ଡ୍ରେନେଜ୍‌ ବ୍ୟବସ୍ଥା ନଥିଲେ ପ୍ଲାନ୍‌ ମିଳିବନି

ବିଡିଏ ଓ ବିଏମ୍‌ସିର କଡ଼ା ଆଭିମୁଖ୍ୟ

ଭୁବନେଶ୍ୱର: ସ୍ଥାନୀୟ ଅଞ୍ଚଳର ବର୍ଷା ଜଳ ନିଷ୍କାସନ ପାଇଁ ଆବଶ୍ୟକୀୟ ଡ୍ରେନେଜ୍‌ ବ୍ୟବସ୍ଥା ନଥିଲେ କୋଠା ନିର୍ମାଣ ପାଇଁ ପ୍ଲାନ୍‌ ଦିଆଯିବନି। ଏପରିକି ଯଦି କୌଣସି ସ୍ଥାନରେ ପ୍ଲାନ୍‌ ଦିଆଯାଇଛି ଏବଂ ବର୍ତ୍ତମାନ ସୁଦ୍ଧା କାମ ଆରମ୍ଭ ହୋଇନି, ସେଗୁଡ଼ିକୁ ତୁରନ୍ତ ଖାରଜ କରିବାକୁ ବିଡିଏ ଓ ବିଏମ୍‌ସି ପ୍ଲାନିଂ ମେମ୍ବରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି କ୍ରମରେ ବିଡିଏ ଡେଭଲପମେଣ୍ଟ ପ୍ଲାନ୍‌ ଓ ବିଲଡିଂ ପ୍ଲାନ୍‌ (ଡିପିବିପି) କମିଟି ପକ୍ଷରୁ ରାଜଧାନୀ ଉପକଣ୍ଠରେ ରୁଦ୍ରପୁର ମୌଜାରେ ପ୍ରସ୍ତାବିତ ଏକ ବାଣିଜ୍ୟିକ କମ୍ପ୍ଲେକ୍ସର ଅନୁମତି ନାମଞ୍ଜୁର କରାଯାଇଛି। ରାଜଧାନୀରେ ଦେଖାଦେଉଥିବା ଜଳବନ୍ଦୀ ସମସ୍ୟାକୁ ଦୃଷ୍ଟିରେ ରଖି ବିଡିଏ ଓ ବିଏମ୍‌ସି ପକ୍ଷରୁ ମଞ୍ଜୁରି ନିୟମକୁ କଡ଼ାକଡ଼ି କରାଯାଇଥିବା ବେଳେ ଆବଶ୍ୟକୀୟ ଡ୍ରେନେଜ୍‌ ବ୍ୟବସ୍ଥା ନ ଥିବାରୁ ବିଲଡିଂ ପ୍ଲାନ୍‌ ନାମଞ୍ଜୁର କରିବା ଏହା ପ୍ରଥମ ଘଟଣା। ରୁଦ୍ରପୁର ମୌଜାରେ ପ୍ରାୟ ୧.୦୩ ଏକର ଜମି ପରିମିତ ଜମିରେ କେଶବ ମାଧବ ଇନଫ୍ରାଷ୍ଟକଚର୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଦ୍ୱାରା ପ୍ରସ୍ତାବିତ ଏହି ବାଣିଜ୍ୟିକ କମ୍ପ୍ଲେକ୍ସରେ ବେସମେଣ୍ଟ ସହ ତଳ ମହଲା ଏବଂ ଉପର ମହଲା ବିଶିଷ୍ଟ ମୋଟ୍‌ ୧୦,୧୯୧ ବର୍ଗମିଟର ନିର୍ମାଣ ହେବାକୁ ଥିବା ବେଳେ ଅଟ୍ଟାଳିକାର ପ୍ଲାନ୍‌ ମଞ୍ଜୁରି ପାଇଁ ବିଡିଏରେ ପ୍ଲାନ୍‌ ଦାଖଲ କରାଯାଇଥିଲା। ଯାହାକୁ କମିଟି ଖାରଜ କରିଦେଇଛି। ସଂଶୋଧିତ ପ୍ଲାନ୍‌ ଦେଲେ ଏହା ଉପରେ ବିଚାର କରାଯିବ ବୋଲି କୁହାଯାଇଛି।

ସେହିଭଳି ବିଏମ୍‌ସିର ଏକ ଟିମ୍‌ ଆଜି ଗୌରୀନଗର ଲେନ୍‌ ୧ ଅଞ୍ଚଳ ଗସ୍ତ କରି ବର୍ଷା ଜଳ ନିଷ୍କାସନରେ ବାଧକ ସାଜୁଥିବା ଏକ ନିର୍ମାଣାଧୀନ ଡୁପ୍ଲେକ୍ସ ଆପାର୍ଟମେଣ୍ଟ କମ୍ପ୍ଲେକ୍ସକୁ ନିର୍ମାଣ ବନ୍ଦ ନୋଟିସ୍‌ ଜାରି କରିବାକୁ ନିର୍ଦ୍ଦେଶ ଦେଇଛି। ଡ୍ରେନେଜ୍‌ ସମସ୍ୟାର ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ଏହି ନୋଟିସ୍‌ ବଳବତ୍ତର ରହିବ ବୋଲି କୁହାଯାଇଛି। ଏଥିସହ ବିଡିଏର ଏନଫୋର୍ସମେଣ୍ଟ ସେଲ୍‌କୁ ତୁରନ୍ତ ଗୌରୀନଗର ଗସ୍ତ କରି ନିୟମ ଉଲ୍ଲଂଘନ କରିଥିବା ତଥା ବର୍ଷାଜଳ ନିଷ୍କାସନକୁ ଅବରୋଧ କରୁଥିବା କୋଠାଗୁଡ଼ିକୁ ଚିହ୍ନଟ କରିବା ସହ ମାପଚୁପ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି ନିର୍ମାଣ ବେଆଇନ ଭାବେ ହୋଇଥିବ ଏବଂ ବର୍ଷା ଜଳ ପ୍ରବାହରେ ବାଧକ ସାଜୁଥିବ ତାକୁ ତୁରନ୍ତ ଭାଙ୍ଗିବାକୁ ଆପାତତଃ ନିଷ୍ପତ୍ତି ହୋଇଛି। ସୂଚନାଯୋଗ୍ୟ ଯେ ସହରର ଅନେକ ତଳିଆ ଅଞ୍ଚଳ ତଥା ପରିବେଶ ଦୃଷ୍ଟିରୁ ସମ୍ବେଦନଶୀଳ କ୍ଷେତ୍ରରେ ଜଳବନ୍ଦୀ ସମସ୍ୟା ଗମ୍ଭୀର ରୂପ ଧାରଣ କରୁଥିବାରୁ ଉପଯୁକ୍ତ ଡ୍ରେନେଜ୍‌ ବ୍ୟବସ୍ଥା ନଥିବା ପ୍ରକଳ୍ପଗୁଡ଼ିକରେ ନିର୍ମାଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି।

ମହାଲେଖାଗାରଙ୍କ କାର୍ଯ୍ୟାଳୟ ପ୍ଲାନ୍‌ ଖାରଜ
ଭୁବନେଶ୍ୱର: କେଶରୀ ନଗର ମୌଜାରେ ଥିବା ଏକ ଖୋଲା ସ୍ଥାନ (ଓପନ୍‌ ସ୍ପେସ୍‌)କୁ ବିଡିଏ ମାଷ୍ଟର ପ୍ଲାନ୍‌ରେ ପାର୍କ ପାଇଁ ସଂରକ୍ଷିତ ରଖାଯାଇଛି। କିନ୍ତୁ ସାଧାରଣ ପ୍ରଶାସନ ବିଭାଗ ଏହି ଜମିକୁ ମହାଲେଖାଗାରଙ୍କ କାର୍ଯ୍ୟାଳୟକୁ ଦେଇଦେଇଛି। ଏହି ୦.୯୫ଏକର ପରିମିତ ଜମିରେ ମହାଲେଖାଗାରଙ୍କ କାର୍ଯ୍ୟାଳୟ ପକ୍ଷରୁ ନୂତନ ଅଟ୍ଟାଳିକା ନିର୍ମାଣ ପାଇଁ ବିଏମ୍‌ସିରେ ପ୍ଲାନ୍‌ ଦାଖଲ ହୋଇଥିଲା। ଏଠାରେ ୬ ମହଲା ବିଶିଷ୍ଟ ଅଫିସ୍‌ ନିର୍ମାଣ କରିବାକୁ ଯୋଜନା ହୋଇଛି। ଏଠାରେ ୬,୨୬୭ବର୍ଗମିଟର ନିର୍ମାଣ ପ୍ରସ୍ତାବ ବି ରହିଛି। ହେଲେ ପାର୍କ ପାଇଁ ସଂରକ୍ଷିତ ଥିବା ଜମିରେ କୌଣସି ନିର୍ମାଣ କାର୍ଯ୍ୟ ହୋଇପାରିବନି ବୋଲି କହି ବିଏମ୍‌ସି ଏହି ପ୍ରସ୍ତାବକୁ ଖାରଜ କରିଦେଇଛି। ଗୁରୁବାର ବସିଥିବା ଡିପିବିପି ବୈଠକରେ ଏହି ପ୍ରସ୍ତାବକୁ ଖାରଜ କରାଯାଇଛି।

ସମ୍ବନ୍ଧିତ ଖବର