ପ୍ରସ୍ତୁତ ହେଉଛି ବିଡିଏ ସିଟି ସେଣ୍ଟର: ସିଟିଜ୍‌ ଅଧୀନରେ ଖର୍ଚ୍ଚ ହେବ ୧୫ କୋଟି

ସହରବାସୀ ପାଇବେ ଝରଣାର ଅନୁଭୂତି, ରାଜସ୍ଥାନ କୋଟା ପଥରରେ ହେବ ପାଦଚଲା ରାସ୍ତା

ଭୁବନେଶ୍ବର: ନୂଆ ରୂପ ନେବାକୁ ଯାଉଛି ବିଡିଏ ସିଟି ସେଣ୍ଟର୍‌ (ନିକୋ ପାର୍କ)। ‘ସିଟିଜ୍‌’ ଯୋଜନା ଅଧୀନରେ ଏଥିରେ ଖର୍ଚ୍ଚ ହେବ ୧୫ କୋଟିରୁ ବେଶି ଟଙ୍କା। ସବୁ ବୟସର ଲୋକଙ୍କ ପାଇଁ ଚିତ୍ତବିନୋଦନର ଅନ୍ୟତମ ଆକର୍ଷଣର କେନ୍ଦ୍ର ବିନ୍ଦୁ ହେବ ଏହି ସେଣ୍ଟର୍‌। ଦୁର୍ଗନ୍ଧ ହେଉଥିବା ପାଣିକୁ ବିଶୋଧନ କରାଯିବ। ନାଳ ଭିତରେ ପାହାଚ ଭଳି କରାଯାଇ ପାଣିକୁ ଏଭଳି ଛଡ଼ାଯିବ ଯେ ଝରଣା ଭଳି ଶବ୍ଦ ହେବ। ଏହାର ପରିସରରେ ନିଆରା ଫୁଲ ଗଛ ସହ ବୃକ୍ଷରୋପଣ କରାଯିବ। ଫଳରେ ସନ୍ଧ୍ୟାରେ ଏହି ନାଳ କୂଳରେ ବସିବା ବେଳେ କିସମ କିସମ ଫୁଲର ସୁଗନ୍ଧ ସହ ଝରଣାର ଅନୁଭୂତି ନେଇ ହେବ। ଏଭଳି ଏକ ନିଆରା ଅନୁଭୂତି ଦେବାକୁ ଯାଉଛି ଏହି ସିଟି ସେଣ୍ଟର। ଏହାର ଉନ୍ନତୀକରଣ ପାଇଁ ଠିକାସଂସ୍ଥା ଚୟନ କରିବାକୁ ଯାଉଛି ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌)। ଏଥିପାଇଁ ଟେଣ୍ଡର ଅବଧି ସରିଥିବା ବେଳେ ଦୁଇଦିନ ଭିତରେ ଠିକାସଂସ୍ଥା ଚୟନ ହେବ। ଏହା ପରେ ଉନ୍ନତୀକରଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

‘ସିଟିଜ୍‌’ ପ୍ରକଳ୍ପ ଅଧୀନରେ ଏହା ନୂଆ ରୂପ ନେବାକୁ ଯୋଜନା ହୋଇଛି। ଏଥିରେ ୧୫ କୋଟି ୩୬ଲକ୍ଷ ୬୧ ହଜାର ୬୮୨ ଟଙ୍କା ଖର୍ଚ୍ଚ ହେବ। ନାଳ କୂଳେ କୂଳେ ସାଇକେଲ୍‌ ଟ୍ରାକ୍‌ ହେବ ଓ ମୋ ସାଇକେଲ୍‌ ଉପଲବ୍ଧ ହେବ। ଲୋକମାନେ ସାଇକେଲ୍‌ ଚାଳନାର ମଜା ନେବେ। ‘ରାଜସ୍ଥାନ କୋଟା ଷ୍ଟୋନ୍‌’ରେ ପାଦଚଲା ରାସ୍ତା ତିଆରି ହେବ। ପ୍ରାତଃ ତଥା ସାନ୍ଧ୍ୟ ଭ୍ରମଣରେ ଲୋକମାନେ ଏହାର ମଜା ନେଇ ପାରିବେ। ତେବେ ପୂର୍ବରୁ ଏଠାରେ ବୋଟିଂ ସୁବିଧା ରହିଥିଲା‌। ଭୋଜି କରିବା ପାଇଁ ପିଣ୍ଡି ନିର୍ମାଣ କରାଯିବାକୁ ମଧ୍ୟ ଯୋଜନା ରହିଥିଲା। ହେଲେ ୧୫ କୋଟିରୁ ଅଧିକ ଖର୍ଚ୍ଚ ହେଉଥିଲେ ମଧ୍ୟ ଏହି ସବୁ ଯୋଜନା ନ ଥିବାରୁ ନିକୋ ପାର୍କର ବିକଳ୍ପ ଭାବେ କେତେଦୂର ଗ୍ରହଣୀୟ ହେବ, ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି।

