା କାୟାରୁ ମୁକୁଳିବା ପାଇଁ ଲୋକେ ଏବେ ମାସ୍କ ଓ ସାନିଟାଇଜର ଲୋକେ ବହୁଳ ବ୍ୟବହାର କରୁଛନ୍ତି । ଏପରିସ୍ଥଳେ କିଛି ଲାଭଖୋର ଦୋକାନୀ ଅଧିକ ଟଙ୍କା ନେଇ ମାସ୍କ ଓ ସାନିଟାଇଜର ବ୍ରିକି କରୁଛନ୍ତି । ମାସ୍କ ଓ ସାନିଟାଇଜର କଳାବଜାରକୁ ରୋକିବା ପାଇଁ ଗଠିତ ହୋଇଥିବା ଟିମ୍ ସବୁ ମେଡ଼ିକାଲ ଷ୍ଟୋରଗୁଡ଼ିକ ଉପରେ ଅଚାନକ ଚଢ଼ାଇ ହେବ । ବିଏମସି ଓ ବିଡ଼ିଏ ପକ୍ଷରୁ ଗଠନ ହୋଇଥିବା ଟିମରେ ଥିବା ଅଧିକାରୀମାନେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

ତେବେ ରାଜ୍ୟରେ ମଲ ବନ୍ଦ ପାଇଁ ଏଯାବତ୍ କୌଣସି ନିର୍ଦ୍ଦେଶାନାମା ଜାରି ହୋଇ ନାହିଁ । ମଲରେ ବିଭିନ୍ନ ପ୍ରକାର ଦରକାରୀ ସାମଗ୍ରୀ ମିଳୁଥିବାରୁ ମଲକୁ ବନ୍ଦ କରାଯାଇ ନାହିଁ । ତେବେ ଲୋକେ ମଲକୁ ଗଲେ ଟିକିଏ ଅଧିକ ସଚେତନ ହେବା ଜରୁରୀ । କରୋନା ଭୟରେ ଗୁଜବ ପ୍ରଚାର ନକରି ଲୋକେ ସଚେତନ ହେଲେ ଅଧିକ ସୁବିଧା ହେବ । ଅନ୍ୟ ପକ୍ଷରେ  ବିବାହ ବନ୍ଦ କରିବା ପାଇଁ ମଧ୍ୟ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ । କିନ୍ତୁ ଲୋକେ ଏ ନେଇ ନିଜେ ଚିନ୍ତା କରିବା ଉଚିତ୍ । କିଛି ଏପରି ଉତ୍ସବରୁ ସର୍ଦ୍ଦି କିମ୍ବା କାଶ ରୋଗୀ ଦୂରେଇ ରହିବା ଉଚିତ ବୋଲି ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର