ଖଣ୍ଡଗିରି: ବରମୁଣ୍ଡା ବାବା ସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲ(ବିଏସ୍ଏବିଟି) ନିର୍ମାଣ ପାଇଁ ଏଠା‌ରେ ଥିବା ବିଭିନ୍ନ ବ୍ୟବସାୟୀ ଓ ବରମୁଣ୍ଡା ଗୋଲେଇ ଛକ‌‌ରେଥିବା ବ୍ୟବସାୟୀଙ୍କ ଦୋକାନକୁ ଉଚ୍ଛେଦ କରାଗଲା। ସେମାନଙ୍କୁ ଥଇଥାନ କରିବାକୁ ପ୍ରତିଶ୍ରୁତି ଦିଆଯଇଥିଲା। ଏବେ ଟର୍ମିନାଲ୍‌ ଉଦ୍‌ଘାଟନକୁ ୬ ମାସ ପୂରିବାକୁ ବସିଲାଣି। କିନ୍ତୁ ସେ ୧୨୩ ଦୋକାନୀଙ୍କୁ ଟର୍ମିନାଲ ଭିତରେ ଦୋକାନ ମିଳିନାହିଁ। ଏଭଳି ସ୍ଥିତିରେ ଆଉ ଏକ ଘଟଣା ମାମଲାକୁ ବିବାଦୀୟ କରିଛି। ଗୋଲେଇ ‌ଛକରେ ଥିବା ବ୍ୟବସାୟୀଙ୍କୁ ଥଇଥାନ କରିବ‌ାକୁ କୋର୍ଟଙ୍କ ଆଦେଶ ପରେବି ବିଡିଏ-ବିଏମ୍‌ସି ଦାୟିତ୍ବ ଠେଲାଠେଲି ହେଉଛନ୍ତି। ଫଳରେ ବ୍ୟବସାୟୀଙ୍କ ସମସ୍ୟା ଓ ଅସନ୍ତୋଷ ବଢ଼ିବାରେ ଲାଗିଛି।

Advertisment

ଅନେକ ବର୍ଷହେଲା ଗୋଲେଇ ଛକରେ ଦୋକାନ କରିଥିବା ଅରୂପାନନ୍ଦ ସ୍ବାଇଁଙ୍କର ଦୋକାନ ଟର୍ମିନାଲ ପାଇଁ ୨୦୨୩ ମସିହାରେ ଉଚ୍ଛେଦ ହୋଇଥିଲା। ଦୋକାନ ଉଚ୍ଛେଦ ପରେ ତାଙ୍କ ରୋଜଗାର ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା। ପରିବାର ପ୍ରତିପୋଷଣରେ ନାକେଦମ୍‌ ହୋଇ ସେ ହାଇକୋର୍ଟର ଦ୍ବାରସ୍ଥ ହେଲେ। ଦୋକାନ ଭାଙ୍ଗିଥିବାରୁ ଓଏସ୍‌ଆର୍‌ଟିସି ଦେଇଥିବା ଦୋକାନଘର ଭିତରୁ ଗୋଟିଏ ପ୍ରଦାନ କରିବାକୁ ସେ ଅନୁ‌ରୋଧ କରିଥିଲେ। ୨୦୨୩ ମସିହା ସେପ୍ଟେମ୍ବର ମାସ ୨ ତାରିଖରେ କୋର୍ଟ ବିଡିଏକୁ ଦେଢ଼ମାସ ଭିତରେ ତାଙ୍କୁ ଦୋକାନଘର ଯୋଗାଇ ଦେବାକୁ ଆଦେଶ ଦେଲେ। ଅର୍ଥାତ୍‌ ଅକ୍ଟୋବର ୧୭ ତାରିଖ ସୁଦ୍ଧା ତାଙ୍କୁ ଦୋକାନଘର ଯୋଗାଇ ଦେବା କଥା। ହେଲେ ୨୫ ଅକ୍ଟୋବରରେ ବିଡିଏର ସେକ୍ରେଟେରି ବିଏମ୍‌ସିକୁ ଏକ ଚିଠି ଲେଖି ଜଣାଇଲେ ଯେ, ଅରୂପାନନ୍ଦଙ୍କ ଦୋକାନଘର ସରକାରୀ ଯାଗାରେ ଥିଲା। ସେ ଓଏସ୍‌ଆର୍‌ଟିସିର ତାଲିକାଭୁକ୍ତ ବ୍ୟବସାୟୀ ହୋଇନଥିବାରୁ ତାଙ୍କୁ ଟର୍ମିନାଲ ଭିତ‌‌ରେ ଦୋକାନ ଘର ଦିଆଯାଇ ପାରିବ ନାହିଁ। ତେଣୁ ବରମୁଣ୍ଡା ଆଖପାଖ ଅଞ୍ଚଳରେ ଭେଣ୍ଡିଂଜୋନ୍‌ ନିର୍ମାଣ ହେଲେ ଅଗ୍ରାଧିକାର ଭିତ୍ତିରେ ତାଙ୍କୁ ଦୋକାନଘର ଯୋଗାଇ ଦିଅନ୍ତୁ।
ତେବେ ବିଏମ୍‌ସିକୁ କୋର୍ଟ ସିଧା ସଳଖ କିଛି ଆଦେଶ ଦେଇ ନଥିବାରୁ ଏହାକୁ ଗୁରୁତ୍ବ ସହକାରେ ନିଆଗଲାନାହିଁ। ବିଡିଏ ପକ୍ଷରୁ ଲେଖାଯାଇଥିବା ଚିଠିକୁ ବ‌ର୍ଷେ ପୂରିବାକୁ ବସିଲାଣି। ହେଲେ ନା ବରମୁଣ୍ଡାରେ କୌଣସି ଭେଣ୍ଡିଂଜୋନ୍‌ ତିଆରି ହେଉଛି, ନା ତାଙ୍କୁ ଦୋକାନଘ‌ର ମିଳୁଛି। ମିଳିଥିବା ସୂଚନା ଅନୁସାରେ, ନିକଟ ଭବିଷ୍ୟତରେ ବିଏମ୍‌ସିର‌ ଭେଣ୍ଡିଂଜୋନ୍‌ ଖୋଲିବାର ସେମିତି କିଛି ଯୋଜନା ନଥିବାରୁ ଅରୂପାନନ୍ଦଙ୍କୁ ଆଉ ଦୋକାନଘର ମିଳିବ ନାହିଁ। ଏଭଳି ଦାୟିତ୍ବ ଠେଲାଠେଲି ଭିତରେ କେବଳ ଅରୂପାନନ୍ଦ ନୁହନ୍ତି, ତାଙ୍କପରି ଆହୁରି ଅନେକ ବ୍ୟବସାୟୀ ରୋଜଗାର ହରାଇ ବସିଛନ୍ତି।