୧୯୯୮ ମସିହାରେ ନିକୋ ଗ୍ରୁପ୍‌ ସହାୟତାରେ ବିଡିଏ କର୍ତ୍ତୃପକ୍ଷ ଏହି ପାର୍କକୁ ନିର୍ମାଣ କରିଥିଲେ। ପ୍ରାକୃତିକ ନାଳ-୧୦ କଡ଼ରେ ପ୍ରାୟ ୨୪ ଏକର ଜାଗାରେ ଏହି ପାର୍କ ରହିଛି। ସେତେବେଳେ ଶିଶୁ ଓ ବୟସ୍କଙ୍କ ଅବସର ବିନୋଦନ ପାଇଁ ଏଠାରେ ବ୍ୟାପକ ସୁଯୋଗ ରହିଥିବାରୁ ପ୍ରବଳ ଭିଡ଼ ହେଉଥିଲା। ଏହା ଭିତରେ ଥିବା ପୋଖରୀରେ ବୋଟିଂ ସୁବିଧା ସହ ହଣ୍ଟିଂ ହାଉସ୍, ମ୍ୟୁଜିକାଲ୍ ଫାଉଣ୍ଟେନ୍, ସିନେମାଟ୍ରିକ୍ସ ହଲ୍‌ ସହ ୧୨ଟି ଆମୋଦଦାୟକ ବ୍ୟବସ୍ଥା ରହିଥିଲା। ରକ୍ଷଣାବେକ୍ଷଣ ଅଭାବରୁ ଏହାର ଗୋଟିଏ ପରେ ଗୋଟିଏ ସରଞ୍ଜାମ ନଷ୍ଟ ହେବାକୁ ଲାଗିଲା। ୨୦୦୭ ମସିହାରେ ଏହାର ପରିଚାଳନା ବ୍ୟବସ୍ଥାରୁ ‘ନିକୋ ଗ୍ରୁପ୍‌’କୁ ହଟାଇ ବିଡିଏ ଅନ୍ୟ ଏକ ସଂସ୍ଥା ‘ସନ୍‌ ଟେକ୍‌ ସିଟି ପ୍ରାଇଭେଟ୍‌ ଲିମିଟେଡ୍‌’କୁ ପରିଚାଳନା ଦାୟିତ୍ବ ଦେଇଥିଲା। ‘ନିକୋ ପାର୍କ’ରୁ ଏହାର ନାମ ‘ବିଡିଏ ସିଟି ସେଣ୍ଟର’ ହେଲା। ଯାହା କିଛି ଚାଲୁଥିଲା, ସେ ସବୁକୁ ଫନି ବାତ୍ୟା ଧୋଇଦେଲା। ବ୍ୟାପକ କ୍ଷୟକ୍ଷତି ହେବାରୁ ସନ୍‌ଟେକ୍ ଚୁକ୍ତିରୁ ଓହରିଗଲା। ଏଣୁ ବିଡିଏ ଏହାର ମରାମତି କରିବା ସହ ନିଜେ ପରିଚାଳନା କରିବାକୁ ଯୋଜନା କଲା। ହେଲେ କରୋନା ଦାଉ ସାଧିଲା। କଟକଣା ଯୋଗୁଁ କେହି ଗଲେ ନାହିଁ। ଫଳରେ ଯାହା ମରାମତି ହୋଇଥିଲା ତାହା ନଷ୍ଟ ହୋଇଗଲା। ପ୍ରାୟ ଦୁଇବର୍ଷ ବନ୍ଦ ରହିବା ପରେ ଏବେ ଏହାର ପରିଚାଳନା ଦାୟିତ୍ବ ବିଡିଏ ହାତରୁ ଚାଲିଯାଇଛି।

ଉଲ୍ଲେଖଯୋଗ୍ୟ, ନୂଆପଲ୍ଲୀରୁ ଆରମ୍ଭ ହୋଇ ଗଙ୍ଗୁଆ ପର୍ଯ୍ୟନ୍ତ ଯାଇଥିବା ୫.୪୮ କିମି ଲମ୍ବାର ଏହି ପ୍ରାକୃତିକ ନାଳ ପାର୍ଶ୍ବରେ ସିଟିଜ୍‌ ଅଧୀନରେ ଲେକ୍‌ ଜୋନ୍‌-୧ ଲେକ୍‌ ଜୋନ୍‌-୨ ପ୍ରସ୍ତୁତ ହେଉଥିବା ବେଳେ ଜନପଥ (ସତ୍ୟନଗର ମଶାଣି)ଠାରୁ ଟ୍ରେନ୍‌ ଲାଇନ୍‌ ପର୍ଯ୍ୟନ୍ତ ଲେକ୍‌ ନ୍ୟୁଟ୍ରାଲ୍‌ ବା ଲେକ୍‌ ଜୋନ୍‌-୩କୁ ସ୍ମାର୍ଟ ସିଟି ଲିମିଟେଡ୍‌ ପ୍ରସ୍ତୁତ କରୁଛି।

ସମ୍ବନ୍ଧିତ ଖବର