୩୭ତମ ପ୍ରତିଷ୍ଠା ଦିବସ ପାଳିଲା ବିଡିଏ : ୧୦ ବର୍ଷରେ ଲକ୍ଷେ ଘର ନିର୍ମାଣ ହେବ

୨୦୩୦କୁ ନଜରରେ ରଖି ପ୍ରସ୍ତୁତ ହେବ ସିଡିପି, ଭଲ କାମ କଲେ ମିଳିବ ଡବଲ୍‌ ପ୍ରମୋସନ୍

ଭୁବନେଶ୍ବର : ରାଜଧାନୀରେ ଲୋକଙ୍କର ଚାହିଦା ମୁତାବକ ଘର ନାହିଁ। ଏହାକୁ ନଜରରେ ରଖି ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ମେଗା ଗୃହ ପ୍ରକଳ୍ପ କରିବାକୁ ଯାଉଛି। ଏଥିରେ ଆସନ୍ତା ୧୦ ବର୍ଷରେ ରାଜଧାନୀରେ ୧ଲକ୍ଷ ଘର ନିର୍ମାଣ ହେବ। ଏହି ପ୍ରକଳ୍ପରେ ଏଚ୍‌ଆଇଜି, ଏମ୍‌ଆଇଜି, ଏଲ୍‌ଆଇଜି ଓ ଇଡବ୍ୟୁଏସ୍ ଘର ନିର୍ମାଣ ହେବ। କିନ୍ତୁ ଅଧାରୁ ଅଧିକ ଘର ଆର୍ଥିକ ଦୁର୍ବଳ ବର୍ଗଙ୍କ (ଇଡବ୍ଲ୍ୟୁଏସ୍‌) ପାଇଁ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

ଆଜି ବିଡିଏର ୩୭ତମ ପ୍ରତିଷ୍ଠା ଦିବସରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଯେ ରାଜଧାନୀରେ ଘର ନିର୍ମାଣ ଓ ବିଭିନ୍ନ ପ୍ରକାରର ଡିଜାଇନ୍ ପାଇଁ ନକ୍ସା ପ୍ରସ୍ତୁତ କରିବା ଯେପରି ବିଡିଏର କର୍ତ୍ତବ୍ୟ, ସେହିଭଳି ଲୋକଙ୍କୁ ଘର ଯୋଗାଇବା ବି ଦାୟିତ୍ବ। ହେଲେ ବିଡିଏ ଗତ କିଛି ବର୍ଷ ମଧ୍ୟରେ ଯେତିକି ଗୃହ ପ୍ରକଳ୍ପ କରିଛି, ସେତିକିରେ ଲୋକଙ୍କ ଚାହିଦା ମେଣ୍ଟାଇବା ସମ୍ଭବ ହେଉନି। ଏହାକୁ ନଜରରେ ରଖି ତୁରନ୍ତ ମେଗା ଗୃହ ପ୍ରକଳ୍ପ ଯୋଜନା କାର୍ଯ୍ୟକାରୀ ହେବ।

ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ କଳିଙ୍ଗନଗର କେ-୯ (ଏ)ରେ ୧.୪୦ଏକର ଜମିରେ ୬୧.୧୯ କୋଟି ବ୍ୟୟରେ ବି+ଏସ୍‌+୯ର ବ୍ୟାବସାୟିକ ଓ ଆବାସିକ ଆପାର୍ଟମେଣ୍ଟ ନିର୍ମାଣ ହେବ, କଳିଙ୍ଗ ନଗର କେ-୯(ବି)ରେ ୧.୫୯ଏକର ଜମିରେ ୨୯.୪୨କୋଟି ଟଙ୍କା ବ୍ୟୟରେ ଏସ୍‌+୪ର ୧୨୮ଟି ଦୁଇ ଶଯ୍ୟା, ହଲ୍‌ ଓ ରୋଷେଇ ଘର ଥିବା ଆପାର୍ଟମେଣ୍ଟ କରିବାକୁ ଯୋଜନା ହେଉଛି। ଗାଡ଼କଣରେ ୮୫କୋଟି ଟଙ୍କା ବ୍ୟୟରେ ଜି+୪ ଇଡବ୍ଲ୍ୟୁଏସ୍ ଗୃହ ପ୍ରକଳ୍ପ, ସୁବୁଦ୍ଧିପୁର ମୌଜାରେ ୨୦.୭୦କୋଟି ବିନିମୟରେ ଜି+୩ ଇଡବ୍ଲ୍ୟୁଏସ୍ ଗୃହ ପ୍ରକଳ୍ପ ଏବଂ ଘାଟିକିଆ ମୌଜାରେ ୫୯.୩୫କୋଟି ବ୍ୟୟରେ ଜି+୪ ଇଡବ୍ଲ୍ୟୁଏସ୍‌ ଗୃହ ପ୍ରକଳ୍ପ କରିବା ପାଇଁ ଯୋଜନା ଅଛି। ଏହାସହ ବିଭିନ୍ନ ସ୍ଥାନରେ ବହୁ ଗୃହ ପ୍ରକଳ୍ପ କରିବାକୁ ସର୍ଭେ ଚାଲିଛି।

ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ ବିଡିଏ କର୍ମଚାରୀମାନେ କିଛି ନୂତନ ଚିନ୍ତାଧାରାସଂପନ୍ନ ପ୍ରସ୍ତାବ ଦେଲେ ତାହା ବିଚାର କରାଯିବ। କର୍ମଚାରୀମାନଙ୍କ ଦାବିକୁ ପୂରଣ କରିବାକୁ ପଦକ୍ଷେପ ନିଆଯିବ। ଯେଉଁମାନେ ଭଲ କାମ କରିବେ, ତାଙ୍କୁ ଡବଲ୍‌ ପ୍ରମୋସନ୍‌ ମିଳିବ। ଖୁବ୍‌ ଶୀଘ୍ର ଭୁବନେଶ୍ବରବାସୀଙ୍କୁ ଟ୍ୟାପ୍‌ରେ ୨୪ ଘଣ୍ଟା ବିଶୁଦ୍ଧ ପାଣି ଯୋଗାଇବା ଯୋଜନା ହେଉଥିବା କହିଥିଲେ। ଲୋକ ଘରେ ଫିଲ୍ଟର/ ଆକ୍ବାଗାର୍ଡ ନରଖି ଟ୍ୟାପ୍‌ରୁ ବି ପାଣି ପିଇପାରିବେ ବୋଲି କହିଥିଲେ।

ଏଥିରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଡିଏ ବିଗତ ବର୍ଷରେ କରିଥିବା ବିଭିନ୍ନ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ବିଡିଏ କିପରି ଲୋକଙ୍କ ବିଶ୍ବାସଭାଜନ ହୋଇପାରିବ, ସେନେଇ ପରାମର୍ଶ ବି ଦେଇଥିଲେ।

ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ତଥା ବିଡିଏ ଅଧ୍ୟକ୍ଷ ଜି. ମାଥିଭାଥନନ୍ ଅଧ୍ୟକ୍ଷତା କରି କହିଥିଲେ ଯେ ଆମେ ବର୍ଷବର୍ଷ ଧରି ଦୁଇ, ତିନି ହଜାର ଘର ନିର୍ମାଣ କରିଲେ ହେବନି। ଆମକୁ ଅଧିକ ଘର ନିର୍ମାଣ କରିବାକୁ ହେବ। ମେଗା ଗୃହ ପ୍ରକଳ୍ପ ମାଧ୍ୟମରେ କମ୍‌ ସମୟରେ ଅଧିକ ଘର ନିର୍ମାଣ କରିପାରିଲେ ‌ହିଁ ଲୋକଙ୍କ ଚାହିଦା ମେଣ୍ଟାଇ ପାରିବା। ସହରରେ ବସ୍ତି ରହିବା ଖରାପ ଲକ୍ଷଣ ନୁହେଁ। କିନ୍ତୁ ଆମେ ତାଙ୍କୁ ଘର ଯୋଗାଇ ନପାରିବାରୁ ସେମାନେ ବସ୍ତିରେ ରହୁଛନ୍ତି ବୋଲି ଆମକୁ ଭାବିବାକୁ ପଡ଼ିବ। ଆମେ ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ଯେତେ ଘର ନିର୍ମାଣ କରିବା, ବସ୍ତି ସେତେ କମିବ।

