ଶିଶୁ ଦିବସରେ ଖୋଲିବ ବିଡିଏ ସିଟି ସେଣ୍ଟର, ଟିକେଟ୍ ଦାମ୍ କମିବ

୯ଟି ଖେଳ ସଜଡ଼ା ହେଲା, ୩ଟା ପରେ ହେବ

ଭୁବନେଶ୍ବର: ବାତ୍ୟା ଫନିରେ ଧ୍ବଂସସ୍ତୂପ ପାଲଟି ଯାଇଥିବା ବିଡିଏ ସିଟି ସେଣ୍ଟରକୁ ନୂଆ ରୂପ ଦେଉଛି ବିଡିଏ। ରାଜ୍ୟର ଏହି ଏକମାତ୍ର ଥିମ୍‌ ପାର୍କକୁ ପୂର୍ବ ଅବସ୍ଥାକୁ ଫେରାଇ ଆଣିବା ପାଇଁ ପ୍ରାୟ ଦେଢ଼ କୋଟି ଖର୍ଚ୍ଚ ହେଉଛି। ଆସନ୍ତା ଶିଶୁ ଦିବସରେ ବିଡିଏ ସିଟି ସେଣ୍ଟର ଖୋଲିବ ବୋଲି ଜଣାପଡ଼ିଛି। ବିଡିଏ ସିଟି ସେଣ୍ଟର ପୁନରୁଦ୍ଧାର ହେଉଥିଲେ ହେଁ ପୂର୍ବରୁ ଯେଉଁ ୧୨ଟି ଖେଳ ଥିଲା ସେଥିରୁ ୯ଟିକୁ ଠିକ୍‌ କରାଯାଇ ପାରିଛି। କିନ୍ତୁ ବାକି ୩ଟି ସଜଡ଼‌ା ହେବାକୁ ଆଉ କିଛି ମାସ ଲାଗିବ। ବିଡିଏ ନିଜେ ଏହି ପାର୍କ ଚଲାଇବାକୁ ଥିବାରୁ ଲୋକଙ୍କୁ ଟିକେଟ୍‌ ଦାମ୍ କମ୍‌ ପଡ଼ିବ ବୋଲି ଜଣାପଡ଼ିଛି। ପୂର୍ବରୁ ଏହି ପାର୍କକୁ ପ୍ରବେଶ ଟିକେଟ୍ ଦାମ୍ ୧୫୦ଟଙ୍କା ରଖାଯାଇଥିଲା। ଏବେ ତାହାକୁ ୧୦୦ ଟଙ୍କା କିମ୍ବା ଏହାଠୁ କମ୍‌ କରିବାକୁ ଆଲୋଚନା ଚାଲିଛି। ସେହିପରି ଅଧିକରୁ ଅଧିକ ଲୋକ ଯେପରି ଏଠାକୁ ଆସିବେ ସେଥିପାଇଁ ବିଡିଏ ଏଥିପାଇଁ ବିଭିନ୍ନ ସ୍କିମ୍ କରିବାକୁ ଯୋଜନା କରୁଛି। ମିଳିଥିବା ସୂଚନା ଅନୁଯାୟୀ, ଶିଶୁ ଦିବସରୁ ପାର୍କ ଖୋଲିଲେ ପିଲାମାନେ ମ୍ୟାରି ଗୋ ରାଉଣ୍ଡ, କ୍ୟାଟର ପିଲାର, ଟଏ ଟ୍ରେନ୍, ପାଇରେଟ୍‌ ସିପ୍, ଟିଲ୍ଟ ଏ ହୁଇଲ୍‌, ଭୋଟେକ୍ସ, ୱାଟର କୋଷ୍ଟର, ମୁନ୍ ରେକର୍ ଏବଂ ବୋଟିଂ ସୁବିଧା ପାଇବେ। କିନ୍ତୁ ଜୁରାସିକ୍ ଜଙ୍ଗଲ୍‌, ହଣ୍ଟେଡ୍ ହାଉସ୍ ଏବଂ ଗ୍ଲାଇଡର୍ ଖେଳ ଉପଲବ୍ଧ ହେବ ନାହିଁ। ଏହି ସୁବିଧା ପରବର୍ତ୍ତୀ ସମୟରେ ମିଳିବ।

ଅପରପକ୍ଷେ ବିଡିଏ ସିଟି ସେଣ୍ଟର ନାମ ବଦଳିବ କି ନାହିଁ ସେନେଇ ଏବେ କିଛି ନିଷ୍ପତ୍ତି ହୋଇ ନାହିଁ। ଲେକ୍ ‌ଜୋନ୍ ପ୍ରକଳ୍ପ ହେଲେ ଏହି ଥିମ୍ ପାର୍କକୁ ନୂଆ ରୂପ ଦିଆଯିବ ବୋଲି ଜଣାପଡ଼ିଛି।ଏଠାରେ କାମ କରୁଥିବା ପ୍ରାୟ ୩୨ଜଣ କର୍ମଚାରୀଙ୍କୁ ୬ମାସ ହେଲା ଦରମା ମିଳିନି। ରାଜଧାନୀରେ ବିନା ଟଙ୍କାରେ ଦୁର୍ବିସହ ଜୀବନ ବିତାଉଥିବା ‌ଏହି କର୍ମଚାରୀମାନେ ଏବେ ବାରଦୁଆର ହେଲେଣି। ଖକନ ମଣ୍ଡଳ ନାମକ କର୍ମଚାରୀ ତିନି ମାସ ଘର ଭଡ଼ା ଦେଇ ନ ପାରିବାରୁ ତାଙ୍କୁ ଘର ମାଲିକ ଘରୁ ବାହାର କରିଦେଲା। ଏହାପରେ ସେ ପରିବାର ଲୋକଙ୍କୁ ନେଇ କେଉଁଠି ରହିବେ ବୋଲି ଚିନ୍ତାରେ ପଡ଼ିଥିଲେ। ଏବେ ଯଦିଓ ଅନ୍ୟ କର୍ମଚାରୀମାନଙ୍କ ସହଯୋଗରେ ତାଙ୍କୁ ପାର୍କ ଭିତରେ ଥିବା ଏକ ଘରେ ରହିବାକୁ ସୁଯୋଗ ଦିଆଯାଇଛି, ତଥାପି ନିଜ ପେଟକୁ ଦାନା, ପିଲାର ପାଠପଢ଼ା ଖର୍ଚ୍ଚ କଥା ଚିନ୍ତା କଲା ବେଳକୁ ମୁଣ୍ଡ ଚକ୍କର କାଟି ଯାଉଛି ବୋଲି ସେ କହିଛନ୍ତି।