ଅନ୍ୟପଟେ ବିଏସ୍‌ଏବିଟି ନିର୍ମାଣ ପାଇଁ ଉଚ୍ଛେଦ ହୋଇଥିବା ଯୋଗ୍ୟ ବିବେଚିତ ବ୍ୟବସାୟୀମାନେ ମଧ୍ୟ ବିଏସ୍‌ବିଟି ଭିତରେ ନିଜର ଦୋକାନ ଖୋଲି ପାରୁନାହାନ୍ତି। ବିଏସ୍ଏବିଟିର ତଳ ମହଲାରେ ୧୨୨ଟି ଓ ପ୍ରଥମ ମହଲାରେ ୮ଟି ଦୋକାନଘର ରହିଛି। ଏହି ଦୋକାନଘର ନେବାପାଇଁ ହିତାଧିକାରୀଙ୍କ ତାଲିକା ବି ଚୂଡ଼ାନ୍ତ ହୋଇଛି। କିନ୍ତୁ ଦୋକାନଘର ପାଇଁ ଏହି ହିତାଧିକାରୀଙ୍କ ସହ ବିଡିଏ ଚୁକ୍ତିନାମା କରୁନାହିଁ। ବଦଳରେ ଏହାକୁ ପରିଚାଳନା କରୁଥିବା‌ ଠିକାସଂସ୍ଥା ସହ ଚୁକ୍ତିନାମା କରିବାକୁ କହୁଛି। ଏହାକୁ ଦୋକାନୀମାନେ ବିରୋଧ କରୁଛନ୍ତି। ତେଣୁ ବାଧ୍ୟହୋଇ ପୁରୁଣା ବସ୍‌ଷ୍ଟାଣ୍ଡ ବା ବସ୍‌ପାର୍କିଂ ସ୍ଥାନରେ ଦୋକାନ ଖୋଲି ବ୍ୟବସ‌ାୟୀ ଏବେବି ବେପାର କରୁଛନ୍ତି। ବିଡିଏ କହିଛି, ଆଇଏସ୍‌ଏବିଟି ପରିଚାଳନା ପାଇଁ ଏକ ଘରୋଇ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ଏହି ବସ୍‌ଷ୍ଟାଣ୍ଡ ଭିତରେ ହିଁ ଦୋକାନସବୁ ରହିଛି। ଏଣୁ ଦୋକାନଘର ଭଡ଼ା ନେବାପାଇଁ ସମ୍ପୃକ୍ତ ଠିକା ସଂସ୍ଥା ସହ ଚୁକ୍ତିନାମା କରିବାକୁ ହେବ। ଏକଥା ଚିହ୍ନଟ ହୋଇଥିବା ବ୍ୟବସାୟୀମାନଙ୍କୁ ଜଣାଇ ଦିଆଯାଇଛି। ଖୁବ୍‌ଶୀଘ୍ର ଏହାର ବ୍ୟବସ୍ଥା କରାଯିବ। ହେଲେ ବ୍ୟବସାୟୀଙ୍କ ମାମଲା ମଧ୍ୟ କୋର୍ଟରେ ପହଞ୍ଚିଥିବାରୁ ଏଠାରେ ଦୋକାନ କେବେ ଖୋଲିବ ସେନେଇ ଅନିଶ୍ଚିତତା ଦେଖାଦେଲାଣି।