ସେହିପରି ଏବେ ଓଡିଏ କୋର୍ଟରେ ଯେତିକି ମାମଲା ହେଉଛି ସେଥିରୁ ଅଧିକାଂଶ ପଡ଼ୋଶୀଙ୍କ ଦ୍ବାରା ହେଉଛି। କାହା ଘରକୁ ଆଲୋକ ପଡ଼ୁନି, ପବନ ଯାଉନି ସେମାନେ ପଡ଼ୋଶୀଙ୍କ ନାମରେ ଅଭିଯୋଗ କରୁଛନ୍ତି। ଲୋକଙ୍କର ଏହି ମାନସିକତା ‌ଦୂର ହେବା ଦରକାର। ଘର ନିର୍ମାଣ ପାଇଁ ଏବେ ଏଫ୍‌ଏଆର୍‌ ସର୍ବାଧିକ ୧.୫ରୁ ୧.୭୫ ପର୍ଯ୍ୟନ୍ତ ଦିଆଯାଉଛି। କିନ୍ତୁ ଆମକୁ ଏଫ୍‌ଏଆର୍‌ ୧୦ ପର୍ଯ୍ୟନ୍ତ ବଢ଼ାଇବାକୁ ହେବ। ତେବେ ଯାଇ ସହର ଭର୍ଟିକାଲି ଆଗକୁ ବଢ଼ିବ। ସେହିପରି ଛୋଟ ଘର ନିର୍ମାଣ କରୁଥିବା ଲୋକଙ୍କୁ ଯେତିକି ଜମି ସେତିକିରେ ଘର କରିବାକୁ ସୁଯୋଗ ଦେବା ଦରକାର। ଏଥିପାଇଁ ରାସ୍ତା ଓ ଡ୍ରେନ୍‌କୁ ନ ମାଡ଼ିବା ସର୍ତ୍ତ ରଖିବାକୁ ହେବ। ୨୦୦୯ ମସିହାରେ ଯେଉଁ ସିଡିପି ପ୍ରସ୍ତୁତ ହୋଇଥିଲା ୧୦ବର୍ଷ ପରେ ଏହା ବାସ୍ତବ ରୂପ ନେଇନି। ତେଣୁ ଆମକୁ ଲୋକଙ୍କ ସୁବିଧାକୁ ଦେଖି ସିଡିପି ପ୍ରସ୍ତୁତ କରିବାକୁ ହେବ ବୋଲି ସଚିବ କହିଥିଲେ।

ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧୁରୀ କହିଥିଲେ ଯେ ବିଡିଏ ଭୁବନେଶ୍ବରର ସମ୍ପ୍ରସାରଣକୁ ନଜରରେ ରଖି ନୂଆ ସିଡିପି ପ୍ରସ୍ତୁତ କରିବାକୁ ଯାଉଛି। ୨୦୩୦କୁ ନଜରରେ ରଖି ସିଡିପି ପ୍ରସ୍ତୁତ ହେବ। ଗୃହ ନିର୍ମାଣ ବିଡିଏର ପ୍ରମୁଖ କାର୍ଯ୍ୟ ହୋଇଥିବାରୁ ଆଗାମୀ ଦିନରେ ଏହାକୁ ଗୁରୁତ୍ବ ଦିଆଯିବ। ସେହିପରି ବିଡିଏ ଯେପରି ଲୋକଙ୍କ ବିଶ୍ବାସଭାଜନ ହେବ, ସେଥିପ୍ରତି କର୍ମଚାରୀମାନେ ଧ୍ୟାନ ଦିଅନ୍ତୁ। ବିଡିଏକୁ ଆସୁଥିବା ଲୋକଙ୍କ ଅଭିଯୋଗକୁ ନମ୍ରତାର ସହ ଶୁଣିବା ଦରକାର ବୋଲି ଶ୍ରୀ ଚୌଧୁରୀ କହିଥିଲେ।

ଶେଷରେ ବିଡିଏ ସଚିବ ରବୀନ୍ଦ୍ରନାଥ ମିଶ୍ର ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ବିଡିଏର ମୁଖପତ୍ର ଉନ୍ମୋଚନ ହୋଇଥିଲା। ଗତ ଦଶମ ଶ୍ରେଣୀ ପରୀକ୍ଷାରେ ୯୦%ରୁ ଅଧିକ ମାର୍କ ରଖିଥିବା ବିଡିଏ କର୍ମଚାରୀଙ୍କ ପିଲାଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ବିଡିଏର ପ୍ଲାନିଂ ବିଭାଗର ଅଧିକାରୀ ଜୟଶ୍ରୀ ରାୟ ଓ କମଳାକାନ୍ତ ମହାପାତ୍ରଙ୍କ ପୁଅ ତଥା ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ର ରାଜ୍‌ ମହାପାତ୍ର ଏବଂ ପ୍ରତିଜ୍ଞା ଦାଶ ଓ ନିହାର ରଂଜନ ମିଶ୍ରଙ୍କ ପୁଅ ତଥା ଲୟଲା ସ୍କୁଲର ଛାତ୍ର ନିଶାନ୍ତ ମିଶ୍ରଙ୍କୁ ବିଡିଏ ପକ୍ଷରୁ ୫ ହଜାର ଟଙ୍କାର ବୃତ୍ତି ପ୍ରଦାନ କରାଯାଇଥିଲା। ବିଡିଏ ୟୁନାଇଟେଡ୍ ଫୋରମ୍‌ର ସମ୍ପାଦିକ ସବିତା ମହାପାତ୍ର କର୍ମଚାରୀଙ୍କ ବିଭିନ୍ନ ଦାବି ବିଷୟରେ କହିଥିଲେ।

ସମ୍ବନ୍ଧିତ ଖବର