କେବଳ ଖକନଙ୍କ ଅବସ୍ଥା ନୁହେଁ, ଆହୁରି ୮/୧୦ଜଣ କର୍ମଚାରୀ ଘର ଭଡ଼ା ଦେଇପାରୁ ନ ଥିବାରୁ ତାଙ୍କ ଘର ମାଲିକମାନେ ଘର ଛାଡ଼ିବାକୁ କହି ସାରିଲେଣି। ସେମାନେ ଏବେ କେଉଁଠି ରହିବେ ସେ ଚିନ୍ତାରେ ପଡ଼ିଗଲେଣି। ଏପରିକି କିଛି କର୍ମଚାରୀ କହିଛନ୍ତି ଯେ, ସେମାନଙ୍କ ପିଲାର ସ୍କୁଲ ଫି’ ଦେଇପାରି ନ ଥିବାରୁ ପିଲାଙ୍କୁ ସ୍କୁଲ ନ ଆସିବାକୁ ସ୍କୁଲ କର୍ତ୍ତୃପକ୍ଷ କହିଲେଣି। ଏପଟେ ବିଡିଏ ସଚିବ କହିଛନ୍ତି ଯେ ଘରୋଇ ସଂସ୍ଥା ସେମାନଙ୍କୁ ଦରମା ଦେଉନି, ଆମେ କ’ଣ କରିବୁ। ଯେଉଁ ସଂସ୍ଥା ବନ୍ଦ ପଡ଼ିଛି, ସେଠାରେ କ’ଣ କର୍ମଚାରୀଙ୍କୁ ଦରମା ଦିଆଯାଏ। ସଚିବଙ୍କ ଏହିଭଳି ବେପରୁଆ ଉତ୍ତର କର୍ମଚାରୀଙ୍କ ଦୁଃଖର ନିଆଁରେ ଘିଅ ଢାଳିବା ସଦୃଶ ହୋଇଛି।

ଭବିଷ୍ୟତରେ ହେବ ଆମ୍ୟୁଜମେଣ୍ଟ ପାର୍କ
ଏହି ପାର୍କକୁ ପିପିପି ମୋଡରେ ଏକ ଆମ୍ୟୁଜମେଣ୍ଟ ପାର୍କରେ ପରିଣତ କରିବାକୁ ଯୋଜନା ହୋଇଛି। ଏଥିପାଇଁ ପ୍ରାୟ ୧୦୦କୋଟି ଖର୍ଚ୍ଚ ହେବ। ଏନେଇ ବିଡିଏ ଓ ସ୍ମାର୍ଟ ସିଟି ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ନିକୋ ପାର୍କ ଛକରୁ ମହର୍ଷି କଲେଜ ପର୍ଯ୍ୟନ୍ତ ଅଞ୍ଚଳକୁ ଲେକ୍‌ ଜୋନ୍ ଘୋଷଣା କରାଯାଇଛି। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ କର୍ତ୍ତୃପକ୍ଷ ଏବଂ ଏକ ଘରୋଇ ସଂସ୍ଥା ମାଧ୍ୟମରେ ପାର୍କ ଏବଂ ଏହି ଲେକ୍‌ ଜୋନ୍ ଅଞ୍ଚଳର ଉନ୍ନତୀକରଣ ହେବ। ବମ୍ବେ, ପୁଣେ, ଅହମ୍ମଦାବାଦରେ ଥିବା ଆମ୍ୟୁଜମେଣ୍ଟ ପାର୍କ ବା ମନୋରଂଜନ ପାର୍କ ଭଳି ଏହାକୁ ନିର୍ମାଣ କରାଯିବ। ଏଠାରେ ଥିବା ହ୍ରଦର ପାଣିକୁ ବିଶୋଧନ କରାଯିବା ସହ ବୋଟି˚, ଫାଉଣ୍ଟେନ୍‌, ଜଳ କ୍ରୀଡ଼ା କରାଯିବ। ଏହାବ୍ୟତୀତ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସବୁବର୍ଗର ବ୍ୟକ୍ତିଙ୍କ ମନୋର˚ଜନ ପାଇଁ ଏଠାରେ ବିଭିନ୍ନ ସାମଗ୍ରୀ ରହିବ। ଏଥିପାଇଁ ୧୦୦କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ଘରୋଇ ସ˚ସ୍ଥା ୫୦%, ବିଡିଏ ୫୦% ଅ˚ଶଧନ ଲଗାଇ‌ବ। ଲାଭ ମଧୢ ସେହି ଅନୁସାରେ ଭାଗ ହେବ।

ସମ୍ବନ୍ଧିତ ଖବର